ନୂଆଦିଲ୍ଲୀ : ଭାରତୀୟ ରପ୍ତାନୀକାରୀଙ୍କ ଲାଗି ଆମେରିକାରେ ଚାହିଦା କମଜୋର ରହିଛି। ଏହା ବି ସେତେବେଳେ ହେଉଛି ଯେତେବେଳେ ଆମେରିକା ଟାରିଫରେ ବଡ଼ ହ୍ରାସ ହୋଇଛି। ଉଦ୍ୟୋଗ ଅଧିକାରୀଙ୍କ ସୂତ୍ରରୁ ଏହି ସୂଚନା ମିଳିଛି। ଟ୍ରମ୍ପ ପ୍ରଶାସନର ପଲିସିକୁ ନେଇ ଅନିଶ୍ଚିତତା ଓ ଭୂ-ରାଜନୈତିକ ଉତ୍ତେଜନା କାରଣରୁ ଗ୍ରାହକଙ୍କ ମୁଡ ହିଁ ଏହାର ମୁଖ୍ୟ କାରଣ ହୋଇପାରେ ବୋଲି ଏବେ କୁହାଯାଉଛି। ଚିଙ୍ଗୁଡି ଓ ଟେକ୍ସଟାଇଲ ଏକ୍ସପୋର୍ଟରେ ଏ ପର୍ଯ୍ୟନ୍ତ ସୁଧାର ଆସି ନାହିଁ। ଯେତେବେଳେ ୫୦% ଟାରିଫ ଲାଗିଥିଲା ସେ ସମୟର ଷ୍ଟକ୍ ଏବେବି ବଜାରରେ ବିକ୍ରି ନ ହୋଇ ରହିଛି।

ଏପ୍ରିଲରୁ ଡିସେମ୍ବର ମଧ୍ୟରେ ଚିଙ୍ଗୁଡି ରପ୍ତାନୀ ବାର୍ଷିକ ୧୫% ହାରରେ ହ୍ରାସ ହେଉଛି। ସେହିପରି ଟେକ୍ସଟାଇଲ ଏକ୍ସପୋର୍ଟ ୧୬% କମି ଯାଇଛି। ଆମେରିକା ସୁପ୍ରିମକୋର୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ଟାରିଫ ଖାରଜ କରିଦେଇଛନ୍ତି। ଏହା ପରେ ୟୁଏସ୍ ଟ୍ରେଡ ରିପ୍ରେଜେଣ୍ଟେଟିଭ (ୟୁଏସଟିଆର) ସେକ୍ସନ ୩୦୧ ଅନୁସାରେ ଯାଞ୍ଚ କରୁଛନ୍ତି। ଏଣୁ ଇଣ୍ଡଷ୍ଟ୍ରିର ବଡ ଲୋକମାନେ ଏହି ଯାଞ୍ଚକୁ ରପ୍ତାନୀ ରିକୋଭରି ବେଗକୁ ଧିମେଇ ଦେଉଥିବା ଅନୁମାନ କରୁଛନ୍ତି। ଏବେକା ଟାରିଫ ଫ୍ରେମୱାର୍କକୁ ନେଇ ଟେକ୍ସଟାଇଲ ଇଣ୍ଡଷ୍ଟ୍ରି ବେଶ୍ ଆଶାବାଦୀ ଅଛି। ତେବେ ଯାଞ୍ଚର ଫଳାଫଳକୁ ନେଇ ଚିନ୍ତିତ ରହିଛି।

କନଫେଡେରେସନ ଅଫ ଇଣ୍ଡିଆନ ଟେକ୍ସଟାଇଲ ଇଣ୍ଡଷ୍ଟ୍ରିଜ(ସିଆଇଟିଆଇ) ସାଧାରଣ ସମ୍ପାଦକ ଚନ୍ଦ୍ରିକା ଚାଟାର୍ଜୀଙ୍କ ସୂତ୍ରରୁ ଇକୋନମିକ୍ସ ଟାଇମସ କହିଛି ଯେ ଭାରତୀୟ ଟେକ୍ସଟାଇଲ ଇଣ୍ଡଷ୍ଟ୍ରି ସେକ୍ସନ ୩୦୧ ରେ ଚାଲିଥିବା ଯାଞ୍ଚ ଉପରେ ତୀକ୍ଷ୍ଣ ନଜର ରଖିଛି। କାରଣ ଆମେରିକା ବଜାର ପହଞ୍ଚ ପାଇଁ ଏହି ଯାଞ୍ଚର ବଡ଼ ପ୍ରଭାବ ପଡିପାରେ। ଯଦି ଯାଞ୍ଚରେ ସାମାନ୍ୟ ତ୍ରୁଟି ମିଳେ ତେବେ ଆମେରିକା ଏକ୍ସଟ୍ରା ଟାରିଫ ଭଳି ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ମଧ୍ୟ କରିପାରେ। ଏହା ଛଡା ଆମେରିକା ବଜାରରେ ଏବେ ମାନ୍ଦାବସ୍ଥା ଭଳି ପରିସ୍ଥିତି ଉପୁଜିଥିବା ସେ କହିଛନ୍ତି। ଏଣୁ ରିକୋଭି ବେଗ ଧିମା ଥିବା ସେ ଆକଳନ କରିଛନ୍ତି।

ଚିଙ୍ଗୁଡି (ସ୍ରିମ୍ପ) ଏକ୍ସପୋର୍ଟର ଏବେ ଏହାର ପ୍ରଭାବ ଅନୁଭବ କରୁଛନ୍ତି। ଗତ ୩ ସପ୍ତାହ ହେଲା ଫାର୍ମ ଗେଟ୍ ମୂଲ୍ୟ ୧୦ରୁ ୧୫% ପର୍ଯ୍ୟନ୍ତ ହ୍ରାସ ହୋଇଛି। ଅଲ ଇଣ୍ଡିଆ ସି ଫୁଡ ଏକ୍ସପୋର୍ଟର୍ସ ଆସୋସିଏସନର ପବନ କୁମାର କହିଛନ୍ତି ଯେ ଆମେରିକା କ୍ରେତାଙ୍କ ପାଖରେ ଏବେବି ସେହି ମହଙ୍ଗା ଷ୍ଟକ୍ ପଡି ରହିଛି ଯାହାକୁ ସେମାନେ ୫୦% ଟାରିଫ ବେଳେ କିଣିଥିଲେ। ତେବେ ରତ୍ନ ଓ ଆଭୂଷଣ ରପ୍ତାନୀ ବେଶ୍ ଭଲ ପ୍ରାରମ୍ଭର ସଂକେତ ଦେଇଛି। ଏପ୍ରିଲ-ଫେବୃଆରୀ ମଧ୍ୟରେ ସୁନା ଜଡା ଆଭୂଷଣ କନସାଇନମେଣ୍ଟରେ ବାର୍ଷିକ ହାରରେ ୮.୮୭% ହାରରେ ଅଭିବୃଦ୍ଧି ହୋଇଛି। ତେବେ ଏହି ସମୟରେ କଟା ଓ ପଲିସ ହୀରା ରପ୍ତାନୀ ୬.୭୧% ପର୍ଯ୍ୟନ୍ତ ହ୍ରାସ ହୋଇଛି।