ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ପାଇଁ ସୁରକ୍ଷିତ ସ୍ଥାନ ଥିବା ପାକିସ୍ତାନର ଦୋମୁହାଁ ଚେହେରା ପୁଣି ଥରେ ଉଜାଗର ହୋଇଛି । ଆମେରିକା ଦ୍ୱାରା ଘୋଷିତ କୁଖ୍ୟାତ ଆତଙ୍କବାଦୀ ପାକିସ୍ତାନରେ ସାର୍ବଜନୀନ ମଞ୍ଚରୁ ଦିଲ୍ଲୀ କବଜା ନେଇ ଧମକ ଦେଇଛି । ଏହାସହ ସାରା ବିଶ୍ୱରେ ଇସଲାମିକ୍ ଶାସନ ହେବ ବୋଲି କହିଛି ।

ଅପରେସନ ସିନ୍ଦୂରରେ ମୃତ ଆତଙ୍କବାଦୀଙ୍କ ସମାଧି ପାଖରେ ନଜର ଆସିଥିବା ଲସ୍କର-ଏ-ତୋଏବା ମୁଖ୍ୟ ହାଫିଜ୍ ଅବଦୁର ରୌଫ ଭାରତ ବିରୁଦ୍ଧରେ ବିଷ ଓଗାଳିଛି । ପାକିସ୍ତାନର ପଞ୍ଜାବ ପ୍ରାନ୍ତର ହବିବାବଦରେ ଏକ ସାର୍ବଜନୀନ ମଞ୍ଚ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇଥିଲା ।

ଏକ୍ସରେ ଭାଇରାଲ୍ ଭିଡିଓରେ ରୌଫ ଦାବି କରୁଥିବାର ଶୁଣାଯାଉଛି, ମେ ମାସରେ ଚାରି ଦିନ ଧରି ଚାଲିଥିବା ଆକ୍ରମଣ ପରେ ଭାରତ "ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ସାହସ କରିବ ନାହିଁ ।" ତା'ପରେ ସେ ଭାରତ ଉପରେ ବିଜୟ ଦାବି କରି କହିଥିଲା, “କେବଳ କାଶ୍ମୀର ନୁହେଁ, ଇସଲାମ ସାରା ବିଶ୍ୱକୁ ଶାସନ କରିବ । ମୋ ପାଖରେ ଅଧିକ ସୂଚନା ଅଛି । ଥରେ ଆମିର ମକ୍କି (ଅବଦୁଲ ରେହମାନ ମକ୍କି, ଏଲଇଟିର ସହ-ପ୍ରତିଷ୍ଠାତା) କହିଥିଲେ ଯେ ଆମେ ଦିଲ୍ଲୀ ଜିତିବୁ, ଏବଂ ଏହା ହେବ ।"

ସେ ଆହୁରି କହିଥିଲା, "ଆମେ ଗଜୱା-ଏ-ହିନ୍ଦରେ ସଫଳ ହେବୁ । ଛଅ ମାସ ତଳେ, ଆମେ ଭାରତକୁ 'ପରାଜିତ' କରିଥିଲୁ । ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ଭାରତ ଆମ ଉପରେ ଆକ୍ରମଣ କରିବାକୁ ସାହସ କରିବ ନାହିଁ । ରାଫେଲ, ଏସ-୪୦୦, ଡ୍ରୋନ୍ ଏବଂ ପ୍ରଯୁକ୍ତିବିଦ୍ୟା ଆମ ଆଗରେ କିଛି ନୁହେଁ । ୫୮ ଇସଲାମିକ ଦେଶ ମଧ୍ୟରେ ଆମେ ଏକମାତ୍ର ପରମାଣୁ ଶକ୍ତି ।"

ରୌଫଙ୍କୁ ପାକିସ୍ତାନୀ ସେନାର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ଅପରେସନ ସିନ୍ଦୁର ଆକ୍ରମଣରେ ନିହତ ଆତଙ୍କବାଦୀଙ୍କ କବର ପାଖରେ ପ୍ରାର୍ଥନା ନେତୃତ୍ୱ ନେଉଥିବାର ଦେଖାଯାଇଥିଲା । ପରେ ପାକିସ୍ତାନ ସେନା ଆମେରିକା ଦ୍ୱାରା ଘୋଷିତ ଆତଙ୍କବାଦୀ ରୌଫକୁ ସାଧାରଣ ଲୋକ ବୋଲି କହିବାକୁ ଚେଷ୍ଟା କରିଥିଲା । ପରେ ପିଆଇବି ଫ୍ୟାକ୍ଟ ଚେକ୍ ଟିମ୍ ଡିଜି ଏହି ଦାବିକୁ ଖଣ୍ଡନ କରିଥିଲେ, ରୌଫ ନାଁ ଆମେରିକାର ପ୍ରତିବନ୍ଧକ ତାଲିକାରେ ରହିଥିବା ସ୍ପଷ୍ଟ କରିଥିଲେ । ରୌଫର ଏହି ଭିଡିଓ ପୁଣିଥରେ ପ୍ରମାଣିତ କରେ ଯେ ପାକିସ୍ତାନ ତା'ର ମାଟିରେ ଆତଙ୍କବାଦୀମାନଙ୍କୁ ପ୍ରସୟ ଦିଏ ।