ନୂଆଦିଲ୍ଲୀ ୨୮।୦୮; ଦିଲ୍ଲୀର ବହୁଚର୍ଚ୍ଚିତ ମୁସ୍କାନ ହତ୍ୟାକାଣ୍ଡରେ ବଡ଼ ଆକ୍ସନ୍। ହତ୍ୟା ଅଭିଯୋଗରେ ଫେରାର ଥିବା ଅଭିଯୁକ୍ତ ଇମ୍ରାନଙ୍କୁ ଏନକାଉଣ୍ଟର ପରେ ଗିରଫ କରିଛି ଦିଲ୍ଲୀ ପୋଲିସ। ପୋଲିସର ଗୁଳି ଇମ୍ରାନଙ୍କ ଦୁଇ ଗୋଡ଼ରେ ବାଜିଥିବା ସୂଚନା ମିଳିଛି। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଛି।

ଘଟଣାଟି ଦିଲ୍ଲୀର ଟିଲକ ନଗର ଅଞ୍ଚଳର। ୨୧ ବର୍ଷୀୟା ମୁସ୍କାନ ଶର୍ମା ଛାତ୍ରୀ ହେବା ସହ ମଡେଲିଂ ମଧ୍ୟ କରୁଥିଲେ। ବୁଧବାର ସନ୍ଧ୍ୟାରେ ସେ ନିଜ ଘରେ ଏକା ଥିବାବେଳେ ତାଙ୍କ ଉପରେ ଛୁରୀରେ ଆକ୍ରମଣ ହୋଇଥିଲା। ଗୁରୁତର ଅବସ୍ଥାରେ ମୁସ୍କାନଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ହତ୍ୟା ଘଟଣା ପରେ ଜିମ୍ ଟ୍ରେନର ଇମ୍ରାନ ଫେରାର ଥିଲେ । ତାଙ୍କୁ ଧରିବା ପାଇଁ ଦିଲ୍ଲୀ ପୋଲିସର ଏକାଧିକ ଟିମ୍ ତଲାସୀ ଜାରି ରଖିଥିଲେ। ଶେଷରେ ପୁଲିସ ତାଙ୍କୁ ଟ୍ରାକ୍ କରି ଅଟକାଇବା ବେଳେ ଏନକାଉଣ୍ଟର ହୋଇଥିବା ଜଣାପଡ଼ିଛି ।

ଏନକାଉଣ୍ଟରରେ ଇମ୍ରାନଙ୍କ ଦୁଇ ଗୋଡ଼ରେ ଗୁଳି ବାଜିଥିବା ପରେ ତାଙ୍କୁ କାବୁ କରାଯାଇଛି । ପୋଲିସର ପ୍ରାଥମିକ ତଦନ୍ତରେ ମୁସ୍କାନ ଓ ଇମ୍ରାନଙ୍କ ମଧ୍ୟରେ ପରିଚୟ ଥିବା କଥା ସାମ୍ନାକୁ ଆସିଛି । ତାଙ୍କ ସମ୍ପର୍କରେ ବାରମ୍ବାର ଝଗଡ଼ା, ହଇରାଣ ଏବଂ ବିବାଦ ଥିବା ନେଇ ମଧ୍ୟ ତଦନ୍ତ ଚାଲିଛି । ହତ୍ୟା ପଛରେ ପ୍ରକୃତ କାରଣ କଣ ଏବଂ ଏହା ପୂର୍ବ ଯୋଜନା ଥିଲା କି ନାହିଁ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି । ଏବେ ଇମ୍ରାନ ଗିରଫ ହେବା ପରେ ମାମଲାର ତଦନ୍ତ ଆହୁରି ଆଗକୁ ବଢ଼ିବ। ପୋଲିସ ତାଙ୍କୁ ପଚରାଉଚରା କରି ମୁସ୍କାନ ହତ୍ୟା ପଛର ପ୍ରକୃତ ରହସ୍ୟ ଏବଂ ଉଦ୍ଦେଶ୍ୟ ଜାଣିବାକୁ ଚେଷ୍ଟା କରିବ ।