ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲୁଟିୟନସ୍ ଦିଲ୍ଲୀର ପ୍ରତିଷ୍ଠିତ ଦିଲ୍ଲୀ ଜିମଖାନା କ୍ଲବ ପରିସରକୁ ଜୁନ ୫ ତାରିଖ ସୁଦ୍ଧା ଖାଲି କରିବାକୁ ଆଦେଶ ଦେଇଛନ୍ତି। କେନ୍ଦ୍ର ସରକାର କହିଛନ୍ତି ଯେ ୨୭.୩ ଏକର ଜମି ଉପରେ ବ୍ୟାପ୍ତ ଏହି ଜମି ପ୍ରତିରକ୍ଷା ଭିତ୍ତିଭୂମି ମଜଭୁତ କରିବା ଉଦ୍ଦେଶ୍ୟରେ ଓ ସାର୍ବଜନିକ ସୁରକ୍ଷା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନିମନ୍ତେ ଆବଶ୍ୟକ। କେନ୍ଦ୍ର ସରକାରଙ୍କ ହାଉସିଂ ଆଣ୍ଡ ଅର୍ବାନ ଆଫାୟାର୍ସ ମନ୍ତ୍ରାଳୟ ଅନ୍ତର୍ଗତ ଭୂମି ଓ ବିକାଶ କାର୍ଯ୍ୟାଳୟ (ଏଲଏଣ୍ଡଡିଓ) ଏ ନେଇ ମେ ୨୨ ତାରିଖରେ କ୍ଲବ ସଚିବଙ୍କୁ ପତ୍ର ଜାରି କରି ଏହି ନିର୍ଦ୍ଦେଶ ଦେଇଛି।

ଆଦେଶରେ କୁହାଯାଇଛି ଯେ ୨, ସଫଦରଜଙ୍ଗ ରୋଡସ୍ଥିତ ଏହି ପରିସର ଅତ୍ୟନ୍ତ ସମ୍ବେଦନଶୀଳ ଓ ରଣନୈତିକ କ୍ଷେତ୍ରରେ ରହିଛି। ଏଣୁ ସରକାର କ୍ଲବର ଲିଜ୍ ସମାପ୍ତ କରି ଜମିକୁ ଦ୍ୱିତୀୟଥର ହାତକୁ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଆଦେଶରେ କୁହାଯାଇଛି ଯେ ଲିଜ ଡିଡର ଧାରା-୪ ଅନୁସାରେ ଭାରତର ରାଷ୍ଟ୍ରପତିଙ୍କ ପକ୍ଷରୁ ଲିଜ ସମାପ୍ତ କରାଯାଉଛି ଓ ପରିସରକୁ ତତ୍କାଳ ପ୍ରଭାବରେ ପୁନଃ ପ୍ରବେଶ (ରି-ଏଣ୍ଟ୍ରି)ର ଆଦେଶ ଦିଆଯାଉଛି। ସରକାରୀ ଆଦେଶ ଅନୁସାରେ ଜୁନ ୫ ତାରିଖରେ ଏଲଆଣ୍ଡଡିଓ ଅଧିକାରୀ ପରିସରକୁ ନିଜ ନିୟନ୍ତ୍ରଣକୁ ନେବେ।

୪୦-୪୦-୨୦ ନିୟମ
ପ୍ରାୟ ଶହେ ବର୍ଷରୁ ଅଧିକ ସମୟ ହେଲା ଦିଲ୍ଲୀ ଜିମଖାନା ସଦସ୍ୟତା ନିମନ୍ତେ ୪୦-୪୦-୨୦ ନିୟମ ଅନୁସରଣ କରିଆସୁଛି। ଏଥିରେ ସଦସ୍ୟତା ନିମନ୍ତେ ୪୦% ସିଭିଲ ସର୍ଭିସ୍ ଅଧିକାରୀଙ୍କ ଲାଗି ସଂରକ୍ଷିତ ରହୁଥିବା ବେଳେ ୪୦% ପ୍ରତିରକ୍ଷା ସେବା ପାଇଁ ରହିଛି। ସେହି ପରି ବାକି ୨୦%ସାଧାରଣ ଲୋକଙ୍କ ନିମନ୍ତେ ଥାଏ। ଏଥିରେ ସଦସ୍ୟଙ୍କ ବୟଷ୍କ ପିଲାମାନଙ୍କୁ ସଦସ୍ୟତା ପ୍ରଦାନରେ ପ୍ରାଥମିକତା ଦିଆଯାଏ। ଏଣୁ ବାହାର ଲୋକଙ୍କ ସଦସ୍ୟତାର ଏଠାରେ ପ୍ରଶ୍ନ ହିଁ ଉଠେନା।

ପ୍ରଧାନମନ୍ତ୍ରୀଙ୍କ ଆବାସ ନିକଟରେ ରହିଛି କ୍ଲବ
ଦିଲ୍ଲୀ ଜିମଖାନା କ୍ଲବ ଲୁଟିୟନସ୍ ଦିଲ୍ଲୀର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରହିଛି। ଏହି କ୍ଲବ ଲୋକକଲ୍ୟାଣ ମାର୍ଗରେ ପ୍ରଧାନମନ୍ତ୍ରୀଙ୍କ ଆବାସ ନିକଟରେ ରହିଛି।ଏହାର ଆଖପାଖରେ ଅନେକ କେନ୍ଦ୍ର ସରକାରୀ ଓ ପ୍ରତିରକ୍ଷା ବିଭାଗର ପ୍ରତିଷ୍ଠାନ ରହିଛି। ଏଣୁ ଏହି ଅଞ୍ଚଳକୁ ହାଇ ସିକ୍ୟୁରିଟି ଜୋନ ମନେ କରାଯାଏ।

ବ୍ରିଟିଶ କାଳରେ ହୋଇଥିଲା ସ୍ଥାପନା
ଦିଲ୍ଲୀ ଜିମଖାନା କ୍ଲବର ସ୍ଥାପନା ବ୍ରିଟିଶ ଶାସନ କାଳରେ ହୋଇଥିଲା। ୧୯୧୩ ମସିହାରେ ଏହା ‘ଇମ୍ପେରିୟାଲ ଦିଲ୍ଲୀ ଜିମଖାନା କ୍ଲବ’ ନାମରେ ଆରମ୍ଭ ହୋଇଥିଲା। ତେବେ ସ୍ୱାଧୀନତା ପରେ ଏହାର ନାମ ବଦଳି ଦିଲ୍ଲୀ ଜିମଖାନା କ୍ଲବ ହୋଇଯାଇଥିଲା। କ୍ଲବର ଏବେକା ଭବନ ୧୯୩୦ ମସିହାରେ ନିର୍ମିତ ହୋଇଥିଲା। ଏହି କ୍ଲବରେ ୨୬ଟି ଘାଷ ପଡିଆ ଟେନିସ୍ କୋର୍ଟ ରହିଛି ଏହା ଛଡା ଏଥିରେ ୭ଟି କ୍ଲେ କୋର୍ଟ, ୩ଟି ସ୍କ୍ୱାସ୍ କୋର୍ଟ, ବ୍ୟାଡମିଣ୍ଟନ କୋର୍ଟ, ଗୋଟିଏ ବିଲିୟାର୍ଡସ ରୁମ ଓ ଗୋଟିଏ ସ୍ୱିମିଂ ପୁଲ ରହିଛି। ଏଥିରେ ୩ଟି ଲାଉଞ୍ଜ ବାର ଓ ରହିବା ପାଇଁ ୪୩ଟି କଟେଜ ଅଛି।

ଏହାର ଅଧିକାଂଶ ସଦସ୍ୟ ବଡ଼ ବଡ଼ ସରକାରୀ ଅଧିକାରୀ, ସେନା ମୁଖ୍ୟ, କୂଟନୀତିଜ୍ଞ, ଜଜ୍, ରାଜନେତା, ଉଦ୍ୟୋଗପତି ଓ ପୁରୁଣା ବ୍ୟବସାୟୀକ ପରିବାରର ଲୋକ।ଏହି କ୍ଲବରେ ସଦସ୍ୟତା ମିଳିବା ସେତିକି କଠିନ ଯେତିକି କୌଣସି ବଡ଼ ସରକାରୀ ପଦପଦବୀ ମିଳିବା । ପାଖାପାଖି ୧୨ଶହ ସଦସ୍ୟଙ୍କ ଏହି କ୍ଲବରେ ସଦସ୍ୟ ହେବାକୁ ପାଖାପାଖି ୨୦-୩୦ ବର୍ଷ ସମୟ ଲାଗିଯାଏ। ପ୍ରତିବର୍ଷ ୧୦୦ଟି ସଦସ୍ୟତା ଖୋଲିଥାଏ, ଏହା କୌଣସି ସଦସ୍ୟଙ୍କ ପରଲୋକ ଅଥବା ଇସ୍ତଫା ଦ୍ୱାରା ଖାଲି ହୋଇଥାଏ। କେବଳ ପଇସାବାଲା ହେଲେ ଏହି କ୍ଲବରେ ପ୍ରବେଶ ମିଳିବ ତାର କୌଣସି ଗ୍ୟାରେଣ୍ଟି ନାହିଁ।

କ୍ଲବକୁ ନେଇ ରହିଛି ବିବାଦ
​​​​​​​
ଏତେ ବୈଶିଷ୍ଟତା ଥିବା ଦିଲ୍ଲୀ ଜିମଖାନା କ୍ଲବକୁ ନେଇ ବିବାଦ ବି ହୋଇଛି। କ୍ଲବ ଉପରେ ସମାଲୋଚକ ଆଧୁନିକ ଗଣତାନ୍ତ୍ରିକ ଭାରତରେ ଔପନିବେଶିକ ମାନସିକତାର ପ୍ରତିନିଧିତ୍ୱର ଆରୋପ ମଧ୍ୟ ଲଗାନ୍ତି। ୨୦୨୦ ମସିହାରେ ନ୍ୟାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ (ଏନସିଏଲଟି) ଏହି ସଂସ୍ଥାର କଡ଼ା ସମାଲୋଚନା କରିଥିଲେ। ଏନସିଏଲଟି ଟିପ୍ପଣୀ କରିଥିଲେ ଯେ କ୍ଲବରୁ ଏବେବି ସାମ୍ରାଜ୍ୟବାଦ ମାନସିକତାର ଗନ୍ଧ ଆସୁଛି ଓ ଏହା କେବଳ ବିଶେଷାଧିକାର ପ୍ରାପ୍ତ ସମ୍ଭ୍ରାନ୍ତ ବର୍ଗଙ୍କ ସେବା କରୁଛି। ଏତେ ସମାଲୋଚନା ସତ୍ତ୍ୱେ ଦିଲ୍ଲୀ ଜିମଖାନାର ଆକର୍ଷଣ ଏବେବି ଅକ୍ଷୁର୍ଣ୍ଣ ରହିଛି। ଏହାର ସଦସ୍ୟତା ଏ କଥାର ପ୍ରମାଣ ଯେ ସେହି ବ୍ୟକ୍ତି ସମାଜର ଶୀର୍ଷ ସାମାଜିକ ପରିସରରେ ନିଜର ସ୍ଥିତି ମଜଭୁତ କରିଛନ୍ତି।