ନୂଆଦିଲ୍ଲୀ: ଜଣେ ମହିଳା ବିଳମ୍ବିତ ରାତିରେ କୌଣସି ପୁରୁଷଙ୍କ ସହ ଫୋନରେ କଥା ହେଉଥିବା ଆଧାରରେ ତାଙ୍କ ଚରିତ୍ର ଉପରେ ପ୍ରଶ୍ନ ଉଠାଯାଇପାରିବ ନାହିଁ। ଏକ ପାରିବାରିକ ମାମଲାର ଶୁଣାଣି କରି ଦିଲ୍ଲୀର ଏକ ଅଦାଲତ ଏଭଳି ମନ୍ତବ୍ୟ ଦେଇଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, କେବଳ ରାତିରେ କାହା ସହ କଥା ହେବା କଲ୍ ଡିଟେଲ୍ସ ରେକର୍ଡ (CDR) ମାଗିବା କିମ୍ବା କାହାର ବ୍ୟକ୍ତିଗତ ଗୋପନୀୟତା ଉଲ୍ଲଂଘନ କରିବାର ଆଧାର ହୋଇପାରିବ ନାହିଁ। ଏକ ଘରୋଇ ହିଂସା ମାମଲା କୋର୍ଟରେ ବିଚାରଧୀନ ଥିବା ସମୟରେ ଜଣେ ବ୍ୟକ୍ତି ଆବେଦନ କରିଥିଲେ ଯେ, ତାଙ୍କ ପତ୍ନୀ ବିଳମ୍ବିତ ରାତିରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ନିୟମିତ କଥା ହେଉଛନ୍ତି।

ସେହି କଲ୍ ରେକର୍ଡଗୁଡ଼ିକୁ ମୋବାଇଲ୍ ସେବା ପ୍ରଦାନକାରୀ କମ୍ପାନୀ ଯେପରି ଡିଲିଟ୍ ନକରନ୍ତି, ସେଥିପାଇଁ ସେଗୁଡ଼ିକୁ ସୁରକ୍ଷିତ ରଖିବାକୁ ସେ ଅନୁରୋଧ କରିଥିଲେ। ଟ୍ରାଏଲ୍ କୋର୍ଟ ଏହି ଆବେଦନକୁ ଖାରଜ କରିଦେବା ପରେ ବ୍ୟକ୍ତି ଜଣକ ସେସନ୍ସ କୋର୍ଟରେ ଅପିଲ୍ କରିଥିଲେ।  ଏହି ମାମଲାର ଶୁଣାଣି କରି ଅତିରିକ୍ତ ସେସନ୍ସ ଜଜ୍ ସୁନାଲୀ ଗୁପ୍ତା ଟ୍ରାଏଲ୍ କୋର୍ଟଙ୍କ ନିଷ୍ପତ୍ତିକୁ କାଏମ ରଖିବା ସହ ସ୍ୱାମୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି।

ଜୁନ୍ ୨ ତାରିଖରେ ଦେଇଥିବା ନିଜ ଆଦେଶରେ ବିଚାରପତି କହିଛନ୍ତି, ‘ଭାରତୀୟ ସମାଜ ଆଉ ଏକ ଆଦିମ ସମାଜ ହୋଇ ରହିନାହିଁ, ଯେଉଁଠି ଜଣେ ମହିଳା ଅନ୍ୟ ଜଣେ ପୁରୁଷଙ୍କ ସହ କଥା ହେବାକୁ ଏକ ସାମାଜିକ ବାସନ୍ଦ ବା ଅପରାଧ  ବୋଲି ଧରାଯିବ। ଆଜିର ସମୟରେ ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ, କାମ କରୁଛନ୍ତି ଏବଂ ସେମାନଙ୍କର ପୁରୁଷ ସହକର୍ମୀ ମଧ୍ୟ ରହିଛନ୍ତି।’

କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ଦିନର ଯେକୌଣସି ସମୟରେ କିମ୍ବା ବିଷମ ପରିସ୍ଥିତିରେ କାହା ସହ କଥା ହେବା ଦ୍ୱାରା ଜଣେ ମହିଳାଙ୍କ ଚରିତ୍ର ଉପରେ ସେ ପର୍ଯ୍ୟନ୍ତ ପ୍ରଶ୍ନ ଚିହ୍ନ ଲଗାଯାଇପାରିବ ନାହିଁ, ଯେପର୍ଯ୍ୟନ୍ତ ତାଙ୍କର କୌଣସି ଅବୈଧ ସମ୍ପର୍କ ଥିବାର କୌଣସି ଦୃଢ଼ ପ୍ରମାଣ ବା ଅଭିଯୋଗ ନାହିଁ। ଅଦାଲତ ନିଜ ନିଷ୍ପତ୍ତିରେ ଗୋପନୀୟତା ଅଧିକାର ଉପରେ ଗୁରୁତ୍ୱ ଦେଇ କହିଛନ୍ତି,  ସ୍ୱାମୀ ତାଙ୍କ ଆବେଦନରେ ପତ୍ନୀଙ୍କ କଲ୍ ଡିଟେଲ୍ସ ସୁରକ୍ଷିତ ରଖିବା ପାଇଁ କୌଣସି ଦୃଢ଼ ବା ଠୋସ୍ କାରଣ ଦର୍ଶାଇ ପାରିନାହାନ୍ତି।

 କୋର୍ଟ ସ୍ୱୀକାର କରିଛନ୍ତି ଯେ, ନିରପେକ୍ଷ ବିଚାର ପାଇଁ କିଛି ପରିସ୍ଥିତିରେ ଗୋପନୀୟତାର ସୀମାକୁ କୋହଳ କରାଯାଇପାରେ, କିନ୍ତୁ କାହାର ବ୍ୟକ୍ତିଗତ ଜୀବନ ଭିତରକୁ ପ୍ରବେଶ କରିବା ପାଇଁ ଏକ ଯଥାର୍ଥ ଏବଂ ଆଇନଗତ କାରଣ ରହିବା ଦରକାର। କେବଳ ସନ୍ଦେହ ଆଧାରରେ ଜଣେ ମହିଳାଙ୍କ ମୋବାଇଲ୍ ନମ୍ବରର ସିଡିଆର୍ (CDR) ମାଗିବା ସମ୍ପୂର୍ଣ୍ଣ ଅଯୌକ୍ତିକ ବୋଲି ଦର୍ଶାଇ କୋର୍ଟ ସ୍ୱାମୀଙ୍କ ଅପିଲକୁ ଖାରଜ କରିଦେଇଛନ୍ତି।