News7 Logo

ଦିଲ୍ଲୀ କୋର୍ଟରୁ ସୋନିଆ ଗାନ୍ଧୀଙ୍କୁ ଆଶ୍ୱସ୍ତି, ଭୋଟର ଲିଷ୍ଟ ସହ ଜଡିତ ଆବେଦନ ଖାରଜ

NEWS7
sonia gandhi

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ଭାରତୀୟ ନାଗରିକ ହେବାର ତିନି ବର୍ଷ ପୂର୍ବରୁ ସୋନିଆଙ୍କ ନାଁ ଭୋଟର ଲିଷ୍ଟରେ ସାମିଲ କରିବା ଅଭିଯୋଗ ଉପରେ ଦାଖଲ ଆବେଦନକୁ କୋର୍ଟ ଖାରଜ କରିଛନ୍ତି । ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ ବୈଭବ ଚୌରସିଆ ଏହି ଆବେଦନ ଖାରଜ କରିଛନ୍ତି ।

ଆବେଦନକାରୀ ବିକାଶ ତ୍ରିପାଠୀ ପକ୍ଷରୁ ବରିଷ୍ଠ ଆଇନଜୀବୀ ପବନ ନାରଙ୍ଗ ଏହି ଆବେଦନ କରିଥିଲେ । ଏଥିରେ ସେ କହିଥିଲେ, ୧୯୮୦ ଜାନୁଆରୀରେ ସୋନିଆ ଗାନ୍ଧୀଙ୍କ ନାଁ ନୂଆଦିଲ୍ଲୀ ନିର୍ବାଚନ କ୍ଷେତ୍ର ଭୋଟର ତାଲିକାରେ ଯୋଡ଼ା ଯାଇଥିଲା । କିନ୍ତୁ ସେତେବେଳେ ସେ ଭାରତୀୟ ନାଗରିକ ହୋଇନଥିଲେ । ସେ କହିଛନ୍ତି, ଯଦି ସୋନିଆ ଗାନ୍ଧୀ ଭାରତର ନାଗରିକ ଥିଲେ, ତେବେ ୧୯୮୨ରେ ତାଙ୍କ ନାଁ କାହିଁକି ହଟାଗଲା ? ସେହି ସମୟରେ ନିର୍ବାଚନ ଆୟୋଗ ଦୁଇ ଜଣଙ୍କ ନାଁ ହଟାଇଥିଲେ, ଗୋଟିଏ ନାଁ ହେଉଛି ସଞ୍ଜୟ ଗାନ୍ଧୀ, ଅନ୍ୟଜଣେ ଥିଲେ ସୋନିଆ ଗାନ୍ଧୀ ।

ସେପ୍ଟେମ୍ୱର ୪ରେ ଶୁଣାଣି ବେଳେ ପବନ ନାରଙ୍ଗ କହିଥିଲେ, ସୋନିଆ ଗାନ୍ଧୀଙ୍କ ନାଁ ୧୯୮୦ରେ ନୂଆଦିଲ୍ଲୀ ନିର୍ବାଚନ କ୍ଷେତ୍ର ଭୋଟର ତାଲିକାରେ ସାମିଲ ଥିଲା । କିନ୍ତୁ ୧୯୮୨ରେ ହଟାଇ ଦିଆଯାଇଥିଲା ଓ ପରେ ୧୯୮୩ରେ ଭାରତୀୟ ନାଗରିକ ହେବା ପରେ ଭୋଟର ଲିଷ୍ଟରେ ନାଁ ଯୋଡ଼ା ଯାଇଥିଲା । ଏହି ଆବେଦନକୁ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୭୫ (୪) ଅଧିନରେ ଦାଖଲ କରାଯାଇଥିଲା । ଏହି ଅଭିଯୋଗର ପୋଲିସ ତଦନ୍ତ ପାଇଁ ଦାବି କରାଯାଇଥିଲା । କିନ୍ତୁ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି ।