ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଡିପ୍ ଡିପ୍ରେସନ୍ର ପ୍ରଭାବରେ ଆନ୍ଧ୍ରପ୍ରଦେଶଠାରୁ ଓଡ଼ିଶା ଯାଏଁ ପ୍ରବଳ ବର୍ଷା ଜାରି ରହିଛି। ଲଗାଣ ବର୍ଷାରେ ଉପକୂଳ ଆନ୍ଧ୍ରର ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ କେତେକ ସ୍ଥାନରେ ଗଛ ଉପୁଡ଼ିବା ସହ ବିଦ୍ୟୁତ୍ ସରବରାହ ମଧ୍ୟ ପ୍ରଭାବିତ ହୋଇଛି। ଏପଟେ ଦକ୍ଷିଣ ଓଡ଼ିଶାରେ ବି ଏହାର ପ୍ରଭାବରେ ବର୍ଷା ଜାରି ରହିଛି।

ସୂଚନା ଅନୁସାରେ, ସେପ୍ଟେମ୍ବର ୨୩ ତାରିଖ ରାତି ପ୍ରାୟ ୧୧ଟାରୁ ୨୪ ତାରିଖ ଭୋର ୧ଟା ମଧ୍ୟରେ ଡିପ୍ ଡିପ୍ରେସନ୍ଟି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟଦେଇ ଅତିକ୍ରମ କରିଥିଲା। କଳିଙ୍ଗପଟ୍ଟନମର ଦକ୍ଷିଣ-ପଶ୍ଚିମ ଅଞ୍ଚଳ ନିକଟରେ ଏହା ସ୍ଥଳଭାଗ ଛୁଇଁଥିଲା। ସେତେବେଳେ ସିଷ୍ଟମ୍ର ସର୍ବାଧିକ ନିରନ୍ତର ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ରହିଥିବା ବେଳେ ଝଟକା ପବନର ବେଗ ୭୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିଥିଲା।

୨୪ ତାରିଖ ସକାଳ ୫ଟା ୩୦ ସୁଦ୍ଧା ଏହି ସିଷ୍ଟମ୍ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ନିକଟରେ କେନ୍ଦ୍ରୀଭୂତ ଥିଲା। ଏହା କଳିଙ୍ଗପଟ୍ଟନମ ଠାରୁ ପ୍ରାୟ ୫୦ କିଲୋମିଟର ପଶ୍ଚିମରେ, ବିଶାଖାପାଟଣାଠାରୁ ପ୍ରାୟ ୮୦ କିଲୋମିଟର ଉତ୍ତର-ପୂର୍ବରେ ଏବଂ ଗୋପାଳପୁରଠାରୁ ପ୍ରାୟ ୧୭୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ରହିଥିଲା। ଗତ ୬ ଘଣ୍ଟାରେ ଏହା ମାତ୍ର ଘଣ୍ଟାପ୍ରତି ପ୍ରାୟ ୩ କିଲୋମିଟର ବେଗରେ ଅତ୍ୟନ୍ତ ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି।

ସିଷ୍ଟମ୍ର ଗତି ଧୀର ଥିବାରୁ ଗୋଟିଏ ଅଞ୍ଚଳରେ ଦୀର୍ଘ ସମୟ ଧରି ବର୍ଷା ହେବାର ସମ୍ଭାବନା ବଢ଼ିଯାଇଛି। ବିଶାଖାପାଟଣାର ପେଡ୍ଡା ୱାଲଟେୟାରରେ ୨୭୮ ମିଲିମିଟର ବର୍ଷା ରେକର୍ଡ ହୋଇଛି। ବିଶାଖାପାଟଣାର ଅନ୍ୟ କେତେକ ଅଞ୍ଚଳରେ ମଧ୍ୟ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି।

ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ ଓ ହଠାତ୍ ବନ୍ୟା ଆଶଙ୍କା ବଢ଼ିଛି। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ମଧ୍ୟ ରହିଛି। ବର୍ଷା ଯୋଗୁଁ ରାସ୍ତାଘାଟରେ ପାଣି ଜମିବା ସହ ଯାତାୟାତ ବ୍ୟାହତ ହୋଇଛି। କେତେକ ସ୍ଥାନରେ ଗଛ ପଡ଼ିଥିବା ଏବଂ ବିଦ୍ୟୁତ୍ ବ୍ୟବସ୍ଥା ପ୍ରଭାବିତ ହୋଇଥିବା ଖବର ମଧ୍ୟ ମିଳିଛି।

ଏପଟେ ଓଡ଼ିଶାର ଦକ୍ଷିଣ ଅଞ୍ଚଳରେ ମଧ୍ୟ ସିଷ୍ଟମ୍ର ପ୍ରଭାବ ଅନୁଭୂତ ହୋଇଛି। ମତ୍ସ୍ୟଜୀବୀଙ୍କ ପାଇଁ ମଧ୍ୟ ସତର୍କତା ଜାରି ରହିଛି। ସମୁଦ୍ରର ସ୍ଥିତି ଅଶାନ୍ତ ରହିପାରୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ସତର୍କ କରାଯାଇଛି।

ପାଣିପାଗ ବିଭାଗର ଆକଳନ ଅନୁସାରେ, ଡିପ୍ ଡିପ୍ରେସନ୍ଟି ଆଗାମୀ କିଛି ଘଣ୍ଟା ନିଜର ତୀବ୍ରତା ବଜାୟ ରଖି ଉତ୍ତର-ପଶ୍ଚିମ ଦିଗକୁ ଗତି କରିପାରେ। ପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ମୁହାଁଇ ଧୀରେ ଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି। ତଥାପି ଆଗାମୀ ଗୋଟିଏ ଦିନ ଧରି କେତେକ ଅଞ୍ଚଳରେ ଭାରି ବର୍ଷା ଜାରି ରହିପାରେ।

ବିଶେଷଜ୍ଞଙ୍କ ମତର, ଧୀର ଗତିରେ ଗତି କରୁଥିବା ପାଣିପାଗ ସିଷ୍ଟମରେ ଗୋଟିଏ ଅଞ୍ଚଳରେ ଅଧିକ ସମୟ ବର୍ଷା ହେବାରୁ ଜଳବନ୍ଦୀ ସମସ୍ୟା ଅଧିକ ଗମ୍ଭୀର ହୋଇପାରେ। ଏହାସହ ନଦୀ, ନାଳ ଓ ଜଳାଶୟରେ ଜଳସ୍ତର ହଠାତ୍ ବଢ଼ିବାର ଆଶଙ୍କା ରହିଛି। ତେଣୁ ତଳିଆ ଅଞ୍ଚଳରେ ରହୁଥିବା ଲୋକେ ବିଶେଷ ସତର୍କ ରହିବା ଜରୁରୀ। ବିଦ୍ୟୁତ୍ ବିଭ୍ରାଟ, ଯାତାୟାତ ବାଧା ଓ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହେବାର ସମ୍ଭାବନାକୁ ଦେଖି ଆବଶ୍ୟକ ସାମଗ୍ରୀ ପୂର୍ବରୁ ପ୍ରସ୍ତୁତ ରଖିବା ଆବଶ୍ୟକ।