ପୟନୁର ୧୬।୧୧: କେରଳ ପୟନୁରରେ ବିଶେଷ ଗହନ ସଂଶୋଧନ (ଏସଆଇଆର) କାମର ଅତ୍ୟଧିକ ଚାପ ସହି ନ ପାରି ଅନିଶ ଜର୍ଜ ନାମକ ଜନୈକ ବୁଥ ଲେବୁଲ ଅଫିସର (ବିଏଲଓ) ଆତ୍ମହତ୍ୟା କରିଛନ୍ତି। ଏହି ଦୁଃଖଦ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପରିବାର ଓ ନିକଟ ସମ୍ପର୍କୀୟ ସ୍ପଷ୍ଟ ଅଭିଯୋଗ କରିଛନ୍ତି ଯେ ଏସଆଇଆରରେ ଅତ୍ୟଧିକ କାମର ଚାପ ତାଙ୍କୁ ମାନସିକ ରୂପେ ଭାଙ୍ଗି ଦେଇଥିଲା। ପୋଲିସ ମାମଲର ତଦନ୍ତ ଆରମ୍ଭ କରିଥିବା ବେଳେ ଏଫଆଇଆର ମଧ୍ୟ ରୁଜୁ ହୋଇଛି।

ପେଷାରେ ଏକ ସରକାରୀ ସ୍କୁଲ ପିଅନ ଥିବା ଜର୍ଜ ନିର୍ବାଚନ ଆୟୋଗ ଦ୍ୱାରା ନିଯୁକ୍ତ ବିଏଲଓ ରୂପେ ଡ୍ୟୁଟି କରୁଥିଲେ। ରବିବାର ମଧ୍ୟାହ୍ନରେ ତାଙ୍କ ମୃତ ଦେହ ଘରର ଛାତରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ଅନିଶ ଜର୍ଜଙ୍କ ନିକଟତମ ବନ୍ଧୁ ଶ୍ୟାମ କହିଛନ୍ତି ଯେ ସେ ଏସଆଇଆର କାମକୁ ନେଇ ଭୟାନକ ଚାପରେ ଥିଲେ, ଏଣୁ ସେ ପ୍ରାୟ ସମୟ ଚିନ୍ତିତ ରହୁଥିଲେ। ପରିବାର ଅଭିଯୋଗ କରିଛନ୍ତି ଯେ ସେ ଶନିବାର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଭୋଟର ସୂଚୀ ସଂଶୋଧନ ସମ୍ପର୍କିତ ଡାଟାକୁ ବ୍ୟବସ୍ଥିତ କରିବା ଓ ଏନୁମରେସନ ଫର୍ମ ପ୍ରସ୍ତୁତ କରିବାର କାମ କରୁଥିଲେ। ଘରକୁ ଘର ଯାଇ ଫର୍ମ ବାଣ୍ଟିବା ଓ ସେ ସବୁକୁ ସଂଗ୍ରହ କରିବା ତାଙ୍କ କାମ ଥିଲା। ଦାବି କରାଯାଉଛି ଯେ ଏହି କାମର ଚାପ ସହି ନ ପାରି ଅନିଶ ଶେଷରେ ଏହି ପଦକ୍ଷେପ ନେଇଛି।

ରବିବାର ଏହି ଘଟଣା ପରେ ରାଜ୍ୟରେ ଏସଆଇଆର ପ୍ରକ୍ରିୟାକୁ ନେଇ ବିବାଦ ଉପୁଜିଛି। କେରଳରେ କ୍ଷମତାସୀନ ସିପିଆଇ (ଏମ) ଓ ବିରୋଧୀ କଂଗ୍ରେସ କାମର ଚାପ ଉପରେ ପ୍ରଶ୍ନ ଉଠାଇଛନ୍ତି। ସ୍ଥାନୀୟ କଂଗ୍ରେସ ନେତା ରିଜିଲ ମକ୍କୁଟି ଅଭିଯୋଗ କରିଛନ୍ତି ଯେ ବିଜେପିର ଏଜେଣ୍ଡା ଲାଗୁ କରିବା ପାଇଁ ବିଏଲଓଙ୍କ ଶୋଷଣ କରାଯାଉଛି। ଏହି ଚାପ ଅନିଶ ଜର୍ଜ ଭଳି ଜଣେ ବିଶ୍ୱସ୍ଥ କର୍ମଚାରୀର ପ୍ରାଣ ନେଇଛି। ଉଲ୍ଲେଖଯୋଗ୍ୟଯେ ଠିକ୍ ସପ୍ତାହକ ପୂର୍ବରୁ ପଶ୍ଚିମବଙ୍ଗରେ ନମିତା ହାଂସଦା ନାମ୍ନୀ ଅନ୍ୟ ଜଣେ ବିଏଲଓଙ୍କ ମୃତ୍ୟୁରେ ଏପରି ବିବାଦ ଉପୁଜିଥିଲା। ପରିବାର ଅଭିଯୋଗ କରିଥିଲା ଯେ ଲଗାତାର କାମର ଚାପ ଯୋଗୁ ତାଙ୍କୁ ବ୍ରେନଷ୍ଟ୍ରୋକ ହୋଇଛି।

ନିର୍ବାଚନ ଆୟୋଗ କହିଛନ୍ତି ଯେ ଡିସେମ୍ବର ୪ ତାରିଖ ସୁଦ୍ଧା ବିଏଲଓ ଘରକୁ ଘର ଯାଇ ଫର୍ମ ବିତରଣ କରିବା ଓ ସଂଗ୍ରହ କରି ଜମା କରିବା କାମ ଚାଲିବ। ଏଥିରେ ଅନିଶଙ୍କ ପରିବାର ଏବେ ଯେଉଁ ଲୋକଙ୍କ ଚାପ କାରଣରୁ ତାଙ୍କ ପୁଅର ମୃତ୍ୟୁ ହୋଇଛି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି।