ଭୁବନେଶ୍ୱର, ୨୭/୧୦: ବାତ୍ୟା ଆସିନି । ହେଲାଣି କଷଣ । ବିଶେଷ କରି ମାର୍କେଟରେ ଆଳୁ ଚଡକ । ଏମିତିକି ରାଜଧାନୀରେ ମାର୍କେଟରୁ ଗାୟବ ହୋଇଯାଇଛି ପ୍ରିୟ ପରିବା । ଶନିବାର ସକାଳୁ ନେଇ ଏପର୍ଯ୍ୟନ୍ତ ରବିବାର କୋଲକାତାରୁ ଭୁବନେଶ୍ୱରକୁ କୌଣସି ଆଳୁ ଗାଡ଼ି ଆସିନି । ଫଳରେ ବଜାରକୁ ଆଳୁ କେମିତି ଯୋଗାଣ କରାଯିବ ତାକୁ ନେଇ ଚିନ୍ତା ଘାରିଛି ।

ଗୋଟିଏ ପଟେ ବାତ୍ୟା ଭୟ ଘାରୁଥିବା ବେଳେ ଅନ୍ୟପଟେ ଆଳୁର ଅଭାବ ଗ୍ରାହକଙ୍କୁ ବୋଝ ହେବ । କେବଳ ସେତିକି ନୁହେଁ, ରବିବାର କିଛି ହାଟରେ ଆଳୁ କିଲୋ ପ୍ରତି ୨୫ ଟଙ୍କା ଓ ପିଆଜ ୩୦ ଟଙ୍କାରେ ବିକ୍ରି ହୋଇଛି । ଦିନକପୂର୍ବରୁ ଯେଉଁ ଆଳୁ ୨୦ ଓ ପିଆଜ ୨୫ଟଙ୍କାରେ ମିଳୁଥିଲା ତାହା ହଠାତ୍‌ ୫ଟଙ୍କା ଲେଖାଏଁ ବଢ଼ିଯିବା ତାଜୁବ କରିଛି । ବାତ୍ୟା ଆଳରେ କଳାବଜାରୀ ହେଉଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି । ତଥାପି ରାଜସ୍ୱମନ୍ତ୍ରୀ ବାତ୍ୟା ବେଳେ କଳାବଜାରୀ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ କେତେ ଦୂର ଏହା କାର୍ଯ୍ୟକାରୀ ହେବ ତାକୁ ଦେଖିବାକୁ ବାକି ରହିଲା ।

ଗତ କିଛିମାସ ହେଲା ଭୁବନେଶ୍ୱରରେ ଆଳୁ ଦର ଠିକ୍‌ଠାକ୍‌ ଥିଲା । ପାଇକାରୀ ତଥା ହାଟରେ ଆଳୁ କିଲୋପ୍ରତି ୨୦ଟଙ୍କାରେ ବିକ୍ରି ହେଉଥିଲା । କାର୍ତ୍ତିକ ମାସରେ ଅନ୍ୟ ପରିବା ଦର ବଢ଼ିଥିଲେ ହେଁ ଆଳୁ ଦର ସନ୍ତୋଷଜନକ ରହିଥିଲା । ହେଲେ ବାତ୍ୟା ନଆସୁଣୁ ଆଳୁକୁ ନେଇ ପୁଣି ଗୋଳମାଳ ଦେଖାଦେଇଛି । ଏବେ କୋଲାକାତାରୁ ପ୍ରତିଦିନ ୨୦୦ରୁ ୩୦୦ଟନ୍‌ ଆଳୁ ଭୁବନେଶ୍ୱରକୁ ଆସୁଥିଲା । ଦୈନିକ ଭୁବନେଶ୍ୱରରେ ୨୫୦ଟନ୍‌ ଆଳୁ ଆବଶ୍ୟକ ହେଉଥିବା ବେଳେ ପର୍ଯ୍ୟାପ୍ତ ଆଳୁ ବଜାରକୁ ଯାଉଥିଲା ।

କେବଳ ଭୁବନେଶ୍ୱର ହାଟ ନୁହେଁ ଉପକଣ୍ଠ ବାଲିଅନ୍ତା, ବାଲିପାଟଣା, ଚନ୍ଦକା, ଜଟଣୀ, ଖୋର୍ଦ୍ଧା, ପୁରୀ ଅଞ୍ଚଳକୁ ବି ଏଠାରୁ ଆଳୁ ଯାଏ । ହେଲେ କାଲିଠୁ କୋଲକାତାରୁ ଆଳୁଗାଡ଼ି ନଆସିବା ବ୍ୟବସାୟୀ ତଥା ଗୋଦାମମାଲିକଙ୍କ ଚିନ୍ତା ବଢ଼ାଇଦେଇଛି । ଯଦି ଆଗାମୀଦିନରେ ଗାଡ଼ି ନଆସେ ତେବେ ଆଳୁ ଦର ଆହୁରି ବଢ଼ିଯିବାର ଆଶଙ୍କା ଦେଖାଦେଇଛି । ଏଥିସହ ଉପକଣ୍ଠ ଅଞ୍ଚଳକୁ ବି ଆଳୁ ଯୋଗାଣରେ ବାଧା ସୃଷ୍ଟି ହେବ ।