କଟକ: ଆଜିକାର ଡିଜିଟାଲ ଯୁଗରେ ମଧ୍ୟ ବଞ୍ଚି ରହିଛି ତାଳପତ୍ର ଲେଖା, ତାଳପତ୍ରରେ ପୋଥି ଓ ଜାତକ ତିଆରି। କୂଳ ବେଉସାକୁ ବଞ୍ଚାଇ ରଖିଵା ପାଇଁ କିଛି ବ୍ୟକ୍ତି ଏବେ ଵି ତାଳପତ୍ର ଲେଖା ବଞ୍ଚେଇ ରଖିଛନ୍ତି। ଏହି ଭଳି ଜଣେ ବ୍ୟକ୍ତି ହେଉଛନ୍ତି କଟକ ସିଡିଏ ସେକ୍ଟର -୭ର କାଠଯୋଡି ବିହାର ବସ୍ତିରେ ରହୁଥିବା ପ୍ରମୋଦ ଗ୍ରହାଚାର୍ଯ୍ୟ। ସେପଟେ ଏଭଳି ପ୍ରାଚୀନ ପରମ୍ପରାର ସଂରକ୍ଷଣ ପାଇଁ ସରକାର ହାତ ଵଢାଇଵା ଆଵଶ୍ୟକ ବୋଲି ମତ ଦିଅନ୍ତି ବୁଦ୍ଧିଜୀବୀ।

କଟକ ସିଡିଏ ସେକ୍ଟର -୭ର କାଠଯୋଡି ବିହାର ବସ୍ତିରେ ରହୁଥିବା ପ୍ରମୋଦ ଗ୍ରହାଚାର୍ଯ୍ୟ। କେନ୍ଦ୍ରାପଡ଼ା ଜିଲ୍ଲା ଵସପୁରର ମୁଳ ବାସିନ୍ଦା ପ୍ରମୋଦ କାଠଯୋଡି ବିହାର ବସ୍ତିରେ ରହି ଜାତକ କାମ କରୁଛନ୍ତି। ତେବେ ପ୍ରମୋଦଙ୍କ ବିଶେଷ କଥା ହେଉଛି, ଆଜିକାଲିର ଡିଜିଟାଲ ଯୁଗରେ ଵି ପ୍ରମୋଦ ତାଳପତ୍ରରେ ଜାତକ ତିଆରି କରିବା ସହ ପୋଥି ମଧ୍ୟ ଲେଖୁଛନ୍ତି। ଏହା ସହ ତାଳପତ୍ରରେ ଶ୍ରୀମଦ୍ ଭଗବତ ଗୀତା ଓ ରାମାୟଣ ମଧ୍ୟ ଲେଖିଛନ୍ତି ପ୍ରମୋଦ ଗ୍ରହାଚାର୍ଯ୍ୟ।

Also Read: ସାପ ସହ ଦୁଇ ଘଣ୍ଟା ସଂଘର୍ଷ, ପକ୍ଷାଘାତ ରୋଗୀଙ୍କ ହାତକୁ ଚେୟାରରେ ବାନ୍ଧି ରଖିଥିଲା ବିଷଧର ସର୍ପ

ଆଜିକାଲିର ଡିଜିଟାଲ ଯୁଗରେ ବି ପ୍ରମୋଦଙ୍କ ତାଳପତ୍ର ଲେଖା ପ୍ରତି ଲୋକଙ୍କର ବେଶ୍ ଆଗ୍ରହ ରହିଛି। ପ୍ରମୋଦଙ୍କ କହିଵା ଅନୁସାରେ ଏହି ପେଶାରେ ଆଖି ଓ ହାତ କାମ କରୁଥିବା ପର୍ଯ୍ୟନ୍ତ ରୋଜଗାର ଚାଲୁ ରହିବ। ତାଳପତ୍ର ପୋଥିକୁ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ କରି ରଖିବା ପାଇଁ ତାଳପତ୍ରର ବିଶେଷ ପ୍ରକ୍ରିୟାକରଣ କରାଯାଇଥାଏ ବୋଲି କହିଛନ୍ତି ପ୍ରମୋଦ।

ଏଭଳି ପ୍ରକ୍ରିୟାକରଣ ଦ୍ବାରା ତାଳପତ୍ର ପୋଥି ଅତି କମରେ ଷାଠିଏ ରୁ ସତୁରି ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରହିବ ବୋଲି କହିଛନ୍ତି ପ୍ରମୋଦ। ଏହି ପ୍ରାଚୀନ ପରମ୍ପରାକୁ ଆପଣେଇ ପ୍ରମୋଦଙ୍କ ଭଳି ଆଜି ବି କିଛି ଲୋକ ପେଟ ପୋଷୁଛନ୍ତି। ଯେଉଁ ପ୍ରୟାସ ମାଧ୍ୟମରେ ପରମ୍ପରା ବି ବଞ୍ଚୁଛି ଓ ପେଟ ଵି ପୁରୁଛି, ସେଭଳି ପରମ୍ପରା କିଭଳି ଵଞ୍ଚି ରହିଵ, ସରକାର ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି କୁହନ୍ତି ବୁଦ୍ଧିଜୀବୀ।

ତାଳପତ୍ର ପୋଥି ଲେଖୁଥିବା ବ୍ୟକ୍ତି ମାନଙ୍କୁ ତାଳପତ୍ରରେ ପଟ୍ଟଚିତ୍ର, ଆଦିବାସୀ ଚିତ୍ର କରିବା ଭଳି ପ୍ରଶିକ୍ଷଣ ଦିଆଯାଇ ପାରିଲେ, ସେମାନଙ୍କ ହାତକୁ ରୋଜଗାର ମିଳିଵା ସହ ଏହି ପ୍ରାଚୀନ କଳା ଵଞ୍ଚି ରହି ପାରନ୍ତା।