ଭୁବନେଶ୍ବର ୧୧:ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ଶଙ୍କର ପୃଷ୍ଟିର କେୟାରଟେକର ଗିରଫ । କେୟାରଟେକର ସାଗର ଗୌଡ଼କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ସାଗର ଜରିଆରେ ଏଜେଣ୍ଟଙ୍କ ସହ ଲିଙ୍କ୍ରେ ଆସୁଥିଲା ଶଙ୍କର । ଦିଘା ମଡ଼୍ୟୁଲକୁ ଅପରେଟ୍ କରୁଥିଲା ସାଗର । ଗତକାଲି ଏହି କେସ୍ର ସିବିଆଇ ତଦନ୍ତ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ପରେ କ୍ରାଇମବ୍ରାଞ୍ଚ ସହ ସିବିଆଇ ଯୋଗାଯୋଗରେ ରହିଛି ।

ଓଡ଼ିଶା ପୋଲିସ ସବ୍-ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାର ତଦନ୍ତ କେନ୍ଦ୍ରୀୟ ଅନୁସନ୍ଧାନ ସଂସ୍ଥା ସିବିଆଇ ଦ୍ୱାରା କରାଯିବ । ଏଥିପାଇଁ କେନ୍ଦ୍ର ସରକାର ଆବଶ୍ୟକ ଅନୁମୋଦନ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ପୋଲିସ ସବ୍-ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ହେବା ପରେ ରାଜ୍ୟ ସରକାରଙ୍କ କ୍ରାଇମବ୍ରାଞ୍ଚ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଉଥିଲା । ତେବେ ଏହି ତଦନ୍ତରୁ ଦୁର୍ନୀତିର ଚେର ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ସହିତ ଅନ୍ୟାନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପୀ ଥିବାର ସନ୍ଦେହ କରାଯାଉଛି । ଏଥିରେ ଆନ୍ତରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ଥିବାର ସନ୍ଦେହ ମଧ୍ୟ ରହିଛି ।

ତେଣୁ ଏହାର ଉପଯୁକ୍ତ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ଗ୍ରହଣ କରି କେନ୍ଦ୍ର ସରକାର ଏହାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାରେ ଦୁର୍ନୀତି ପାଇଁ ହୋଇଥିବା ଉଦ୍ୟମ, ପ୍ରୋତ୍ସାହନ ଓ ଷଡଯନ୍ତ୍ର ସମ୍ପର୍କରେ ସିବିଆଇ ତଦନ୍ତ କରିବ ।