News7 Logo

ଦୁର୍ବଳ ହୋଇପଡିଛି ମାଓ ସଂଗଠନ, ସରକାରଙ୍କ ସହ ଶାନ୍ତିପୂର୍ଣ୍ଣ ଆଲୋଚନା କରିବାକୁ ଚାହୁଁଛନ୍ତି ଲାଲ୍ ବାହିନୀ

NEWS7
Maoist

ମାଲକାନଗିରି ୧୮୯: ସୁରକ୍ଷାକର୍ମୀଙ୍କ ଜୋରଦାର ଅପରେସନ ପରେ ଶେଷରେ ହାର ମାନିଲେ ମାଓ ସଂଗଠନ । ଅସ୍ତ୍ରଶସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ଲାଗି ପ୍ରେସ୍ ବିଜ୍ଞପ୍ତି ଜାରି କଲେ ମାଓବାଦୀଙ୍କ କେନ୍ଦ୍ରୀୟ କମିଟି ପ୍ରବକ୍ତା ଅଭୟ । ଏଥିପାଇଁ ସରକାରଙ୍କ ସହ ଶାନ୍ତିପୂର୍ଣ୍ଣ ଭାବେ ଆଲୋଚନା କରିବାକୁ ଚାହୁଁଛନ୍ତି ଲାଲ୍ ବାହିନୀ । ମାଓ ସଂଗଠନର ମହାସଚିବ ବାସବ ରାଜୁଙ୍କ ଏନକାଉଣ୍ଟର ପରେ ମାଓ ସଂଗଠନ ଦୁର୍ବଳ ହୋଇ ପଡିଥିବା ନେଇ ସୂଚନା ଦେଇଛନ୍ତି ଅଭୟ ।

ଗତ ୬ ମାସ ମଧ୍ୟରେ ଅନେକ ବଡ ବଡ ମାଓ ନେତା ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି । ହେଲେ ଏବେ ସଂଗଠନରେ ରହିଯାଇଥିବା ହାତ ଗଣତି ମାଓବାଦୀ ଆଉ ବନ୍ଧୁକ ଧରି ଲଢେଇ କରିବାକୁ ଚାହୁଁ ନାହାନ୍ତି ବୋଲି ଅଭୟ କହିଛନ୍ତି । ସରକାରଙ୍କ ସହ ଶାନ୍ତି ଆଲୋଚନା କରି ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଚାହୁଁଛନ୍ତି । ତେବେ ସାଧାରଣ ଆଦିବାସୀ ଲୋକଙ୍କ ହକ୍ ଲାଗି ମାଓବାଦୀଙ୍କ ଚେଷ୍ଟା ଜାରି ରହିବ ବୋଲି ଅଭୟ କହିଛନ୍ତି ।

ମାଓବାଦୀଙ୍କ ଏହି ଚିଠି ଓ ଅଡିଓ ଗଣମାଧ୍ୟମ ପାଖରେ ପହଞ୍ଚିବା ପରେ ପ୍ରତିକ୍ରିୟା ରଖିଛନ୍ତି ଛତିଶଗଡ ଉପମୁଖ୍ୟମନ୍ତ୍ରୀ ତଥା ଗୃହ ମନ୍ତ୍ରୀ ବିଜୟ ଶର୍ମା । ବିଜୟ ଶର୍ମା କହିଛନ୍ତି ଯେ, ମାଓବାଦୀଙ୍କ ଏହି ଚିଠିରେ ଅଗଷ୍ଟ ୧୫ ତାରିଖ ଲେଖା ରହିଥିବା ବେଳେ ଏତେ ଡେରିରେ କାହିଁକି ଗଣମାଧ୍ୟମ ପାଖରେ ପହଞ୍ଚିଲା ତାର ତଦନ୍ତ କରୁଛି ପୋଲିସ । ଅନ୍ୟପଟେ ମାଓ ସଂଗଠନ ଯଦି ହିଂସାର ରାସ୍ତା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବାକୁ ଚାହୁଁଛନ୍ତି ତାହା ହେଲେ ପ୍ରେସ୍ ବିଜ୍ଞପ୍ତି ଜାରି କରିବା ପରେ ଶିକ୍ଷା ଅଧିକାରୀ ଓ ସାଧାରଣ ଆଦିବାସୀ ଲୋକଙ୍କୁ କାହିଁକି ହତ୍ୟା କରିଛନ୍ତି ମାଓବାଦୀ । ତେଣୁ ସମସ୍ତ ଦିଗକୁ ନେଇ ସରକାର ବିଚାର କରୁଛନ୍ତି ବୋଲି ଗୃହ ମନ୍ତ୍ରୀ ବିଜୟ ଶର୍ମା କହିଛନ୍ତି ।