କୋଭିସିଲ୍ଡରୁ ସାଇଡ୍ ଇଫେକ୍ଟ; ବ୍ରେନ୍ ଷ୍ଟ୍ରୋକ୍ ଓ ହାର୍ଟ ଆଟାକ୍ ଆଶଙ୍କା, କୋର୍ଟରେ ମାନିଲା ଆଷ୍ଟ୍ରାଜେନେକା

Published By : Prameya-News7 Bureau | April 30, 2024 IST

ନୂଆଦିଲ୍ଲୀ: ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା କୋଭିଡ ଟିକାକୁ ନେଇ ବଡ଼ ଖୁଲାସା । କୋଭିସିଲ୍ଡ ଟିକା ବିପଦଜନକ । ଶରୀରରେ ରକ୍ତ ଜମାଟ ବାନ୍ଧିବା ସହିତ ମସ୍ତିଷ୍କଘାତ ଏବଂ ହୃଦଘାତର ଆଶଙ୍କା ରହିଛି । କୋଭିସିଲ୍ଡ ଟିକାରୁ ବିରଳ ସାଇଡ୍ ଇଫେକ୍ଟ । ଏହାକୁ ପ୍ରସ୍ତୁତ କରିଥିବା ବ୍ରିଟିଶ୍ ଫାର୍ମା କମ୍ପାନି ଆଷ୍ଟ୍ରାଜେନେକା ଏନେଇ ବ୍ରିଟେନ୍‌ ହାଇକୋର୍ଟରେ ସ୍ୱୀକାର କରିଛି ଯେ ଏହାର କୋଭିଡ ଟିକାରେ ବିରଳ ପାଶ୍ୱର୍ପ୍ରତିକ୍ରିୟା ରହିଛି । ଅଦାଲତରେ ଦାଖଲ କରିଥିବା ନିଜ ଦସ୍ତାବିଜରେ କମ୍ପାନି ପ୍ରଥମ ଥର ପାଇଁ ଖୁଲାସା କରିଛି ଯେ କୋଭିଡ-୧୯ ଟିକା ଦ୍ୱାରା ‘ଟିଟିଏସ୍‌ ବା ଥ୍ରମ୍ବୋସିସ୍‌ ୱିଥ୍‌ ଥ୍ରମ୍ବୋସାଇଟୋପେନିଆ ସିଣ୍ଡ୍ରୋମ୍‌’ ଭଳି ବିରଳ ପାଶ୍ୱର୍ପ୍ରତିକ୍ରିୟା ଦେଖାଦେଇପାରେ । ଯାହା ଦ୍ବାରା ବ୍ରେନ୍ ଷ୍ଟ୍ରୋକ୍ ଓ ହାର୍ଟ ଆଟାକର କାରଣ ସାଜିପାରେ ।

ଫାର୍ମା କମ୍ପାନି ଆଷ୍ଟ୍ରାଜେନେକା ନିଜ ଟିକାକୁ ଅନେକ ଦେଶରେ କୋଭିସିଲ୍ଡ ଏବଂ ଭାକ୍ସଜେଭ୍‌ରିଆ ବ୍ରାଣ୍ଡ୍‌ ନାମରେ ବିକ୍ରି କରିଥିଲା । କରୋନା ଭୂତାଣୁରୁ ସୁରକ୍ଷା ନିମନ୍ତେ ଭାରତରେ ବହୁଳ ଭାବେ କୋଭିସିଲ୍ଡ ଟିକା ବ୍ୟବହୃତ ହୋଇଥିଲା ।   ଏବେ ଏଥିରେ ଟିଟିଏସ୍‌ ପାଶ୍ୱର୍ପ୍ରତିକ୍ରିୟା ଥିବା ନେଇ ଜଣାପଡ଼ିଛି । ଟିଟିଏସ୍‌ ପ୍ରଭାବରେ ଶରୀରରେ ରକ୍ତ ଜମାଟ ବାନ୍ଧିବା ସ୍ଥିତି ଉପୁଜିଥାଏ । ଏହାକୁ ‘ବ୍ଲଡ୍‌ କ୍ଲଟ୍‌’ କୁହାଯାଏ । ବ୍ଲଡ୍‌ କ୍ଲଟ୍‌ ଯୋଗୁ ମସ୍ତିଷ୍କାଘାତ ଓ ହୃଦ୍‌ଘାତ ଭଳି ଆଶଙ୍କା ବଢ଼ିଯାଏ । ଏହାବ୍ୟତୀତ ଏହି ସିଣ୍ଡ୍ରୋମ୍‌ ଶରୀରରେ ପ୍ଲେଟ୍‌ଲେଟ୍‌ସ କମିବାର କାରଣ ସାଜିପାରେ ।

ଜେମି ସ୍କଟ୍‌ ନାମକ ଜଣେ ବ୍ୟକ୍ତି ଏହି ଘଟଣାରେ ବ୍ରିଟେନ୍‌ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଷ୍ଟ୍ରାଜେନେକାର କୋଭିଡ ଟିକା ନେବା ପରେ ସେ ‘ବ୍ରେନ୍‌ ଡ୍ୟାମେଜ୍‌’ର ଶିକାର ହୋଇଥିବା କହିଥିଲେ । ଏହାଛଡ଼ା ଅନ୍ୟ କେତେକ ଲୋକ ମଧ୍ୟ ଅଦାଲତରେ ଏହାକୁ ନେଇ ଅଭିଯୋଗ କରିଥିଲେ । ଟିକା ନେବା ପରେ ସେମାନେ ପାଶ୍ୱର୍ପ୍ରତିକ୍ରିୟାର ଶିକାର ହୋଇଥିବା କହିଥିଲେ । ବର୍ତ୍ତମାନ ସେମାନେ ଏହାକୁ ନେଇ କମ୍ପାନି ଆଷ୍ଟ୍ରାଜେନେକାଠାରୁ କ୍ଷତିପୂରଣ ଦାବି କରିଛନ୍ତି । ଏବେ ଖୋଦ କମ୍ପାନି କୋର୍ଟରେ ବିରଳ ପାଶ୍ୱର୍ପ୍ରତିକ୍ରିୟା ନେଇ ସ୍ୱୀକାର କରିବା ପରେ ଏହା ଖୁଲାସା ହୋଇଛି ।

କରୋନା ମହାମାରୀ ବେଳେ ବ୍ରିଟେନ୍‌ର ଅକ୍ସଫୋର୍ଡ ୟୁନିଭର୍ସିଟି ସହ ଚୁକ୍ତି କରି ଆଷ୍ଟ୍ରାଜେନେକା କୋଭିଡ ଟିକା ବିକଶିତ କରିଥିଲା । କ୍ଲିନିକାଲ୍‌ ଟେଷ୍ଟରୁ ସଫଳତା ମିଳିବା ପରେ ଏହା ଭାରତ ସମେତ ବିଭିନ୍ନ ଦେଶକୁ ଯୋଗାଯାଇଥିଲା । ଭାରତରେ ପୁନେଭିତ୍ତିକ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ସହ ଚୁକ୍ତି ଦ୍ୱାରା ଦେଶରେ ଟିକା ଉତ୍ପାଦନ କରିଥିଲା ଆଷ୍ଟ୍ରାଜେନେକା । ଏହାକୁ ଭାରତରେ କୋଭିସିଲ୍ଡ ଟିକା ନାମରେ ବଜାର ପ୍ରବେଶ କରାଯାଇଥିଲା । ଦେଶରେ ଏହି ଟିକାର ମୋଟ ୧୭୪.୯୪ କୋଟିରୁ ଅଧିକ ଡୋଜ୍‌ ଦିଆଯାଇଛି । ୨୦୨୧ ଜାନୁଆରୀରେ ବିଶ୍ୱର ସର୍ବବୃହତ ଟିକାକରଣ କାର୍ଯ୍ୟକ୍ରମ ଭାରତରେ ଚାଲିଥିଲା 

 

  • Covid
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.