ଜୁନ୍ ୨୮ରେ ଇରାନରେ ରାଷ୍ଟ୍ରପତି ନିର୍ବାଚନ; ରଈସୀଙ୍କ ହେଲିକପ୍ଟର କ୍ରାସର ଯାଞ୍ଚ ଆରମ୍ଭ

Published By : Prameya-News7 Bureau | May 21, 2024 IST

ନୂଆଦିଲ୍ଲୀ: ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରହିମ୍ ରଈସୀଙ୍କ ମୃତ୍ୟୁ ପରେ ନୂଆ ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଆସନ୍ତା ଜୁନ୍ ୨୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ । ଅନ୍ୟପଟେ ହେଲିକପ୍ଟର ଦୁର୍ଘଟଣାର ଯାଞ୍ଚ ପାଇଁ ଇରାନ ସରକାର ଯାଞ୍ଚ କମିଟି ମଧ୍ୟ ଗଠନ କରିଛନ୍ତି । ଏହା ସହିତ ଦେଶରେ ୫ ଦିନିଆ ଶୋକ ଘୋଷଣା ସହିତ ୭ଦିନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ କରିବାକୁ ଘୋଷଣା ହୋଇଛି । 

ରାଷ୍ଟ୍ରପତିଙ୍କ ହେଲିକପ୍ଟର ଦୁର୍ଘଟଣାର ଯାଞ୍ଚ ଆରମ୍ଭ ହୋଇଛି । ସଶସ୍ତ୍ର ବଳର ମୁଖ୍ୟ ଚିଫ୍ ଅଫ୍ ଷ୍ଟାଫ୍ ମେଜର ଜେନେରାଲ ମହମ୍ମଦ ବଘେରୀ ଏକ ଉଚ୍ଚ ପ୍ରତିନିଧି ମଣ୍ଡଳୀକୁ ଏହାର ଦାୟିତ୍ବ ଦେଇଛନ୍ତି । ବ୍ରିଗେଡିୟର ଅଲ୍ଲି ଅବ୍ଦୁଲ୍ଲାହୀଙ୍କ ନେତୃତ୍ବରେ ଯାଞ୍ଚ କମିଟିକୁ ଘଟଣାସ୍ଥଳକୁ ପଠାଯାଇଛି । ଇରାନୀ ନ୍ୟୁଜ୍ ଏଜେନ୍ସି ମୁତାବକ, ମିଶନ ପୂରା ହେବା ପରେ ଯାଞ୍ଚ ରିପୋର୍ଟ ଘୋଷଣା କରାଯିବ ।

ଏଜେନ୍ସି ଆଈଆରଏନଏ ସୂଚନା ଅନୁଯାୟୀ, ଇରାନର ନୂଆ ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ଜୁନ୍ ୨୮ ତାରିଖରେ ହେବ । ଏନେଇ ମେ’ ୩୦ରୁ ଜୁନ ୩ ତାରିଖ ଯାଏ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବେ ଏବଂ ଜୁନ୍ ୧୨ରୁ ୨୭ ମଧ୍ୟରେ ପ୍ରାର୍ଥୀମାନେ ପ୍ରଚାର କରିବେ । ଇରାନ ସମ୍ବିଧାନ ଅନୁଚ୍ଛେଦ ୧୩୧ ଅନୁଯାୟୀ, ପୂରୁଣା ରାଷ୍ଟ୍ରପତି ଯିବାର ୫୦ ଦିନ ମଧ୍ୟରେ ନୂଆ ରାଷ୍ଟ୍ରପତିଙ୍କ ନିର୍ବାଚନ ହେବାର ନିୟମ ରହିଛି । ଏହାରି ମଧ୍ୟରେ ସୁପ୍ରିମ୍ ଲିଡର ଆୟତୁଲ୍ଲାହ ଖୋମେନେଈ, ଉପ-ରାଷ୍ଟ୍ରପତି ମହମ୍ମଦ ମୋଖରଙ୍କୁ ରାଷ୍ଟ୍ରପତି ଦାୟିତ୍ବ ଦିଆଯାଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.