LIVE TV

ରାଞ୍ଚୀ ଦୁର୍ଗାପୂଜା ପେଣ୍ଡାଲକୁ ନେଇ ବିବାଦ, ଭଟିକାନ ସିଟି ଥିମରେ ହେଉଛି ପୂଜା ଆୟୋଜନ Watch Video

NEWS7
Ranchi Puja Pendal

ରାଞ୍ଚୀ ୨୬।୯: ଦୁର୍ଗାପୂଜା ପେଣ୍ଡାଲକୁ ନେଇ ରାଞ୍ଚୀରେ ବିବାଦ ଉପୁଜିଛି। ରାତୁ ରୋଡରେ ଆର.ଆର.ସ୍ପୋର୍ଟିଂ କ୍ଲବ ଦୁର୍ଗାପୂଜା କମିଟି ପୂଜା ପେଣ୍ଡାଲ ଲୋକଙ୍କୁ ଅସନ୍ତୁଷ୍ଟ କରିଛି। ଏହି ପେଣ୍ଡାଲର ଛବି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଲୋକେ ବିଭିନ୍ନ ପ୍ରକାରର କମେଣ୍ଟ କରୁଛନ୍ତି। ପୂଜା କମିଟି ଦ୍ୱାରା ଏଠାରେ ଭଟିକାନ ସିଟି ଥିମରେ ପେଣ୍ଡାଲ ନିର୍ମାଣ କରାଯାଇଛି। ଏହାକୁ ନେଇ ବିଶ୍ୱ ହିନ୍ଦୁ ପରିଷଦ (ବିହିପ) ଅସନ୍ତୋଷ ପ୍ରକାଶ କରିଛି। ଏହା ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଠେସ ପହଞ୍ଚାଇଛି ବୋଲି ବିହିପ କହିଛି।

ତେବେ ଆୟୋଜକ କହିଛନ୍ତି ଯେ ଭଟିକାନ ସିଟି ବିଶ୍ୱର ସବୁଠୁ କ୍ଷୁଦ୍ର ସାର୍ବ ଭୌମ ଦେଶ ଓ ରୋମାନ କ୍ୟାଥୋଲିକ ଚର୍ଚ୍ଚର କେନ୍ଦ୍ର। ଏହି ପୂଜା ପେଣ୍ଡାଲ ପାଇଁ ସ୍ପୋର୍ଟିଂ କ୍ଲବ ଚଳିତବର୍ଷ ୭୮ ଲକ୍ଷ ଟଙ୍କା ବ୍ୟୟ କରିଛି। ଏହି ପେଣ୍ଡାଲ ବାହାରେ ଇସାୟୀ ଧର୍ମ ସମ୍ପର୍କିତ ଅନେକ ମୂର୍ତ୍ତି ଲାଗିଛି। ଏହା ଛଡା ପେଣ୍ଡାଲ ଭିତରେ ମଧ୍ୟ ଖ୍ରୀଷ୍ଟିୟାନ ଧର୍ମର ପୋଷ୍ଟର ସବୁ ଲଗା ଯାଇଛି। ଦୂର୍ଗାପୂଜା ପେଣ୍ଡାଲରେ ଖ୍ରୀଷ୍ଟ ଧର୍ମର ଝଲକ ଦେଖି ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏବେ ସୋସିଆଲ ମିଡିଆରେ ଏହି ପୂଜା ପେଣ୍ଡାଲକୁ ଟ୍ରୋଲ କରାଯାଉଛି।

ପୂଜା ପେଣ୍ଡାଲ ପ୍ରବେଶ ଦ୍ୱାରରେ ଖ୍ରୀଷ୍ଟିୟ ଧାର୍ମିକ ପ୍ରତୀକ ରଖାଯାଇଛି। ସେହିପରି ପୂଜା ପେଣ୍ଡାଲ ଭିତରେ ମଦର ମେରୀ ଓ ଅନ୍ୟ ଇସାୟୀ ପାତ୍ରଙ୍କ ପୋଷ୍ଟର ସବୁ ଲାଗିଛି। ବିହିପ ଜାତୀୟ ମୁଖପାତ୍ର ବିନୋଦ ବଂସଲ କହିଛନ୍ତି ଯେ ସଙ୍ଗଠନର ଝାଡ଼ଖଣ୍ଡ ୟୁନିଟ୍ ଏ ନେଇ ନିଶ୍ଚିତ କଡ଼ା ନିଷ୍ପତ୍ତି ନେବ । ତେବେ ଆମେ ଆୟୋଜକଙ୍କୁ ହିନ୍ଦୁ ଧାର୍ମିକ ଭାବନାକୁ ସମ୍ମାନ କରିବାକୁ ଏ ପେଣ୍ଡାଲରୁ ଇସାୟୀ ପ୍ରତୀକ ଓ ଛବିକୁ ହଟାଇବାକୁ ନିବେଦନ କରିଛୁ ବୋଲି କହିଛନ୍ତି।

ତେବେ ଆର.ଆର. ସ୍ପୋର୍ଟିଂ କ୍ଲବର ଅଧ୍ୟକ୍ଷ ଭିକ୍କି ଯାଦବ ବିହିପ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଆମେ ଗତ ୫୦ ବର୍ଷ ହେଲା ଏଠାରେ ଦୁର୍ଗାପୂଜା ଆୟୋଜନ କରିଆସୁଛୁ। ଏଥିରେ ପ୍ରତିବର୍ଷ ଆମେ ଥିମ ଉପରେ ପୂଜା ଆୟୋଜନ କରୁଛୁ। ୨୦୨୨ ମସିହାରେ କୋଲକାତାର ଶ୍ରୀଭୂମି ସ୍ପୋର୍ଟିଂ କ୍ଲବ ଭଟିକାନ ସିଟି ଥିମରେ ପୂଜା ପେଣ୍ଡାଲ କରିଥିଲା ଓ ଏହା ଲୋକଙ୍କ ଦ୍ୱାରା ବେଶ୍ ଆଦ୍ରୁତ ମଧ୍ୟ ହୋଇଥିଲା। ଆମେ ଏବର୍ଷ ରାଞ୍ଚୀରେ ସେହି ଥିମକୁ ଦୋହରାଇବାକୁ ନିଷ୍ପତ୍ତି ନେଇଥିଲୁ।

ସେ କହିଛନ୍ତି ଦେବୀ ଦୁର୍ଗାଙ୍କ ପୃଷ୍ଠ ଭୂମିରେ ଆମେ ରୋମାନ ସ୍ଥାପତ୍ୟ ସ୍ଥଳ, ସେଣ୍ଟପିଟର୍ସ ବାସିଲିକା ଓ ଭଟିକାନ ସଂଗ୍ରହାଳୟ ନିର୍ମାଣ ନିମନ୍ତେ କୋଲକାତାରୁ କାରିଗରଙ୍କୁ ଡାକିଛୁ। ସେ କହିଛନ୍ତି ଯେ ଏହି ପେଣ୍ଡାଲ କୋଲକାତାରେ ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥିଲା। ଆମକୁ ରାଞ୍ଚୀବାସୀଙ୍କ ଠାରୁ ମଧ୍ୟ ସକରାତ୍ମକ ପ୍ରତିକ୍ରିୟା ମିଳିଛି। ସେ କହିଛନ୍ତି ଯେ ଆମେ ଏକ ଧର୍ମ ନିରପେକ୍ଷ ଦେଶରେ ରହୁଛେ ଓ ସବୁ ସମୂଦାୟର ଲୋକେ ପୂଜାର ଆନନ୍ଦ ନେଉଛନ୍ତି। ଆମେ ବୈଦିକ ପରମ୍ପରା ଅନୁସାରେ ପୂଜା କରୁଛେ ଓ ଆମେ କାହାର ଧାର୍ମିକ ଭାବନାକୁ ଠେସ ପହଞ୍ଚାଇବା ଭଳି କାମ କରୁ ନାହୁଁ।