ହରିୟାଣାର ରାଜନୀତି: ଖଟ୍ଟରଙ୍କ ଦ୍ୱାରରେ ଦୁଷ୍ୟନ୍ତଙ୍କ ୪ ବିଧାୟକ, ପାର୍ଟିରେ ବିଦ୍ରୋହ ସଂକେତ

Published By : Prameya-News7 Bureau | May 09, 2024 IST

ନୂଆଦିଲ୍ଲୀ: ହରିୟାଣାରେ ରାଜନୈତିକ ସଂକଟ ମଧ୍ୟରେ ବଡ଼ ଓଲଟପାଲଟ ଦେଖିବାକୁ ମିଳିପାରେ । କିଛି ଦିନ ପୂର୍ବେ ଏନଡିଏରୁ ଅଲଗା ହୋଇଥିବା ଜନନାୟକ ଜନତା ପାର୍ଟିର ନେତା ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ରାଜ୍ୟପାଳଙ୍କୁ ଚିଠି ଲେଖି ନାୟବ ସୈନି ସରକାରଙ୍କୁ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ପାଇଁ ଦାବି କରିଥିଲେ, କିନ୍ତୁ ଏବେ ଖବର ଆସୁଛି ଯେ ଚୌଟାଲାଙ୍କ ନିଜ ପାର୍ଟିରେ ସବୁକିଛି ଠିକ୍ ନାହିଁ ।

ସୂତ୍ର ଅନୁସାରେ ଜେଜେପିର ଚାରି ଜଣ ବିଧାୟକ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଭେଟିଛନ୍ତି । କୁହାଯାଉଛି ଯେ ଏହି ସମସ୍ତ ବିଧାୟକ ଦଳ ବଦଳାଇ ପାରନ୍ତି ଏବଂ ବିଜେପିରେ ଯୋଗ ଦେଇପାରନ୍ତି । ଉଲ୍ଲେଖଯୋଗ୍ୟ ଯେ ଜେଜେପି ପାଖରେ ୧୦ ଜଣ ବିଧାୟକ ଅଛନ୍ତି । ଯଦି ଏଥିରୁ ଚାରି ବିଧାୟକ ଅଲଗା ହୁଅନ୍ତି ତେବେ ସେମାନଙ୍କ ଉପରେ ଦଳ-ବଦଳ ଆଇନ ମଧ୍ୟ ଲାଗୁ ହେବ ନାହିଁ ।

ରିପୋର୍ଟରେ କୁହାଯାଇଛି ଯେ ଖଟ୍ଟରଙ୍କ ସହ ଜେଜେପି ବିଧାୟକଙ୍କ ବୈଠକ ପାନୀପତରେ ରାଜ୍ୟର ମନ୍ତ୍ରୀ ମହିପାଳ ଢାଣ୍ଡାଙ୍କ ଆବସରେ ଅପରାହ୍ଣରେ ହୋଇଥିଲା । ସୂତ୍ର ଅନୁସାରେ ବିଜେପିର ଏହି ଦୁଇ ବରିଷ୍ଠ ନେତାଙ୍କ ସହ ଜେଜେପିର ଚାରି ବିଧାୟକ ଉପସ୍ଥିତ ରହିଥିଲେ । ବୈଠକରେ ରାଜ୍ୟରେ ଜାରି ରାଜନୈତିକ ସଂକଟ ଉପରେ ଚର୍ଚ୍ଚା ହୋଇଛି । ତେବେ ମନ୍ତ୍ରୀ ଢାଣ୍ଡା ଏହା ଉପରେ କୌଣସି ଟିପ୍ପଣୀ କରିବାକୁ ମନା କରି ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଦୁଇ ଦିନ ପୂର୍ବେ ତିନି ନିର୍ଦଳୀୟ ବିଧାୟକ ରାଜ୍ୟର ବିଜେପି ସରକାରଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲେ । ଏହାପରେ ନାୟବ ସିଂ ସୈନି ସରକାର ସଂଖ୍ୟାବଳ ହରାଇଛି । ଏହାପରେ ଜନନାୟକ ଜନତା ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦୁଷ୍ୟନ୍ତ ଚୌଟାଲା ଆଜି ହରିୟାଣା ରାଜ୍ୟପାଳ ବଣ୍ଡାରୁ ଦତ୍ତାତ୍ରେୟଙ୍କୁ ଚିଠି ଲେଖି ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ପାଇଁ ଦାବି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.