ସୁପ୍ରିମକୋର୍ଟରେ ଅରବିନ୍ଦ କେଜରିୱାଲଙ୍କ ଜାମିନ ନିବେଦନକୁ EDର ଦୃଢ ବିରୋଧ, କହିଲା- ନିର୍ବାଚନ ପ୍ରଚାର ନୁହେଁ ମୌଳିକ ଅଧିକାର

Published By : Prameya-News7 Bureau | May 09, 2024 IST

ନୂଆଦିଲ୍ଲୀ ୯।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଜାମିନ ନିବେଦନକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ସପ୍ରିମକୋର୍ଟରେ ବିରୋଧ କରିଛି। କହିଛି ନିର୍ବାଚନ ପ୍ରଚାର ମୌଳିକ ଅଧିକାର ନୁହେଁ। କାହାକୁ ଅନ୍ତରୀଣ ଜାମିନ ପ୍ରଦାନ ନିମନ୍ତେ ଏହାକୁ ଆଧାର କରାଯାଇ  ନପାରେ। ଇଡି ସୁପ୍ରିମକୋର୍ଟଙ୍କୁ କହିଛି ଯେ ନିର୍ବାଚନ ବାହାନାରେ ମୁକ୍ତିର ଉଦ୍ୟମ କରାଯାଉଛି ଓ ଏହା ଦ୍ୱାରା ଭୁଲ ପରମ୍ପରା ସ୍ଥାପିତ ହେବ। ନିର୍ବାଚନ ଲଢୁଥିବା କୌଣସି ବ୍ୟକ୍ତିକୁ କେବେବି ଏହି ଆଧାରରେ ମୁକ୍ତ କରାଯାଇ ନାହିଁ। ଯଦି ଏପରି କରାଯାଏ ତେବେ କୌଣସି ନେତାକୁ ଗିରଫ କରିବା ଓ ହାଜତରେ ରଖିବା ଅସମ୍ଭବ ହେବ। 

ଇଡି କହିଛନ୍ତି ଯେ କାରଣ ଦେଶର ନିର୍ବାଚନ ହୋଇଥାଏ। ଗତ ୫ ବର୍ଷରେ ଦେଶରେ ୧୨୩ଥର ନିର୍ବାଚନ ହୋଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଅନ୍ତରୀଣ ଜାମିନ ନିବେଦନ ଉପରେ ସୁପ୍ରିମକୋର୍ଟ ୧୦ ମେ ଶୁକ୍ରବାର ତାଙ୍କର ରାୟ ଦେଇ ପାରନ୍ତି। ଏହା ପୂର୍ବରୁ ଇଡି ୯ ମେ ଗୁରୁବାର କୋର୍ଟରେ ସତ୍ୟପାଠ ଦାଖଲ କରିଛି। ମେ ୭ ତାରିଖ ଦିନ ସୁପ୍ରିମକୋର୍ଟ କେଜରିୱାଲଙ୍କ ଅନ୍ତରୀଣ ଜାମିନ ଉପରେ ତାଙ୍କ ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି। 

ତେବେ ଇଡିଙ୍କ ପକ୍ଷରୁ କୋର୍ଟରେ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କେଜରିୱାଲଙ୍କ ଅନ୍ତରୀଣ ଜାମିନକୁ ବିରୋଧ କରି କହିଛନ୍ତି ଯେ ଆପ୍ ରାଷ୍ଟ୍ରୀୟ ସଂଯୋଜକଙ୍କୁ ଅନ୍ତରୀଣ ଜାମିନ ଦେବା ରାଜନେତାଙ୍କ ଲାଗି ଏକ ଅଲଗା ବର୍ଗ  ସୃଷ୍ଟି କରିବା ଭଳି ହେବ। 

ଗତ ଶୁଣାଣି କାଳରେ ସୁପ୍ରିମକୋର୍ଟଙ୍କ ପୀଠ କେଜରିୱାଲଙ୍କ ଓକିଲଙ୍କୁ କହିଥିଲେ ଯେ ‘ପ୍ରଥମେ ଆମେ ଦେଖୁଛୁ ଅନ୍ତରୀଣ ଜାମିନ ଦେଇ ହେଉଛି କି ନାହିଁ’।  ଭାବନ୍ତୁ ଆମେ ନିର୍ବାଚନ ଲାଗି କେଜରିୱାଲଙ୍କୁ ଅନ୍ତରୀଣ ଜାମିନ ଦେଇଦେଲୁ ଆପଣ କହିବେ ଅଫିସରେ ଉପସ୍ଥିତ ହେବୁ, ତେବେ ଏହାର ପ୍ରଭାବ ପଡିବ। ଯଦି ଆମେ ଅନ୍ତରୀଣ ଜାମିନ ଦେଉ ଆମେ ଚାହିଁବୁ ଆପଣ ଅଧିକାରୀକ କର୍ତ୍ତବ୍ୟର ପାଳନ କରନ୍ତୁ। କାରଣ ଏହା ନ ହେଲେ କେଉଁଠି ନା କେଉଁଠି କ୍ଷତି ନିଶ୍ଚିତ ହେବ। ଏଣୁ ସରକାରୀ କାମରେ ଆମେ ଆପଣଙ୍କ ହସ୍ତକ୍ଷେପ ଆଦୌ ଚାହୁଁ ନାହୁଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.