ଭାରତକୁ ଫେରିଲା ବୁଦ୍ଧଙ୍କ ଅବଶେଷ, ୧୨୫ ବର୍ଷ ତଳେ ନେଇଯାଇଥିଲେ ଇଂରେଜ

NEWS7
brs-leader-k-kavita-apporch-to-delhi-high-court-for-bail

ନୂଆଦିଲ୍ଲୀ ୦୪।୦୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭଗବାନ ବୁଦ୍ଧଙ୍କ ସହ ଜଡି଼ତ ପବିତ୍ର ପିପରହୱା ଅବଶେଷର ଭବ୍ୟ ପ୍ରଦର୍ଶନୀକୁ ଉଦ୍ଘାଟନ କରିଛନ୍ତି । ଦକ୍ଷିଣ ଦିଲ୍ଲୀର କିଲା ରାୟ ପିଥୋରା ସାଂସ୍କୃତିକ ପରିସରରେ ‘ଦ ଲାଇଟ୍ ଆଣ୍ଡ ଦ ଲୋଟସ୍ : ରେଲିକ୍ସ ଅଫ୍ ଆୱେକେନ୍ଡ ୱାନ୍’ ନାମକ ଏହି ପ୍ରଦର୍ଶନୀର ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭଗବାନ୍ ବୁଦ୍ଧଙ୍କ ସହ ଜଡ଼ିତ ଅବଶେଷକୁ ଆମ ମଧ୍ୟରେ ପାଇ ଆମେ ଧନ୍ୟ । ଦୀର୍ଘ ୧୨୫ ବର୍ଷ ପରେ ଏହି ଐତିହ୍ୟ ଆମ ଦେଶକୁ ଫେରିଛି । ଆଜିଠାରୁ ଭାରତୀୟ ଜନସମାଜ ଭଗବାନ ବୁଦ୍ଧଙ୍କ ଏହି ପବିତ୍ର ଅବଶେଷ ଦର୍ଶନ କରିପାରିବେ । ଭଗବାନ ବୁଦ୍ଧଙ୍କ ଆଶୀର୍ବାଦ ନେଇପାରିବେ ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଏହି ଅବଶେଷ ଭାରତରୁ ବାହାରକୁ ଯିବା ଏବଂ ପୁଣି ଫେରିବା ଏକ ବଡ଼ ଶିକ୍ଷା । ଗୁଲାମୀ ସମୟରେ ଏହାକୁ ଦେଶରୁ ଛଡ଼ାଇ ନିଆଯାଇଥିଲା । ଯେଉଁମାନେ ଏହାକୁ ନେଇ ଯାଇଥିଲେ ସେମାନଙ୍କ ବଂଶଜଙ୍କ ଲାଗି ଏହା କେବଳ ଆଣ୍ଟିକ ବସ୍ତୁ ଥିଲା । ତେଣୁ ସେମାନେ ତାକୁ ଅନ୍ତର୍ଜାତୀୟ ବଜାରରେ ନିଲାମ କରିବାକୁ ଉଦ୍ୟମ କରିଥିଲେ । ତେବେ ଭାରତ ସେହି ନିଲାମୀ ହେବାକୁ ନ ଦେବା ଲାଗି ନିଷ୍ପତ୍ତି ନେଇଥିଲା । କାରଣ ଆମ ପାଇଁ ଏହା କେବଳ କଳାକୃତି ନୁହେଁ, ବରଂ ଆମ ଐତିହ୍ୟର ଅଂଶବିଶେଷ ଏବଂ ଆମ ସଭ୍ୟତାର ଏକ ଅଭିନ୍ନ ଅଙ୍ଗ । ଭଗବାନ ବୁଦ୍ଧଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଏବଂ ଜ୍ଞାନ ହେଉଛି ସମଗ୍ର ମାନବତାର । ବିଗତ କିଛି ମାସ ମଧ୍ୟରେ ସେ ଏହି ଭାବକୁ ଅନୁଭବ କରିଛନ୍ତି । ଏହି ଅବଶେଷ ଯେଉଁ ଦେଶକୁ ଯାଇଥିଲା ସେଠାରେ ଲୋକଙ୍କର ଗଭୀର ଆସ୍ଥାକୁ ଦେଖିବାକୁ ମିଳିଥିଲା । ଥାଇଲାଣ୍ଡରେ ରଖାଯାଇଥିବା ଅବଶେଷକୁ ପ୍ରାୟ ୪୦ ଲକ୍ଷ ଲୋକେ ଦର୍ଶନ କରିଥିଲେ । ମଙ୍ଗୋଲିଆରେ ଏଥିଲାଗି ହଜାର ହଜାର ଲୋକେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ। ଏପରିକି ବୌଦ୍ଧ ଭୂମିରୁ ଆସିଥିବାରୁ ଅନେକ ଲୋକ ଭାରତୀୟ ପ୍ରତିନିଧିଙ୍କ ପାଦ ଛୁଇଁବାକୁ ଚାହୁଁଥିଲେ । ଭଗବାନ୍ ବୁଦ୍ଧ ସମସ୍ତଙ୍କର,ସମସ୍ତଙ୍କୁ ଯୋଡ଼ନ୍ତି ବୋଲି ଏହା ଦର୍ଶାଉଛି । ସେହିପରି ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବୌଦ୍ଧଗୁରୁମାନଙ୍କୁ ସମ୍ମାନିତ ମଧ୍ୟ କରିଥିଲେ ।

ସୂଚନାଥାଉକି, ୧୮୯୮ରେ ଉତ୍ତରପ୍ରଦେଶର ପିପରହୱା(କପିଳାବାସ୍ତୁ କ୍ଷେତ୍ର)ରେ ଖନନ ସମୟରେ ଭଗବାନ ବୁଦ୍ଧଙ୍କ ଅବଶେଷ ମିଳିଥିଲା । ଏହି ଖନନ ବ୍ରିଟିଶ୍ କାଳରେ ହୋଇଥିଲା । ଖନନ କରାଇଥିବା ବ୍ୟକ୍ତି ଡବ୍ଲ୍ୟୁ.ସି.ପେପେ ତତ୍କାଳୀନ ସମୟରେ ବ୍ରିଟିଶ୍ ଶାସନରେ ଇଞ୍ଜିନିୟର ଥିଲେ । ସେତେବେଳେ ସେହି ଅବଶେଷକୁ ଭାରତ ବାହାରକୁ ପଠାଯାଇଥିଲା । ଏବେ ତାକୁ ଭାରତ ଫେରାଇ ଅଣାଯାଇଛି ।