ପ୍ରଜ୍ଜ୍ୱଳ ରେଭନ୍ନାଙ୍କ ବିରୋଧରେ ଅଭିଯୋଗ କରିବାକୁ ମହିଳାଙ୍କୁ ବାଧ୍ୟ କରାଯାଉଛି: ମହିଳା କମିଶନ

Published By : Prameya-News7 Bureau | May 09, 2024 IST

indiatoday

ନୂଆଦିଲ୍ଲୀ: ପ୍ରଜ୍ଜ୍ୱଳ ରେଭନ୍ନାଙ୍କ ବିରୋଧରେ ଅଭିଯୋଗ କରିବାକୁ ମହିଳାଙ୍କୁ ବାଧ୍ୟ କରାଯାଉଛି। ସେମାନେ ନିଜ ଇଚ୍ଛାରେ କେହି ଅଭିଯୋଗ କରୁ ନାହାନ୍ତି। ମହିଳା କମିଶନ ପାଖରେ ସେମିତି କୌଣସି ଅଭିଯୋଗ ନାହିଁ ବୋଲି ଜାତୀୟ ମହିଳା କମିଶନ କହିଛନ୍ତି। ତେବେ ଜଣେ ମହିଳାଙ୍କ ଅଭିଯୋଗ ତାଙ୍କ ପାଖରେ ଆସି ପହଞ୍ଚିଛି। ହେଲେ ସେ କହିଛନ୍ତି ଯେ ତାଙ୍କୁ ପ୍ରଜ୍ଜ୍ୱଳଙ୍କ ବିରୋଧରେ ମାମଲା କରିବାକୁ ବାଧ୍ୟ କରାଯାଉଛି। ଉକ୍ତ ମହିଳା ଜଣଙ୍କ ତାଙ୍କ ପରିବାର ସୁରକ୍ଷା ମଧ୍ୟ ଦାବି କରିଛନ୍ତି। 

ସୂଚନା ଥାଉକି ପ୍ରଜ୍ଜ୍ୱଳ ରେଭନ୍ନାଙ୍କର ଏକାଧିକ ଅଶ୍ଳୀଳ ଭିଡିଓ ଭାଇରାଲ୍ ହେବା ପରେ ତାଙ୍କ ବିରୋଧରେ ଓ ତାଙ୍କ ବାପା ଏଚ୍‌ଡି ରେଭନ୍ନାଙ୍କ ବିରୋଧରେ ଦୁଷ୍କର୍ମ, ଅପହରଣ ଭଳି ମାମଲା ରୁଜୁ ହୋଇଛି। ବର୍ତ୍ତମାନ ପ୍ରଜ୍ଜ୍ୱଳ ରେଭନ୍ନା ଫେରାର୍ ଅଛନ୍ତି। ଏହି ଘଟଣାରେ କର୍ଣ୍ଣାଟକ ସରକାର ଏକ ଏସ୍‌ଆଇଟି ଟିମ୍ ଗଠନ କରି ତଦନ୍ତ ମଧ୍ୟ ଜାରି ରହିଛି।  

ମହିଳାଙ୍କୁ ବାଧ୍ୟ କରାଯିବା ନେଇ ମହିଳା କମିଶନ କହିଛନ୍ତି “ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ବାରମ୍ବାର ଫୋନ୍ କରି ଅଭିଯୋଗ କରିବାକୁ ଧମକ୍ ଦିଆଯାଇଛି। ଏକ ଗ୍ରୁପ୍ ଫୋନ୍ କରି ମହିଳାଙ୍କୁ ଯୌନ ଉତ୍ପୀଡ଼ନ ଓ ମିଥ୍ୟା ଅଭିଯୋଗ କରିବାକୁ ବାଧ୍ୟ କରୁଥିବା ଜଣାପଡ଼ିଛି।” ଏହି ମାମଲାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବାକୁ ମହିଳା କମିଶନଙ୍କୁ କୁହାଯାଉଥିବା କମିଶନ କହିଛି।

ଏନ୍‌ସିଡବ୍ଲୁର କହିବା ଅନୁସାରେ, ଏହି ମାମଲାରେ ଦୁଇଟି ଯୌନ ନିର୍ଯାତନା ଅଭିଯୋଗ ଦାୟର ହୋଇଥିବା ବେଳେ ଆଉ ଏକ ସମ୍ପର୍କୀୟଙ୍କ ଦ୍ୱାରା ଅପହରଣ ମାମଲା ହୋଇଛି। ତେବେ କୌଣସି ମହିଳା କମିଶନଙ୍କ ପାଖରେ ଅଭିଯୋଗ କରି ନାହାନ୍ତି ବୋଲି ଏନ୍‌ସିଡବ୍ଲୁ କହିଛନ୍ତି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.