News7 Logo

ନିର୍ବାଚନ କମିଶନରଙ୍କ ବଡ଼ ନିଷ୍ପତ୍ତି, EVMରେ ରହିବ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ; ବିହାର ବିଧାନସଭା ନିର୍ବାଚନରୁ ହେବ ଆରମ୍ଭ

NEWS7
EVM

ନୂଆଦିଲ୍ଲୀ: ଇଭିଏମ୍‌ରେ ଏଣିକି ପ୍ରାର୍ଥୀଙ୍କ ନାଁ ଓ ନିର୍ବାଚନୀ ଚିହ୍ନ ସହ କଲର୍ ଫଟୋ ମଧ୍ୟ ରହିବ । ବିହାର ନିର୍ବାଚନରୁ ଏହା ଆରମ୍ଭ ହେବ । ନିର୍ବାଚନ ଆୟୋଗ ବୁଧବାର ଏହି ସୂଚନା ଦେଇଛନ୍ତି । ଆୟୋଗଙ୍କ କହିବା ଅନୁସାରେ, ସମାନ ନାମ ଥିବା ପ୍ରାର୍ଥୀଙ୍କ ପାଇଁ ଅଧିକାଂଶ ସମୟରେ ଦ୍ୱନ୍ଦ୍ୱ ହୋଇଥାଏ । ଏହାର ସମାଧାନ ପାଇଁ ଏଣିକି ଇଭିଏମରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ ଲଗାଯିବ । ଯାହାଦ୍ୱାରା ବିନା କୌଣସି ଦ୍ୱନ୍ଦ୍ୱରେ ମତଦାତା ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇପାରିବେ ।   

ଭାରତୀୟ ନିର୍ବଚନ ଆୟୋଗ ବୁଧବାର ପ୍ରେସ୍ ବିଜ୍ଞପ୍ତି ଜାରି କରି କହିଛନ୍ତି, ଇଭିଏମରେ ଏଣିକି ପ୍ରାର୍ଥୀଙ୍କ ଫଟୋ ଲଗାଯିବ । ଏଥିରେ ତାଙ୍କର ପରିଚୟ ଅଧିକ ସ୍ପଷ୍ଟ ହୋଇପାରିବ । ପ୍ରାର୍ଥୀଙ୍କ ଫଟୋ ପୋଟୋ ସ୍ପେସର ତିନି-ଚତୁର୍ଥାଂଶ ସ୍ଥାନରେ ରହିବ, ଯାହାଦ୍ୱାରା ଚେହେରା ଭଲ ଭାବେ ଦୃଶ୍ୟମାନ ହେବ । ଏହା ବ୍ୟତୀତ ସବୁ ପ୍ରାର୍ଥୀ ଓ ନୋଟାର କ୍ରମିକକୁ ଇଭିଏମରେ ମୋଟା ଫଣ୍ଟରେ ଛପା ଯିବ । ଏଥିପାଇଁ ଫଣ୍ଟ ସାଇଜ୍ ୩୦ ଧାର୍ଯ୍ୟ କରାଯାଇଛି । ସମସ୍ତ ପ୍ରାର୍ଥୀଙ୍କ ନାଁ ଓ ନୋଟାକୁ ଗୋଟିଏ ଫଣ୍ଟ ଏବଂ ଫଣ୍ଟ ସାଇଜରେ ପ୍ରିଣ୍ଟ କରାଯିବ ।

ଇଭିଏମ୍ ବାଲାଟ୍ ପେପର ଓଜନର ମାନକ ମଧ୍ୟ ସ୍ଥିର କରାଯାଇଛି । ଏହି ପେପର୍ ୭୦ ଜିଏସ୍‌ଏମ୍‌ର ହେବ । ବିଧାନସଭା ନିର୍ବାଚନ ପାଇଁ ଗୋଲାପି ରଙ୍ଗର ଖାସ୍ ପେପର ବ୍ୟବହାର କରାଯିବ । ଆଗାମୀ ବିହାର ବିଧାନସଭା ନିର୍ବାଚନରେ ନିର୍ବାଚନ ଆୟୋଗ ଏହି ସବୁ ପରିବର୍ତ୍ତନ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ଏହାପରେ ଅନ୍ୟ ସମସ୍ତ ନିର୍ବାଚନରେ ଏହାକୁ ଆପଣାଯିବ ।

ବିହାରରେ ଆଗାମୀ ମାସରେ ନିର୍ବାଚନ ତାରିଖ ଘୋଷଣାର ସମ୍ଭାବନା ରହିଛି । ରାଜ୍ୟର ସମସ୍ତ ୨୪୩ ବିଧାନସଭା ଆସନରେ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭୋଟର ଲିଷ୍ଟରେ ସ୍ପେଶାଲ୍ ଇନଟେନସିଭ୍ ରିଭିଜନ (ଏସଆଇଆର୍) କରାଯିବ ପରେ ଚୂଡ଼ାନ୍ତ ସୂଚୀ ଜାରି କରାଯିବ । ସେପ୍ଟେମ୍ୱର ୩୦ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବା ପରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ବିହାର ପରେ ୨୦୨୬ରେ ପଶ୍ଚିମବଙ୍ଗ, ଆସାମ, କେରଳ, ପୁଡ଼ୁଚେରୀ ଓ ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ହେବ ।