ଭୁବନେଶ୍ୱର ୨୮।୧୦ : ଆଜି ପବିତ୍ର ଛଟ୍ ପୂଜାର ଅନ୍ତିମ ଦିବସ । ଉଦୟ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ ସହ ଉପବାସ ସମାପନ କରିଛନ୍ତି ବ୍ରତଧାରୀ । ୪ଦିନର ଏହି ମହାପର୍ବ ୨୫ଅକ୍ଟୋବରରୁ ଆରମ୍ଭ ହୋଇଥିଲା । ଆଜି ଉଦୟ ସୂର୍ଯ୍ୟଙ୍କୁ ଉଷା ଅର୍ଘ୍ୟ ଅର୍ପଣ କରାଯାଇଛି । ସକାଳ ୬ଟା ୨୭ ପର୍ଯ୍ୟନ୍ତ ଅର୍ଘ୍ୟ ଦେବାର ସମୟ ଥିଲା । ଏହି ଅବସରରେ ଦେଶ ବିଦେଶରେ ଛଟ୍ ପୂଜା ପାଳନ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ମଞ୍ଚେଶ୍ବର ନୂଆ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ଛଟ୍ ଉତ୍ସବରେ ଯୋଗ ଦେଇଛନ୍ତି। ଏଠାରେ ସାମୁହିକ ଅର୍ଘ୍ୟ ଅର୍ପଣ କରାଯାଇଛି ।

ସେହିପରି ମଞ୍ଚେଶ୍ୱର କୁଆଖାଇ ଘାଟରେ ଛଟ ପୂଜା ପାଳନର କରିଛନ୍ତି ବିହାର ସମ୍ପ୍ରଦାୟର ଲୋକ । ଏପଟେ ପବିତ୍ର ଛଟ ପୂଜା ଲାଗି ଉଭୟ ମହାନଦୀ ଓ କାଠଯୋଡ଼ିରେ ବ୍ରତଧାରୀମାନେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରିଛନ୍ତି । ଏହା ସହ ବ୍ରତ ସମାପନ କରିଛନ୍ତି। ସେହିପରି ବିହାର, ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ଦିଲ୍ଲୀ ଏବଂ ମୁମ୍ବାଇରେ ଶହ ଶହ ଶ୍ରଦ୍ଧାଳୁ ଛଟ୍ ପୂଜାରେ ସାମିଲ ହୋଇଛନ୍ତି ।

​​​​​​​ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ସରକାର ଭାଇଚାରା, ସୌହାର୍ଦ୍ଦ୍ୟ   ଓ ସାଂସ୍କୃତିକ ଏକତାର ପରମ୍ପରାକୁ ଶକ୍ତିଶାଳୀ କରିବା ପାଇଁ ପ୍ରତିବଦ୍ଧ ଏବଂ ଓଡ଼ିଶାରେ ଛଟ୍ ପୂଜା ଏହି ସାଂସ୍କୃତିକ ଏକତାର  ଉଦାହରଣ। ଛଠ ପର୍ବ ଆମକୁ ଶିଖାଏ ଯେ, ଜୀବନର ସତ୍ୟ ଆଧାର ହେଉଛି ପ୍ରକୃତି, ଜଳ, ବାୟୁ ଓ ସୂର୍ଯ୍ୟର ଶକ୍ତି। ଏହି ପର୍ବ ମାଧ୍ୟମରେ ଆମେ ପ୍ରକୃତି ଓ ପରିବେଶ ପ୍ରତି ଆପଣଙ୍କ ଋଣସ୍ୱୀକାର ବ୍ୟକ୍ତ କରୁଛୁ ।  ଏଣୁ ଆମେ ପ୍ରକୃତି ସହିତ ପ୍ରେରଣା ପାଉ।

ଛଠ ପର୍ବର ସବୁଠୁ ବଡ଼ ବିଶେଷତା ହେଉଛି ଯେ, ଏହି ପର୍ବରେ କୌଣସି ଦେଖାଣିଆ କିମ୍ବା ଆଡମ୍ବର ନଥାଏ କେବଳ ନିଷ୍ଠା ଓ ଆତ୍ମିକ ଶ୍ରଦ୍ଧା ରହେ । ଏହି ପର୍ବ ସ୍ୱଚ୍ଛତା, ଶୃଙ୍ଖଳାର ଏକ ଅଦ୍ଭୁତ ଉଦାହରଣ ଏବଂ ଏହି ପର୍ବର ଆତ୍ମା । କହିବାକୁ ଗଲେ, ଛଠ୍ ପୂଜାର ପରମ୍ପରା ଉତ୍ତର ଭାରତୀୟ ରାଜ୍ୟ-ବିହାର, ଝାରଖଣ୍ଡ, ଉତ୍ତର ପ୍ରଦେଶ ରାଜ୍ୟମାନଙ୍କରେ ପାଳନ କରାଯାଏ । ମୁଁ ଏହା ଦେଖି ଅତ୍ୟନ୍ତ ଆନନ୍ଦିତ ଯେ ଏବେ ଓଡ଼ିଶାରେ ମଧ୍ୟ ଛଠ୍ ପୂଜାର ଉତ୍ସବ ବିଶେଷ ଉଲ୍ଲାସ ଓ ଭକ୍ତିଭାବର ସହିତ ପାଳନ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଓଡ଼ିଶା ବିକାଶର ନୂତନ ମାର୍ଗରେ ଆଗକୁ ବଢ଼ୁ, ଆମ ଚାଷୀ, ଶ୍ରମିକ, ଯୁବ ଓ ମାତୃଶକ୍ତି ସଶକ୍ତ ହୁଅନ୍ତୁ, ଏବଂ ପ୍ରତ୍ୟେକ ଘରେ ଖୁସିର ଆଲୋକ ବିକିରଣ ହେଉ ବୋଲି ମୁଖ୍ୟମନ୍ତ୍ରୀ ପରିଶେଷରେ କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଶ୍ୱାସ ଫାଉଣ୍ଡେସନର ସଭାପତି ଶ୍ରୀ ରାଜକୁମାର, ଉପ ସଭାପତି, ଶ୍ରୀ ଅଜୟ ବାହାଦୂର ସିଂହ, ସାଧାରଣ ସଚିବ, ଶ୍ରୀ ଅଶୋକ ଭଗତ୍, ବିହାର ଉନ୍ନୟନ ପରିଷଦ ର ସଂଯୋଜକ, ଶ୍ରୀ ଆନନ୍ଦ ମୋହନ ପ୍ରମୁଖ ଉପସ୍ଥିତ ଥିଲେ।