ବେଜିଂ: ବେଜିଂରେ ଚାଲିଥିବା ବିଶ୍ୱ ହ୍ୟୁମାନଏଡ ରୋବୋର୍ଟ ଗେମ୍ 2026ରେ ଘଟିଛି ଏକ ବଡ଼ ଟେକ୍ନୋଲୋଜିକାଲ୍ ଚମତ୍କାର। ଚୀନ୍ର ହ୍ୟୁମାନଏଡ୍ ରୋବଟ୍ ତିଆଗଙ୍ଗ ଅଲଟ୍ରା ମାତ୍ର ୯.୩୯ ସେକେଣ୍ଡରେ ୧୦୦ ମିଟର ଦୌଡ଼ି ଜାମାଇକାର ମହାନ ସ୍ପ୍ରିଣ୍ଟର ଉସେନ ବୋଲ୍ଟଙ୍କ ୯.୫୮ ସେକେଣ୍ଡର ମାନବ ବିଶ୍ୱରେକର୍ଡଠାରୁ ମଧ୍ୟ ଦ୍ରୁତ ସମୟ ରେକର୍ଡ କରିଛି।ଅଗଷ୍ଟ ୨୨ରେ ବେଜିଂରେ ଆରମ୍ଭ ହୋଇଥିବା ଏହି ଗେମ୍ସର ଦ୍ୱିତୀୟ ସଂସ୍କରଣର ପ୍ରାରମ୍ଭିକ ହିଟ୍ରେ ତିଆଗଙ୍ଗ ଅଲଟ୍ରା ଏହି ସଫଳତା ପାଇଛି। ଏହି ରୋବଟ୍କୁ ବେଜିଙ୍ଗ ହ୍ୟୁମାନଏଡ ରୋବଟ ଇନୋଭେସନ ସେଣ୍ଟର ବିକଶିତ କରିଛି।

ଦୌଡ଼ ଆରମ୍ଭରେ ହ୍ୟୁମାନଏଡ୍ ରୋବଟ୍ ଲାଇଟନିଙ୍ଗ ଆଗରେ ଥିଲା। କିନ୍ତୁ ଫିନିଶ୍ ଲାଇନ୍ ନିକଟରେ ତିଆଗଙ୍ଗ ଅଲଟ୍ରା ଗତି ବଢ଼ାଇ ଲାଇଟନିଙ୍ଗ କୁ ପଛରେ ପକାଇ ହିଟ୍ ଜିତିଥିଲା।ଲାଇଟନିଙ୍ଗ ରୋବଟ ଦୌଡ଼ ଶେଷ କରିଥିଲା ୯.୪୭ ସେକେଣ୍ଡରେ ଯାହା ବୋଲ୍ଟଙ୍କ ୯.୫୮ ସେକେଣ୍ଡର ରେକର୍ଡଠାରୁ ଦ୍ରୁତ। ତେବେ ରୋବଟ୍ମାନଙ୍କର ଏହି ଦୌଡ଼ କେବଳ ଗତି ପାଇଁ ନୁହେଁ, ସେମାନଙ୍କର ସନ୍ତୁଳନ ଏବଂ ନିୟନ୍ତ୍ରଣର ସୀମାକୁ ମଧ୍ୟ ସାମ୍ନାକୁ ଆଣିଛି। ଦୌଡ଼ ଶେଷ କରିବା ପରେ ତିଆଗଙ୍ଗ ଅଲଟ୍ରା ଅସନ୍ତୁଳିତ ହୋଇ ପାର୍ଶ୍ୱକୁ ଚାଲିଯାଇଥିଲା, ଯେତେବେଳେ ଲାଇଟନିଙ୍ଗ ମଧ୍ୟ ପଡ଼ିଯାଇଥିଲା ଏବଂ ତାହାକୁ ଷ୍ଟ୍ରେଚର୍ରେ ନେବାକୁ ପଡ଼ିଥିଲା।

ତିଆଗଙ୍ଗ ଅଲଟ୍ରା ର ପ୍ରଗତି ଏଠାରୁ ସ୍ପଷ୍ଟ ହେଉଛି। ଗତବର୍ଷର ପ୍ରଥମ ବିଶ୍ୱ ହ୍ୟୁମାନଏଡ ରୋବୋର୍ଟ ଗେମ୍ ରେ ଏହି ରୋବଟ୍ ୧୦୦ ମିଟରକୁ ୨୧.୫୦ ସେକେଣ୍ଡରେ ଦୌଡ଼ିଥିଲା। ମାତ୍ର ଗୋଟିଏ ବର୍ଷ ପରେ ସମୟ ହୋଇଛି ୯.୩୯ ସେକେଣ୍ଡ। ଅର୍ଥାତ୍ ରୋବଟିକ୍ ଦୌଡ଼ କ୍ଷେତ୍ରରେ ବେଶ୍ ଦ୍ରୁତ ଉନ୍ନତି ଦେଖିବାକୁ ମିଳିଛି। ଅନ୍ୟପଟେ ଲାଇଟନିଙ୍ଗ ମଧ୍ୟ ଏହି ଗେମ୍ସ ପୂର୍ବରୁ ଏକ ପ୍ରସ୍ତୁତିମୂଳକ ପରୀକ୍ଷାରେ ୧୦୦ ମିଟରକୁ ୯.୩୨ ସେକେଣ୍ଡରେ ଦୌଡ଼ିଥିବା ରିପୋର୍ଟ ଆସିଥିଲା। ସେହି ପରୀକ୍ଷାରେ ଏହାର ସର୍ବାଧିକ ଗତି ପ୍ରାୟ ୧୪.୫ ମିଟର ପ୍ରତି ସେକେଣ୍ଡ ରେକର୍ଡ ହୋଇଥିଲା।

ଲାଇଟନିଙ୍ଗ ର ସଫଳତା କେବଳ ୧୦୦ ମିଟର ଦୌଡ଼ରେ ସୀମିତ ନୁହେଁ। ୨୦୨୬ରେ ବେଜିଂରେ ହୋଇଥିବା ହ୍ୟୁମାନଏଡ୍ ରୋବଟ୍ ହାଫ୍ ମାରାଥନ୍ରେ ଲାଇଟନିଙ୍ଗ ୫୦ ମିନିଟ୍ ୨୬ ସେକେଣ୍ଡରେ ଦୌଡ଼ ଶେଷ କରି ବିଜୟୀ ହୋଇଥିଲା।ସେହି ସମୟରେ ଲାଇଟନିଙ୍ଗ ର ଉଚ୍ଚତା ୧୬୯ ସେଣ୍ଟିମିଟର ଏବଂ ଗୋଡ଼ର ଲମ୍ବ ୯୫ ସେଣ୍ଟିମିଟର ଥିଲା। ପରେ ଗେମ୍ସ ପୂର୍ବରୁ ଗବେଷକମାନେ ଏହାର ଗୋଡ଼ର ଲମ୍ବକୁ ୧୦ ସେଣ୍ଟିମିଟର ବଢ଼ାଇ ୧.୦୫ ମିଟର କରିଥିଲେ।

ଦ୍ୱିତୀୟ ବିଶ୍ୱ ହ୍ୟୁମାନଏଡ ରୋବୋର୍ଟ ଗେମ୍ ଚଳିତବର୍ଷ ୬୬୬ଟି ଟିମ୍ର ୨,୦୫୬ଟି ରୋବଟ୍ ଅଂଶଗ୍ରହଣ କରୁଛନ୍ତି। ମୋଟ ୫୧ଟି ଇଭେଣ୍ଟରେ ରୋବଟ୍ମାନେ ଦୌଡ଼, ଫୁଟବଲ୍, ଟେବୁଲ୍ ଟେନିସ୍ ସହିତ ଉଦ୍ଧାର, ଲଜିଷ୍ଟିକ୍ସ ଓ ଅନ୍ୟାନ୍ୟ ବ୍ୟବହାରିକ କାର୍ଯ୍ୟରେ ମଧ୍ୟ ନିଜ କ୍ଷମତା ପ୍ରଦର୍ଶନ କରୁଛନ୍ତି।ଗେମ୍ସ ଅଗଷ୍ଟ ୨୬ ପର୍ଯ୍ୟନ୍ତ ଚାଲିବ। ଏହି ପ୍ରତିଯୋଗିତାର ଲକ୍ଷ୍ୟ କେବଳ ରୋବଟ୍ କେତେ ଦ୍ରୁତ ଦୌଡ଼ିପାରେ ତାହା ଦେଖାଇବା ନୁହେଁ; ବାସ୍ତବ ଜୀବନରେ ରୋବଟ୍ କେତେ ନିଖୁଣ ଭାବେ କାମ କରିପାରିବ, ତାହା ପରୀକ୍ଷା କରିବା ମଧ୍ୟ ଏହାର ଏକ ବଡ଼ ଉଦ୍ଦେଶ୍ୟ।ଉସେନ ବୋଲ୍ଟଙ୍କ ୨୦୦୯ର ୯.୫୮ ସେକେଣ୍ଡର ରେକର୍ଡ ମଣିଷଙ୍କ ଦୌଡ଼ ପାଇଁ ଏବେ ବି ବିଶ୍ୱରେକର୍ଡ। କିନ୍ତୁ ରୋବଟ୍ମାନଙ୍କ ୯.୩୯ ସେକେଣ୍ଡର ଏହି ପ୍ରଦର୍ଶନ ଦେଖାଇଦେଇଛି ଯେ ହ୍ୟୁମାନଏଡ୍ ରୋବୋଟିକ୍ସ କେତେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି।