ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତି ବେଶ୍ ସରଗରମ ହୋଇଉଠିଛି। ଏନଡିଟିଭି ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ନୂଆ ପଞ୍ଜାବ ସମିଟ୍’ରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସେ ପଞ୍ଜାବର ରାଜନୈତିକ ସ୍ଥିତି ଏବଂ ଆଗାମୀ ନିର୍ବାଚନକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। କେବଳ ସେତିକି ନୁହେଁ, ଏକ ଆଶ୍ଚର୍ଯ୍ୟଜନକ ଢଙ୍ଗରେ ସେ ନିଜ ହାତରେ ଏକ କାଗଜ ଉପରେ ଆଗାମୀ ବିଧାନସଭା ନିର୍ବାଚନରେ କେଉଁ ଦଳକୁ କେତେ ଆସନ ମିଳିବ, ତାହା ଲେଖି ସମସ୍ତଙ୍କୁ ଚକିତ କରିଦେଇଛନ୍ତି।

କାଗଜରେ ଲେଖିଲେ ବିରୋଧୀଙ୍କ ଭବିଷ୍ୟତ
କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ପଶ୍ଚିମବଙ୍ଗ ନିର୍ବାଚନରେ ବିଜୟ ପରେ ବିଜେପି ଏବେ ପଞ୍ଜାବକୁ ନେଇ ମଧ୍ୟ ବେଶ୍ ଆଶାବାଦୀ ଓ ଆତ୍ମବିଶ୍ୱାସୀ ଦେଖାଯାଉଛି। ଏହାର ଜବାବରେ ଭଗୱନ୍ତ ମାନ ତୁରନ୍ତ ଏକ କାଗଜ ଉଠାଇଥିଲେ ଏବଂ ସେଥିରେ ଲେଖିଥିଲେ ଯେ, ଆସନ୍ତା ୨୦୨୭ ନିର୍ବାଚନରେ ବିଜେପି ମାତ୍ର ୧ କିମ୍ବା ୨ଟି ଆସନ ପାଇବ। ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ବିଜେପିକୁ ମିଳିବାକୁ ଥିବା ଏହି ୧-୨ଟି ଆସନ କେବଳ ‘ପଠାନକୋଟ’ ଅଞ୍ଚଳରୁ ହିଁ ଆସିପାରେ।

ସେ କହିଛନ୍ତି, କଂଗ୍ରେସ ଦଳକୁ ମାତ୍ର ୧ ରୁ ୯ଟି ଆସନ ମଧ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିବ। ଖାତା ଖୋଲିପାରିବନି ଶିରୋମଣି ଅକାଳୀ ଦଳ । ଅକାଳି ଦଳକୁ ଶୂନ ଆସନ ମିଳିବ। ମୁଖ୍ୟମନ୍ତ୍ରୀ ସେହି କାଗଜରେ ନିଜର ଦସ୍ତଖତ ମଧ୍ୟ କରିଥିଲେ ଏବଂ କହିଥିଲେ ଯେ, ନିର୍ବାଚନ ଫଳାଫଳ ଆସିବା ପରେ ଏହି କାଗଜକୁ ନେଇ ପୁଣି ଥରେ ଚର୍ଚ୍ଚା କରାଯିବ।

ଆମ ଆଦମୀ ପାର୍ଟି (AAP) କୁ କେତେ ଆସନ ମିଳିବ ?
ଯେତେବେଳେ ତାଙ୍କୁ ପଚାରାଯାଇଥିଲା ଯେ, ଯଦି ସବୁ ବିରୋଧୀ ଦଳ ଏଭଳି ସ୍ଥିତିରେ ରହିବେ, ତେବେ ଶାସକ ‘ଆମ ଆଦମୀ ପାର୍ଟି’କୁ କେତେ ଆସନ ମିଳିବ ? ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଅତି ଆତ୍ମବିଶ୍ୱାସର ସହ କହିଥିଲେ ଯେ, ‘ଯେତିକି ବି ଆସନ ବାକି ରହିଗଲା, ସେହି ସମସ୍ତ ଆସନ ଆମ ଆଦମୀ ପାର୍ଟି ଖାତାକୁ ଆସିବ।’ ଏହି ବୟାନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ପଞ୍ଜାବରେ ଆପ୍ (AAP) ପୁଣି ଥରେ ବିପୁଳ ବହୁମତ ସହ ସରକାର ଗଠନ କରିବାକୁ ଯାଉଛି ଏବଂ ବିରୋଧୀ ଦଳଗୁଡ଼ିକ ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ବିଫଳ ହେବେ।