ଋତୁରାଜଙ୍କ ପରେ ଦେଶପାଣ୍ଡେଙ୍କ ଘାତକ ବୋଲିଂ, ହାଇଦ୍ରାବାଦର ଶୋଚନୀୟ ପରାଜୟ, ତୃତୀୟକୁ ଉଠିଲା ଚେନ୍ନାଇ

Published By : Prameya-News7 Bureau | April 28, 2024 IST

ଚେନ୍ନାଇ: ଅଧିନାୟକ ଋତୁରାଜ ଗାଏକ୍ଵାଡ଼ଙ୍କ ଧୂଆଁଧାର ଅର୍ଦ୍ଧଶତକ ଏବଂ ତୁଷାର ଦେଶପାଣ୍ଡେଙ୍କ ଘାତକ ବୋଲିଂ ବଳରେ ଚେନ୍ନାଇ ଘରୋଇ ମାଟିରେ ସନରାଇଜର୍ସ ହାଇଦ୍ରାବାଦକୁ ୭୮ ରନରେ ପରାସ୍ତ କରି ବଡ଼ ବିଜୟ ହାସଲ କରିଛି। ଲଗାତାର ଦୁଇଟି ପରାଜୟ ପରେ ଚେନ୍ନାଇ ବିଜୟ ଟ୍ରାକକୁ ଫେରିଛି। ଅନ୍ୟପଟେ ଅନାୟସରେ ୨୫୦ରୁ ଉର୍ଦ୍ଧ୍ଵ ରନ କରୁଥିବା ହାଇଦ୍ରାବାଦ ବ୍ୟାଟିଂରେ ସଂଘର୍ଷ କରି ଶୋଚନୀୟ ପରାଜୟ ଭୋଗିଛି। ୨୧୩ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ହାଇଦ୍ରାବାଦ ବ୍ୟାଟିଂରେ ଦୟନୀୟ ପ୍ରଦର୍ଶନ କରି ୧୩୪ ରନରେ ଅଲଆଉଟ୍ ହୋଇଛି। ଆଡନ ମାରକ୍ରମ ସର୍ବାଧିକ ୩୨ ରନ କରିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ଋତୁରାଜଙ୍କ ୯୮ ରନ, ଡାରିଲ ମିଚେଲଙ୍କ ୫୨ ଓ ଶିବମ ଦୁବେଙ୍କ ୩୯ ରନ ବଳରେ ୩ ଓ୍ଵିକେଟ୍ ହରାଇ ୨୧୨ ରନ କରିଥିଲା। ବୋଲିଂରେ ଚେନ୍ନାଇ ପକ୍ଷରୁ ତୁଷାର ଦେଶପାଣ୍ଡେ ୨୭ ରନ ଦେଇ ୪ଟି ଓ୍ଵିକେଟ୍ ନେଇଛନ୍ତି। ବିଶାଳ ବିଜୟ ସହ ଚେନ୍ନାଇ ପଏଣ୍ଟ ଟେବୁଲର ବଡ଼ ଲମ୍ଫ ମାରି ତୃତୀୟ ସ୍ଥାନକୁ ଉଠିଛି। ସନରାଇଜର୍ସ ହାଇଦ୍ରାବାଦ କ୍ରମାଗତ ୨ୟ ପରାଜୟ ଭୋଗି ଚତୁର୍ଥ ସ୍ଥାନକୁ ଖସି ଆସିଛି। 

Also read: ସଞ୍ଜୁ-ଚହଲ ଇନ, ରାହୁଲ-ଗିଲ୍ ଆଉଟ୍; ଟି-୨୦ ବିଶ୍ଵକପ୍ ପାଇଁ ଓ୍ଵାସିମ ଜାଫର ବାଛିଲେ ଟିମ୍ ଇଣ୍ଡିଆ

୨୧୩ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ହାଇଦ୍ରାବାଦ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଜଣେ ହେଲେ ବ୍ୟାଟର କ୍ରିଜରେ ଅଧିକ ସମୟ କ୍ରିଜରେ ତିଷ୍ଠି ପାରି ନ ଥିଲେ। ଦଳର ପ୍ରତିଟି ବ୍ୟାଟର ଚେନ୍ନାଇ ବୋଲରଙ୍କ ମାପଚୁପ ବୋଲିଂ ଆଗରେ ସଂଘର୍ଷ କରିଥିଲେ। ଟ୍ରେଭିସ୍ ହେଡ୍(୧୩) ଓ ଅଭିଷେକ ଶର୍ମା(୧୫)ଙ୍କ ପରେ ମଧ୍ୟକ୍ରମରେ ଆଡନ ମାରକ୍ରମ ୩୨ ରନ କରିଥିଲେ। ନୀତିନ ରେଡ୍ଡୀ ୧୫ ରନ କରିଥିବା ବେଳେ ହେନରିକ କ୍ଲାସେନ ୨୦ ରନ ନିରାଶ କରିଥିଲେ। ଅବଦୁଲ ସାମଦ ୧୯ ରନ କରିଥିଲେ।   ବୋଲିଂରେ ତୁଷାର ଦେଶପାଣ୍ଡେ ୨୭ ରନ ଦେଇ ୪ ଓ୍ଵିକେଟ୍ ଅକ୍ତିକାର କରି ହାଇଦ୍ରାବାଦର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ। ମୁସ୍ତାଫିଜୁର ରେହମାନ ୧୯ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ରବୀନ୍ଦ୍ର ଜାଡ଼େଜା ଓ ଶାର୍ଦ୍ଦୁଳ ଠାକୁର ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ। 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.