ଚେନ୍ନାଇ: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟନେଲ୍ ଭିତରେ ବନ୍ଦ ହୋଇଗଲା ମେଟ୍ରୋ ଟ୍ରେନ୍ । ୧୦ ମିନିଟ ପାଇଁ ସବୁଆଡ଼େ ଅନ୍ଧାର ହୋଇଗଲା । ଯାତ୍ରୀଙ୍କ ମଧ୍ୟରେ ଖେଳିଗଲା ଆତଙ୍କ । ଆଉ ଶେଷରେ ଟ୍ରେନରୁ ଓହ୍ଲାଇ ଅନ୍ଧାର ସୁଡ଼ଙ୍ଗ ଭିତରୁ ବାହାରକୁ ଚାଲି ଚାଲି ଆସିଲେ ଯାତ୍ରୀ । ମଙ୍ଗଳବାର ଚେନ୍ନାଇ ବ୍ଲୁ ଲାଇନ୍ର ଏକ ମେଟ୍ରୋ ଟ୍ରେନ୍ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକି ଯାଇଥିଲା । ଏହି ଘଟଣା ସେଣ୍ଟ୍ରାଲ ମେଟ୍ରୋ ଏବଂ ହାଇକୋର୍ଟ ଷ୍ଟେସନ ମଧ୍ୟରେ ଘଟିଥିଲା ।

ଟ୍ରେନଟି ଅଟକି ଯିବାରୁ ବିଦ୍ୟୁତ ସଂଯୋଗ କଟି ଯାଇଥିଲା । ଟନେଲ୍ ଭିତରେ ଟ୍ରେନ୍ଟି ଥିବାରୁ ଚାରି ଆଡ଼େ ଅନ୍ଧକାରମୟ ହୋଇଯାଇଥିଲା । ଯାତ୍ରୀଙ୍କ ଗହଣରେ ଏକପ୍ରକାର ଆତଙ୍କ ଖେଳିଯାଇଥିଲା । ଟ୍ରେନରେ ଥିବା ଯାତ୍ରୀଙ୍କ ଅନୁସାରେ, ସେମାନେ ପ୍ରଥମେ କିଛି ବୁଝିପାରି ନଥିଲେ । ଭୟରେ ଲୋକେ ଚିତ୍କାର କରିଥିଲେ । କିନ୍ତୁ କିଛି ସମୟ ପରେ ଟ୍ରେନ୍ରେ ଯାନ୍ତ୍ରିକ ତ୍ରୁଟି ନେଇ ଖବର ମିଳିବା ପରେ ଲୋକେ ଚାଲି ଚାଲି ବାହାରକୁ ଆସିଥିଲେ ।

ଯାତ୍ରୀମାନେ ୧୦ ମିନିଟ୍ ପର୍ଯ୍ୟନ୍ତ ଟ୍ରେନ୍ରେ ଫସି ରହିଥିଲେ। ଏହା ପରେ, ଅଧିକାରୀମାନେ ସେମାନଙ୍କୁ ୫୦୦ ମିଟର ପରେ ଥିବା ହାଇକୋର୍ଟ ଷ୍ଟେସନକୁ ଚାଲି ଚାଲି ଯିବାକୁ କହିଥିଲେ। ଏହି ସମୟର କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଲୋକମାନେ ରେଲିଂ ଧରି ସୁଡ଼ଙ୍ଗ ଦେଇ ଚାଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

 

ଚେନ୍ନାଇ ମେଟ୍ରୋ ପକ୍ଷରୁ କୁହାଯାଇଛି ଯେ, ବ୍ଲୁ ଲାଇନରେ (ୱିମକୋ ନଗର ଡିପୋରୁ ବିମାନବନ୍ଦର ପର୍ଯ୍ୟନ୍ତ)ବିଦ୍ୟୁତ୍ ବିଭ୍ରାଟ କିମ୍ବା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ସ୍ଥିତି ହୋଇ ଥାଇପାରେ। ତଥାପି, କିଛି ସମୟ ପରେ ସେବା ପୁନଃସ୍ଥାପିତ ହୋଇଥିଲା । ମେଟ୍ରୋ ପ୍ରଶାସନ ଏକ୍ସରେ ପୋଷ୍ଟ କରି କହିଛି ଯେ, ‘ବ୍ଲୁ ଲାଇନ ଏବଂ ଗ୍ରୀନ ଲାଇନରେ ଟ୍ରେନ ସେବା ସ୍ୱାଭାବିକ ହୋଇଛି। ଅସୁବିଧା ପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ।’