ୱାସିଂଟନ ୧୧।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୧ ସେପ୍ଟେମ୍ବର ଗୁରୁବାର ଦକ୍ଷିଣପନ୍ଥୀ କାର୍ଯ୍ୟକର୍ତ୍ତା ତଥା ଇନଫ୍ଲୁଏନ୍ସର ଚାର୍ଲି କିର୍କଙ୍କୁ ମରଣୋପରାନ୍ତ ଆମେରିକାର ସର୍ବୋଚ୍ଚ ନାଗରିକ ସମ୍ମାନ ‘ପ୍ରେସିଡେନ୍ସିଆଲ ମେଡାଲ ଅଫ ଫ୍ରିଡମ’ରେ ସମ୍ମାନୀତ କରିବାକୁ ଘୋଷଣା କରିଛନ୍ତି। କିର୍କ ଦୀର୍ଘ ସମୟରୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହଯୋଗୀ ଥିଲେ। ତାଙ୍କୁ ୯ ସେପ୍ଟେମ୍ବର ବୁଧବାର ୟୁଟାରେ ଏକ କାର୍ଯ୍ୟକ୍ରମ କାଳରେ ଗୁଳିକରି ହତ୍ୟା କରାଯାଇଛି।

ଟ୍ରମ୍ପ ଗୁରୁବାର ପେଣ୍ଟାଗନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଚାର୍ଲି ତାଙ୍କ ପିଢୀର ଜଣେ ମହାନାୟକ ଥିଲେ। ସ୍ୱାଧୀନତାର ସମର୍ଥକ ତଥା ସେ କୋଟିକୋଟି ଲୋକଙ୍କ ଲାଗି ପ୍ରେରଣାର ସ୍ରୋତ ଥିଲେ। ଟ୍ରମ୍ପ କହିଛନ୍ତି ଯେ ଚାର୍ଲି ଅଗଣିତ ଲୋକ ବିଶେଷ କରି ଯୁବକଙ୍କ ମନରେ ସାହସ ଜାଗ୍ରତ କରିଥିଲେ। ଏଣୁ କେହି ତାଙ୍କୁ ହତ୍ୟା କରି ନପାରେ, ସେ ମରି ମଧ୍ୟ ଲୋକଙ୍କ ମନରେ ଅମର ହୋଇ ରହିବେ।

ଆମେରିକା ରାଷ୍ଟ୍ରପତିଙ୍କ ପକ୍ଷରୁ ଏହି ଘୋଷଣା ସେତେବେଳେ କରାଯାଇଛି ଯେତେବେଳେ ଏଫବିଆଇ ଅଧିକାରୀମାନେ ଚାର୍ଲି କିର୍କ ହତ୍ୟା ମାମଲାରେ ଅଜ୍ଞାତ ହତ୍ୟାକାରୀଙ୍କ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଉଥିଲେ। ଏଜେନ୍ସୀ ଅଧିକାରୀମାନେ କହିଛନ୍ତି ଯେ ତାଙ୍କ ପାଖରେ ସେହି ଆକ୍ରମଣକାରୀର ଫଟୋ ଅଛି ଓ ଏହି ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଶକ୍ତିଶାଳୀ ରାଇଫଲକୁ ଜବତ କରାଯାଇଛି।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହଯୋଗୀ ଚାର୍ଲି କିର୍କଙ୍କୁ ସେତେବେଳେ ହତ୍ୟା କରାଯାଇଥିଲା ଯେତେବେଳେ ସେ ତାଙ୍କ ଟର୍ଣ୍ଣିଂ ପଏଣ୍ଟ ୟୁଏସଏ ଗ୍ରୁପ ସହିତ ୟୁଟା ଭେଲି ୟୁନିଭର୍ସିଟିରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଆୟୋଜନ କରାଯାଇଥିବା ଆଉଟଡୋର କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିଲେ। କାର୍ଯ୍ୟକ୍ରମ କାଳରେ ଯେତେବେଳେ ଚାର୍ଲିଙ୍କ ଗର୍ଦ୍ଦନ ପାଖରେ ଗୁଳି ବାଜିଲା ତାଙ୍କୁ ତୁରନ୍ତ ଟିମ୍ପାନୋଗସ ରିଜିଓନାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ଚାଲିଥିବା ବେଳେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।