ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା, ଆରମ୍ଭ ହୋଇସାରିଛି ପ୍ରସ୍ତୁତି ପର୍ବ

Published By : Prameya-News7 Bureau | April 25, 2024 IST

ପୁରୀ ୨୫।୪: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା। ଏନେଇ ଆରମ୍ଭ ହୋଇସାରିଛି ପ୍ରସ୍ତୁତି ପର୍ବ। ନରେନ୍ଦ୍ର ପୁଷ୍କରିଣୀ ଜଳ ଭିତରେ ଗତବର୍ଷ ରଖାଯାଇଥିବା ମହାପ୍ରଭୁଙ୍କ ନନ୍ଦା, ଭଦ୍ରା ଓ ବୈଜୟନ୍ତରୀ ଡଙ୍ଗାକୁ ପରମ୍ପରା ଅନୁଯାୟୀ ପବିତ୍ର ଚୈତ୍ର ପୂର୍ଣ୍ଣିମା ତିଥିରେ ଭୋଇ ସେବକମାନେ ପାଣି ଭିତରୁ କାଢ଼ିଛନ୍ତି । ସମୁଦାୟ ପାଞ୍ଚଟି ଡଙ୍ଗାକୁ ପାଣି ଭିତରୁ କଢ଼ା ଯାଇଥିବା ବେଳେ ଖରାରେ ଏହା ଶୁଖିବା ପରେ ପିଚୁ ଓ ରାଳ ଦେଇ ମହାରଣା ସେବକମାନେ ମରାମତି କରିବେ। ୧୦ ତାରିଖ ପବିତ୍ର ଚନ୍ଦନ ଯାତ୍ରା ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ସୁସଜ୍ଜିତ ନନ୍ଦା, ଭଦ୍ରା ଡଙ୍ଗାରେ ବସି ଜଳକ୍ରୀଡା କରିବେ। 

ସେପଟେ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ଥିବାବେଳେ ଆଜି ନୟାଗଡ ମହିପୁର ରେଞ୍ଜରୁ ଦ୍ବିତୀୟ ପର୍ଯ୍ୟାୟ ରଥକାଠ ଆସି ରଥଖଳାରେ ପହଞ୍ଚିଛି। ଏଥିରେ ୪୦ ଫୁଟିଆ ୨୩ ଖଣ୍ଡ ଅସନ ଓ ୨ ଖଣ୍ଡ ଧଉରା କାଠ ରହିଛି। ପର୍ଯ୍ୟାୟ କ୍ରମେ ଠିକ୍ ସମୟରେ ସମସ୍ତ କାଠ ଆସି ପହଞ୍ଚିଯିବ ବୋଲି ଭୋଇ ସର୍ଦ୍ଦାର ଓ ବରିଷ୍ଠ ତତ୍ତ୍ୱାବଧାରକ କହିଛନ୍ତି। 

ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ନରେନ୍ଦ୍ର ପୁଷ୍କରିଣୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ ଜୋରସୋରରେ ଆଗେଇ ଚାଲିଛି। ନରେନ୍ଦ୍ର ପୁଷ୍କରିଣୀର ସମ୍ମୁଖ ଭାଗର ମରାମତି କାର୍ଯ୍ୟ କରାଯାଉଥିବା ବେଳେ ଚାରିପାଖରେ ଥିବା ପାଚେରୀ ଗୁଡ଼ିକରେ ମହାପ୍ରଭୁଙ୍କ ବିଭନ୍ନ ଲୀଳା ପୁଷ୍କରଣୀର ଶୋଭା ବଢ଼ାଉଛି। ତେବେ ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା ପାଇଁ ବୁଧବାର ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି। ଅକ୍ଷୟ ତୃତୀୟା ଦିନ ଭୋର ୩ଟାରୁ ଦ୍ବାରଫିଟା ଯାଇ ଅନ୍ୟାନ୍ୟ ନୀତି କାନ୍ତି ବଢ଼ିବା ପରେ ଅପରାହ୍ନ ୩ଟାରେ ଦ୍ବାଦଶ ଯାତ୍ରା‌ ଓ ନକ୍ଷତ୍ର ବନ୍ଦାପନା, ଅପରାହ୍ନ ୩ଟା ୩୦ରେ ବିମାନକୁ ଦିଅଁ ବିଜେ, ୪ଟା ରେ ରଥ ଆଜ୍ଞାମାଳ ବିଜେ ସହ ବିମାନ ଉଠିବ। ସେହିପରି ଅନ୍ୟ ଦିନ ମାନଙ୍କରେ ଭୋର ୪ଟା ରୁ ଦ୍ବାରଫିଟା ଯାଇ ସମସ୍ତ ନୀତି କାନ୍ତି ଅନୁଷ୍ଠିତ ହେବ ବୋଲି କହିଛନ୍ତି ସେବାୟତ। ଚନ୍ଦନ ଯାତ୍ରା ସହ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଥିବାରୁ ଏହାକୁ ନେଇ ଉଭୟ ଭକ୍ତ ଓ ସେବାୟତ ବେଶ୍ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି। 

You Can Read :

ସମ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ଏପ୍ରିଲ୍ ୨୮ରେ ମାଗଣା ମଧୁମେହ ଚିକିତ୍ସା ଶିବିର 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.