ସାହିଯାତକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ବୁଧବାର ରାବଣ ବଦ୍ଧ ନୀତି

Published By : Prameya-News7 Bureau | April 24, 2024 IST

ପୁରୀ ୨୪।୦୪ : ସାହିଯାତକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ପ୍ରଭୁ ଶ୍ରୀରାମଙ୍କ ବିଭିନ୍ନ କଥା ବସ୍ତୁ ଅତି ସୁନ୍ଦର ଭାବେ ପରିବେଷଣ ହେଉଛି ଏହି ସାହିଯାତରେ। ତେବେ ମଙ୍ଗଳବାର ସାହି ଜାତରେ ରାବଣ ଦ୍ୱାରା ସେତୁ ବନ୍ଧ ପ୍ରତିଷ୍ଠା ବିଧି ସମ୍ପନ ହୋଇଛି। ବାଲି ସାହି ବାସିନ୍ଦାଙ୍କ ପକ୍ଷରୁ ରାବଣ ଦ୍ବାରା ଏହି ସେତୁ ବନ୍ଧ ପ୍ରସ୍ତାବ ଅନୁଷ୍ଠିତ ହୋଇଥିଲା। ବାଲି ସାହି ଆଖଡ଼ାରୁ ଏକ ବିରାଟ ପଟୁଆରରେ ପ୍ରଭୁ ଶ୍ରୀରାମ, ଲକ୍ଷଣ ଓ ହନୁମାନ ଚରିତ୍ର ସାମିଲ ହୋଇଥିଲେ। ରାବଣ ପଟୁଆର ଯାଇ ହରଚଣ୍ଡୀ ସାହିରେ ନୃତ୍ୟ ପରିବେଷଣ କରିଥିଲା। ପରେ  ଯମ୍ବେଶ୍ବର ମହାଦେବଙ୍କୁ ପୂଜା କରିବା ପରେ ଜଗନ୍ନାଥ ବଲ୍ଲଭ ମଠରେ ସେତୁ ବନ୍ଧ ପ୍ରତିଷ୍ଠା ନୀତି ଅନୁଷ୍ଠିତ ହୋଇଥିଲା। ବାଲି ସାହିର ହିଞ୍ଜଳ ଜାଗା ପକ୍ଷରୁ ବିଶ୍ଵନାଥ ମହାସୁଆର ରାବଣ ଚରିତ୍ର ପରିବେଷଣ କରିଥିବା ବେଳେ ମହାପ୍ରଭୁଙ୍କୁ ଏହି ଲୀଳାରେ ଅଭିନୟ କରି ନିଜକୁ ଧନ୍ୟ ମନେ କରିଥିବା କହିଛନ୍ତି। 

ବୁଧବାର ବାଲି ସାହିର ଜାତ ବାହାରି ହରଚଣ୍ଡି ସାହି ପରିଭ୍ରମଣ କରିବ। ନାଟକୀୟ ଢଙ୍ଗରେ ପ୍ରଭୁ ଶ୍ରୀରାମ ଓ ରାବଣଙ୍କ ମଧ୍ଯରେ ଘମାଘୋଟ ଲଢେଇ ହେବ‌। ଉଭୟ ବାଲି ସାହି ଓ ହରଚଣ୍ଡୀ ସାହି ରଣକ୍ଷେତ୍ର ପାଲଟିବ। ତେବେ ଆଜି ସକାଳୁ ରାବଣ ବାହାରି ବାଲି ସାହି ପରିଭ୍ରମଣ କରିଥିବା ବେଳେ ରାତିରେ ହରଚଣ୍ଡୀ ସାହି ଭ୍ରମଣ କରିବ। ଏହାପରେ ଜଗନ୍ନାଥ ବଲ୍ଲଭରେ ରାବଣ ବଦ୍ଧ ନୀତି ଅନୁଷ୍ଠିତ ହେବ।  

ଗତ ମାର୍ଚ୍ଚ ୩୦ ତାରିଖ ରାମ ଜନ୍ମ ନୀତି ଠାରୁ ସାହିଯାତ ଆରମ୍ଭ ହୋଇଥିଲା। ପରେ ଯଜ୍ଞ ରକ୍ଷା ନୀତି, ନିଶାଣ ଶୋଭାଯାତ୍ରା, ପର୍ଶୁରାମ କଳାହରଣ ନୀତି, ବନବାସ ନୀତି, ସୀତା ଚୋରି ଓ ମାୟା ରାବଣ, ଲଙ୍କା ଦହନ ନୀତି ଅନୁଷ୍ଠିତ ହୋଇଥିବା ବେଳେ ଗତକାଲି ସେତୁ ବନ୍ଧ ନୀତି ଅନୁଷ୍ଠିତ ହୋଇଥିଲା। ତେବେ ଆଜି ରାବଣ ବଦ୍ଧ ନୀତି ଅନୁଷ୍ଠିତ ହେବାକୁ ଥିବା ବେଳେ ଆସନ୍ତା ୧୨ ତାରିଖରେ ଗୌଡ଼ବାଡ ସାହି ପକ୍ଷରୁ ଶ୍ରୀରାମ ଅଭିଷେକ ସହ ପତିଆରା ନୀତି ସମ୍ପନ୍ନ ହେବ। 



 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.