LIVE TV

ସଂସଦର ସ୍ଥାୟୀ ସମିତିର କାର୍ଯ୍ୟକାଳ ବଢିପାରେ, ସାଂସଦଙ୍କ ଦାବି ଉପରେ ବିଚାର କରୁଛନ୍ତି ସରକାର

NEWS7
sansad

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସଂସଦର ସ୍ଥାୟୀ ସମିତିର କାର୍ଯ୍ୟକାଳ ଦୁଇ ବର୍ଷ ବଢାଇବା ଉପରେ ବିଚାର କରୁଛନ୍ତି । ବର୍ତ୍ତମାନ ସମୟରେ ଏହି ସମିତିଗୁଡ଼ିକର କାର୍ଯ୍ୟକାଳ କେବଳ ଗୋଟିଏ ବର୍ଷ ହୋଇଥାଏ । ସାଂସଦମାନେ ସରକାରଙ୍କ ନିକଟରେ ଦାବି କରିଥିଲେ ଯେ ଏତେ କମ ସମୟ ମଧ୍ୟରେ କୌଣସି ବିଷୟ ଉପରେ ସାର୍ଥକ କାମ କରିବା ସମ୍ଭବ ନୁହେଁ । ସରକାର ଏହା ଉପରେ ଖୁବଶୀଘ୍ର ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ଓ ରାଜ୍ୟସଭା ସଭାପତି ସି.ପି.ରାଧାକ୍ରିଷ୍ଣନଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେଇପାରନ୍ତି ।

ସୂଚାନା ଅନୁସାରେ, କିଛି ସାଂସଦଙ୍କ ଅଭିଯୋଗ ଥିଲା ଯେ ଗୋଟିଏ ବର୍ଷ ଅବଧିରେ ସମିତିଗୁଡ଼ିକ ଚୟନ କରାଯାଇଥିବା ବିଷୟ ଉପରେ ପୂର୍ଣ୍ଣ ରୂପରେ କାମ କରିପାରନ୍ତି ନାହିଁ । ଏପରି ସ୍ଥଳେ କାର୍ଯ୍ୟକାଳକୁ ଦୁଇ ବର୍ଷ କରାଗଲେ ଅଧିକ ଅଧ୍ୟୟନ କରି ସୁପାରିଶ କରିପାରିବେ । ସାଂସଦଙ୍କ ଏହି ଦାବି ଉପରେ ସରକାର ଏବେ ଗମ୍ଭୀରତା ସହ ବିଚାର କରିବା ଆରମ୍ଭ କରିଛନ୍ତି ।

ଏହି ପ୍ରସ୍ତାବର ରାଜନୀତିକ ଗୁରୁତ୍ୱ ମଧ୍ୟ ରହିଛି । କଂଗ୍ରେସ ସାଂସଦ ଶଶି ଥରୁର ବର୍ତ୍ତମାନ ବିଦେଶ ମାମଲାର ସ୍ଥାୟୀ ସମିତିର ଅଧ୍ୟକ୍ଷ ଅଛନ୍ତି । ଯଦି ସମିତି କାର୍ଯ୍ୟକାଳକୁ ୨ ବର୍ଷ କରାଯାଏ, ତେବେ ପାର୍ଟି ସହ ମତଭେଦ ସତ୍ତ୍ୱେ ୨ ବର୍ଷ ଯାଏ ଅଧ୍ୟକ୍ଷ ଭାବରେ ରହିପାରିବେ । ସେପ୍ଟେମ୍ୱର ୨୬ରେ ସଂସଦର ସବୁ ସମିତିର କାର୍ଯ୍ୟକାଳ ଶେଷ ହୋଇସାରିଛି ।

ଉଲ୍ଲେଖଯୋଗ୍ୟ ଯେ ସାଧାରଣତଃ ସ୍ଥାୟୀ ସମିତିର ନୂଆ କାର୍ଯ୍ୟକାଳ ସେପ୍ଟେମ୍ୱର ଶେଷ କିମ୍ୱା ଅକ୍ଟୋବର ଆରମ୍ଭରୁ ସ୍ଥିର ହୋଇଥାଏ । ଏହାକୁ ମିନି ସଂସଦ ମଧ୍ୟ କୁହାଯାଇଥାଏ । ପ୍ରତିବର୍ଷ ସମିତିଗୁଡ଼ିକର ଗଠନ ହୋଇଥାଏ ଓ ବିଭିନ୍ନ ଦଳର ସାଂସଦଙ୍କୁ ସେମାନଙ୍କ ଶକ୍ତି ଅନୁପାତରେ ସ୍ଥାନ ମିଳିଥାଏ । ବର୍ତ୍ତମାନ ସଂସଦରେ ୨୪ ବିଭାଗର ସ୍ଥାୟୀ ସମିତି ରହିଛି । ଏଥିରୁ ୮ର ଅଧ୍ୟକ୍ଷତା ରାଜ୍ୟସଭାର ସଦସ୍ୟ କରନ୍ତି ଓ ଅନ୍ୟ ୧୬ ସମିତିର ନେତୃତ୍ୱ ଲୋକସଭା ସଦସ୍ୟ କରିଥାନ୍ତି । ଏହା ବ୍ୟତୀତ ବିତ୍ତୀୟ ସମିତି, ଅସ୍ଥାୟୀ ସମିତି ଓ ଅନ୍ୟ ସମିତି ମଧ୍ୟ ଗଠନ ହୋଇଥାଏ, ଯାହା ବିଧେୟକ ଓ ବିଭିନ୍ନ ପ୍ରସଙ୍ଗ ଉପରେ କାମ କରିଥାନ୍ତି ।