News7 Logo

ସୋନିଆ ଗାନ୍ଧିଙ୍କ ବିରୋଧରେ କୋର୍ଟରେ ମକଦ୍ଦମା ରୁଜୁ, ନାଗରିକ ହେବା ପୂର୍ବରୁ ଥିଲା ଭୋଟର ଲିଷ୍ଟରେ ନାଁ

NEWS7
Sonia Gandhi

ନୂଆଦିଲ୍ଲୀ ୪।୯: ଭାରତର ନାଗରିକ ହେବାର ୩ ବର୍ଷ ପୂର୍ବରୁ ଭୋଟର ଲିଷ୍ଟରେ ସାମିଲ ହେବା ମାମଲାରେ ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧିଙ୍କ ବିରୋଧରେ ଏତଲା ରୁଜୁ ଦାବି କରି ରାଉଜ ଏଭେନ୍ୟୁ କୋର୍ଟରେ ଏକ ଅପରାଧିକ ଅଭିଯୋଗ ରୁଜୁ ହୋଇଛି। କୋର୍ଟଙ୍କ ଅତିରିକ୍ତ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ (ଏସିଜେଏମ) କିଛି ସମୟ ପର୍ଯ୍ୟନ୍ତ ଶୁଣାଣି କରି ବିନା କୌଣସି ନୋଟିସ୍ ଜାରିରେ ମାମଲାକୁ ୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।

ଅଭିଯୋଗକାରୀ ବିକାଶ ତ୍ରିପାଠୀ ଆବେଦନରେ ଅଭିଯୋଗ କରିଛନ୍ତି ଯେ ସୋନିଆ ଗାନ୍ଧିଙ୍କ ନାମ ୧୯୮୦ ମସିହାରେ ଦିଲ୍ଲୀ ନିର୍ବାଚନ ମଣ୍ଡଳି ଭୋଟର ସୂଚୀରେ ସାମିଲ କରାଯାଇଥିଲା, ତେବେ ତାଙ୍କୁ ଏପ୍ରିଲ ୧୯୮୩ରେ ଭାରତର ନାଗରିକତା ମିଳିଥିଲା। ବିକାଶ ତ୍ରିପାଠୀଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିବା ଓକିଲ କହିଛନ୍ତି ଯେ ଭାରତୀୟ ନାଗରିକତା ନିମନ୍ତେ ସୋନିଆ ଗାନ୍ଧିଙ୍କ ଆବେଦନ ମଧ୍ୟ ଏପ୍ରିଲ ୧୯୮୩ ମସିହାରେ ହୋଇଥିଲା।

ଅଭିଯୋଗକାରୀ ପ୍ରଶ୍ନ ଉଠାଇଛନ୍ତି ଯେ ୧୯୮୦ ମସିହାରେ ନୂଆ ଦିଲ୍ଲୀ ନିର୍ବାଚନ ମଣ୍ଡଳୀ ଭୋଟର ଲିଷ୍ଟରେ ତାଙ୍କ ନାମ କେମିତି ସାମିଲ ହେଲା ଓ ୧୯୮୨ ମସିହାରେ ତାକୁ ହଟାଇ ଦିଆଯାଇଥିଲା। ୧ ଜାନୁୟାରୀ ୧୯୮୩ର ଆବେଦନ ତିଥିରେ ଏହି ନାମ ୧୯୮୩ ମସିହାରେ ପୁଣି ସାମିଲ ହୋଇଥିଲା। ଓକିଲ କହିଛନ୍ତି ଯେ ଯଦି ସୋନିଆ ଆବେଦନ କରିଥାନ୍ତେ ତେବେ ୧୯୮୨ରେ ତାଙ୍କ ନାମ ହଟାଇବାର ପରିସ୍ଥିତି ଉପୁଜି ନଥାନ୍ତା।

ଓକିଲ କହିଛନ୍ତି ଯେ ୨ଟି ନାମ ହଟାଯାଇଥିଲା। ଏଥିରେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସଞ୍ଜୟ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କର ନାମ ଥିଲା। ତେବେ ନାମ ହଟାଯିବାର କାରଣ ସମ୍ପର୍କରେ କୌଣସି ସ୍ଥାନରେ ସୂଚନା ଦିଆଯାଇ ନାହିଁ। ଓକିଲ ଏହା ବି ତର୍କ ଦେଇଛନ୍ତି ଯେ ୧୯୮୦ ମସିହାରେ ଭୋଟର ଲିଷ୍ଟରେ ନାମ ଉଠାଯିବାର ମାନେ କିଛି ନକଲୀ କାଗଜପତ୍ର ଜମା କରାଯାଇଥିଲା। ଏଣୁ ଏହା ଏକ ଏପରି ମାମଲା ଯେଉଁଥିରେ ସଂଜ୍ଞେୟ ଅପରାଧ ହୋଇଥିଲା। ବିବାହ ଆଧାରରେ ସୋନିଆ ୩୦ ଏପ୍ରିଲ ୧୯୮୩ ମସିହାରେ ପଞ୍ଜିକରଣ ମାଧ୍ୟମରେ ପ୍ରମାଣପତ୍ର ହାସଲ କରିଥିଲେ। ଏଣୁ ଆବେଦନକାରୀ ବିକାଶ ପୋଲିସକୁ ଉଚିତ ଧାରାରେ ଏତଲା ରୁଜୁ ନିମନ୍ତେ ନିର୍ଦ୍ଦେଶ ଦେବାକୁ ନିବେଦନ କରିଛନ୍ତି।