LTTE ଉପରେ କଟକଣା ସମ୍ପ୍ରସାରଣ କଲେ କେନ୍ଦ୍ର ସରକାର, ଗୃହମନ୍ତ୍ରାଳୟ କହିଲେ ଦେଶର ସୁରକ୍ଷାପାଇଁ ସଙ୍ଗଠନ ଏବେବି ବିପଦଜନକ

Published By : Prameya-News7 Bureau | May 14, 2024 IST

ନୂଆଦିଲ୍ଲୀ ୧୪।୫:   କେନ୍ଦ୍ର ସରକାର ମଙ୍ଗଳବାର ଲିବରେସନ ଟାଇଗର୍ସ ଅଫ ତାମିଲ ଇଲମ (ଏଲଟିଟିଇ) ଉପରେ ଜାରି କଟକଣାକୁ ଆଉ ୫ ବର୍ଷ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି। କେନ୍ଦ୍ରୀୟ ଗୃହମନ୍ତ୍ରାଳୟ ବେଆଇନ ଗତିବିଦ୍ଧି (ନିୟନ୍ତ୍ରଣ) ଅଧିନିୟମ ୧୯୬୭ର ଧାରା ୩ ଉପଧାରା ୧ ଓ ୩ ଲାଗୁ କରି ଏହି ପ୍ରତିବନ୍ଧକକୁ ସମ୍ପ୍ରସାରଣ କରିଛନ୍ତି। ଏ ନେଇ ମନ୍ତ୍ରାଳୟ ଏକ ଅଧିସୂଚନା ଜାରି କରିଥିବା ବେଳେ ଏଲଟିଟିଇ ଏବେବି ସେହିପରି ଗତିବିଦ୍ଧିରେ ସାମିଲ, ଯାହା ଦେଶର ଅଖଣ୍ଡତା ଓ ସୁରକ୍ଷା ନିମନ୍ତେ ବିପଦଜନକ ବୋଲି କହିଛନ୍ତି। 

ଉଲ୍ଲେଖଯୋଗ୍ୟ ଯେ ମେ ୨୦୦୯ ମସିହାରେ ଶ୍ରୀଲଙ୍କାରେ ନିଜର ସୈନ୍ୟ ପରାଜୟ ପରେ ମଧ୍ୟ ଏଲଟିଟିଇ ତାର ‘ଇଲମ’ ଅବଧାରଣାକୁ ଛାଡି ନାହିଁ। ଏହା ଗୁପ୍ତ ରୂପେ ଧନ ସଂଗ୍ରହ କରି ଇଲମ ନିମନ୍ତେ କାମ କରୁଛି। ଇଲମର ଅର୍ଥ ତାମିଲଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ଦେଶ। ଏଲଟିଟିଏ ନେତା ଓ କ୍ୟାଡରମାନେ ପୁଣି ଥରେ ନିଜ କାର୍ଯ୍ୟକର୍ତ୍ତାଙ୍କୁ ଏକତ୍ରିତ କରି ସ୍ଥାନୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଙ୍ଗଠନକୁ ପୁନର୍ଜୀବିତ କରିବା ପାଇଁ ଉଦ୍ୟମ କରୁଛନ୍ତି। 

ମନ୍ତ୍ରାଳୟ ଦ୍ୱାରା ଜାରି ଅଧିସୂଚନାରେ କୁହାଯାଇଛି ଯେ ଏଲଟିଟିଇ ସମର୍ଥକ ଜନତାଙ୍କ ମଧ୍ୟରେ ବିଛିନ୍ନତାଧାରା ବିଚାରଧାରାକୁ ପ୍ରୋତ୍ସାହିତ କରୁଛନ୍ତି। ଏମାନେ ବିଶେଷ କରି ତାମିଲନାଡୁରେ ଏଲଟିଟିଇ ନିମନ୍ତେ ସମର୍ଥନ ସଂଗ୍ରହ କରୁଛନ୍ତି। ଏହା ଦ୍ୱାରା ଭାରତର ଆଞ୍ଚଳିକ ଅଖଣ୍ଡତା ଉପରେ ବହୁତ ବଡ଼ ପ୍ରଭାବ ପଡିବ। ଭାରତରେ ୧୪ ମେ୧୯୯୨ରେ ଏଲଟିଟିଇ ନିଷିଦ୍ଧ ହୋଇଥିଲା। ଏହା ପରଠାରୁ ଏହି କଟକଣାକୁ ସମ୍ପ୍ରସାରଣ କରାଯାଉଛି। ଏହା ପୂର୍ବରୁ ୟୁରୋପୀୟ ସଂଘ, କାନାଡା ଓ ଆମେରିକା ମଧ୍ୟ ଏହି ସଙ୍ଗଠନକୁ ନିଷିଦ୍ଧ କରିଥିଲେ। 

ଉଲ୍ଲେଖଯୋଗ୍ୟ ଯେ ୧୯୮୭ ମସିହାରେ ଭାରତୀୟ ଶାନ୍ତି ସେନା ଉତ୍ତର ଶ୍ରୀଲଙ୍କାକୁ ଶାନ୍ତି ସ୍ଥାପିତ କରିବା ଉଦ୍ଦେଶ୍ୟରେ ଯାଇଥିଲା। ତେବେ ଏଲଟିଟିଇ ସହିତ ଯୁଦ୍ଧରେ ଭାରତୀୟ ଶାନ୍ତି ସେନାର ପାଖାପାଖି ୧୨ଶହ ସୈନିକ ପ୍ରାଣ ହରାଇଥିଲେ। ଶ୍ରୀଲଙ୍କାକୁ ଶାନ୍ତିସେନା ପଠାଇବା ଭାରତ ନିମନ୍ତେ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ପରେ ଏଥି ପାଇଁ ଏଲଟିଟିଇ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଆତ୍ମଘାତୀ ବିସ୍ପୋରଣରେ ହତ୍ୟା କରିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.