ନୂଆଦିଲ୍ଲୀ: ପେଟ୍ରୋଲ ଚୋରିର ନୂଆ ତରିକା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କାରର ନମ୍ବର ପ୍ଲେଟରେ କଭର, ଟାଙ୍କି ଫୁଲ, ଡ୍ରାଇଭର ଫେରାର । ଏହାର ଅର୍ଥ, ନମ୍ବର ପ୍ଲେଟକୁ ଲୁଚାଇବା ପରେ କାରରେ ପେଟ୍ରୋଲ୍‌ ଭରିଲା କାର ଡ୍ରାଇଭର । ପରେ ଟଙ୍କା ନଦେଇ ପେଟ୍ରୋଲ ପମ୍ପରୁ ଚମ୍ପଟ ମାରିଲା  । କାରର ନମ୍ବର ପ୍ଲେଟ୍‌ରେ କଭର ଲାଗିଥିବାରୁ ସିସିଟିଭି ବି ଧରିପାରିଲାନି । ଏବେ ପୁଲିସ ଅଭିଯୁକ୍ତକୁ ଖୋଜିବାକୁ ତଦନ୍ତ ଚଳାଇଛି । 

ଛତିଶଗଡ଼ର ରାୟଗଡ଼ ଜିଲ୍ଲାରେ ଏହି ଘଟଣା ଚକିତ କରିଛି । ଜଣେ କାର୍ ଚାଳକ ନିଜ ଗାଡ଼ିର ନମ୍ବର ପ୍ଲେଟକୁ ଘୋଡ଼ାଇ ୫,୧୦୦ ଟଙ୍କାର ପେଟ୍ରୋଲ ପକାଇବା ପରେ ବିନା ଟଙ୍କା ଦେଇ ଫେରାର ହୋଇଯାଇଛି। ଏହି ଘଟଣାଟି ରାୟଗଡ଼ ଜିଲ୍ଲାର କୋତରା ରୋଡ୍ ଥାନା ଅନ୍ତର୍ଗତ ବଘନପୁରସ୍ଥିତ 'ୱାନ୍ୟା କୁଞ୍ଜ ଫ୍ୟୁଲ୍ସ'ରେ ଘଟିଛି।  ୨୪ ଜୁଲାଇ ୨୦୨୬ ବିଳମ୍ବିତ ରାତି ପ୍ରାୟ ୧:୩୮ ମିନିଟ୍ ସମୟରେ ଏକ ଧଳା ରଙ୍ଗର 'ହୁଣ୍ଡାଇ' କାର୍ ପେଟ୍ରୋଲ ପମ୍ପରେ ଆସି ପହଞ୍ଚିଥିଲା।

କାର୍ ଚାଳକଜଣକ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗାଡ଼ିରେ ୫,୧୦୦ ଟଙ୍କାର ପେଟ୍ରୋଲ ଭରିବାକୁ କହିଥିଲା । କର୍ମଚାରୀଜଣକ ପେଟ୍ରୋଲ ଭରିବା ପରେ ଯେତେବେଳେ ଟଙ୍କା ମାଗିଥିଲେ, ଚାଳକ ବିଭିନ୍ନ ବାହାନା କରିଥିଲା । କର୍ମଚାରୀଜଣକ କିଛି ବୁଝିବା ପୂର୍ବରୁ ଚାଳକଜଣକ ଗାଡ଼ିର ଗତି ବଢ଼ାଇ ରାୟଗଡ଼ ଆଡ଼କୁ ଦ୍ରୁତ ଗତିରେ ପଳାଇଥିଲା। କର୍ମଚାରୀମାନେ ଗୋଡ଼ାଇବାକୁ ଚେଷ୍ଟା କରିବା ବେଳକୁ ଗାଡ଼ିଟି ଜାତୀୟ ରାଜପଥ-୪୯ (NH-49) ଆଡ଼କୁ ଚାଲିଯାଇଥିଲା।

ନିଜର ପରିଚୟ ଲୁଚାଇବା ପାଇଁ ଅଭିଯୁକ୍ତ ଚାଳକଜଣକ ପୂର୍ବ ଯୋଜନା ଅନୁଯାୟୀ କାରର ନମ୍ବର ପ୍ଲେଟ୍ ଉପରେ ଏକ କଭର୍ ଲଗାଇ ଦେଇଥିଲା। ଏହି କାରଣରୁ ଗାଡ଼ିର ରେଜିଷ୍ଟ୍ରେସନ୍ ନମ୍ବର ଲୁଚି ଯାଇଥିଲା । ପେଟ୍ରୋଲ ପମ୍ପ ପରିସରରେ ଲଗାଯାଇଥିବା ସିସିଟିଭି କ୍ୟାମେରାରେ କାର୍ ଆସିବା, ପେଟ୍ରୋଲ ଭରିବା ଏବଂ ସେଠାରୁ ଦ୍ରୁତ ଗତିରେ ଫେରାର ହେବାର ସମ୍ପୂର୍ଣ୍ଣ ଦୃଶ୍ୟ କଏଦ ହୋଇଯାଇଛି।

ପେଟ୍ରୋଲ ପମ୍ପ ମାଲିକ ତରୁଣ ପଟେଲ କୋତରା ରୋଡ୍ ଥାନାରେ ଏ ନେଇ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ସେ ସିସିଟିଭି ଫୁଟେଜ୍ ସହ ପୁଲିସକୁ ଗାଡ଼ି ଓ ଚାଳକଙ୍କୁ ଚିହ୍ନଟ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବାକି ଟଙ୍କା ଆଦାୟ କରିବାକୁ ଦାବି କରିଛନ୍ତି। ପୁଲିସ ସିସିଟିଭି ଫୁଟେଜ୍ ଏବଂ ଅନ୍ୟାନ୍ୟ ପ୍ରମାଣ ଆଧାରରେ କାର୍ ଓ ଚାଳକଙ୍କୁ ଖୋଜିବା ପାଇଁ ତଦନ୍ତ ଜାରି ରଖିଛି।