ନୂଆଦିଲ୍ଲୀ: କାଲିଫର୍ନିଆର ଉପନଗରର ପୂର୍ବତନ ମେୟର ଚୀନ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗକୁ ସ୍ୱୀକାର କରିଛନ୍ତି । ପୂର୍ବତନ ମେୟର ଇଲିନ୍ ୱାଙ୍ଗଙ୍କ ବିରୁଦ୍ଧରେ ଅଭିଯୋଗ ଥିଲା ଯେ ସେ ଚୀନ ସରକାରଙ୍କ ନିର୍ଦ୍ଦେଶରେ ଆମେରିକାରେ ଚୀନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରୁଥିଲେ । ୨୦୨୨ରେ ସେ କାଲିଫର୍ନିଆର ଆର୍କାଡିଆର ମେୟର ନିର୍ବାଚିତ ହୋଇଥିଲେ । କିନ୍ତୁ ଚୀନ ପାଇଁ ଗୁଇନ୍ଦାଗିରି କରିବା ଅଭିଯୋଗ ସାର୍ବଜାନୀନ ହେବା ପରେ ଚାପରେ ଆସି ଇସ୍ତଫା ଦେଇଥିଲେ । ଏହି ପୂରା ମାମଲା ୨୦୨୦ରୁ ୨୦୨୨ ମଧ୍ୟରେ ହୋଇଥିଲା, ଯେତେବେଳେ ଜୋ ବାଇଡେନ୍ ଦେଶର ରାଷ୍ଟ୍ରପତି ଥିଲେ ।

ବ୍ଲୁମ୍‌ବର୍ଗର ରିପୋର୍ଟ ଅନୁସାରେ, ଇଲିନ୍ ୱାଙ୍ଗ ଏକ ସମାଚାର ୱେବସାଇଟ୍ ଜରିଆରେ ଆମେରିକାରେ ଚୀନ ପାଇଁ ଅନୁକୂଳ ପରିବେଶ କରିବାକୁ ଉଦ୍ୟମ କରୁଥିଲେ । ଫେଡରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (ଏଫବିଆଇ)ର ଅଭିଯୋଗ ଯେ ୱାଙ୍ଗ ଚୀନ ସରକାରଙ୍କ ଇଙ୍ଗିତରେ ବେଙ୍ଗିଂ ସମର୍ଥନରେ ପୋଷ୍ଟ କରୁଥିଲେ । ଏଫବିଆଇ ଅନୁସାରେ ଇଲିନଙ୍କୁ ଏହି ମାମଲାରେ ୧୦ ବର୍ଷର ଜେଲ୍ ଦଣ୍ଡ ହୋଇପାରେ ।

ଆମେରିକୀୟ ଅଧିକାରୀଙ୍କ ଅନୁସାରେ ୱାଙ୍ଗଙ୍କ ବିରୁଦ୍ଧରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି । ସେ ଚୀନର ମେସେଜିଂ ଆପ୍ ୱି-ଚାଟ୍ ଜରିଆରେ ଚୀନ ହ୍ୟାଣ୍ଡଲର୍ସଙ୍କ ସହ ଯୋଗାଯୋଗରେ ରହିଥିଲେ । ଲସ୍ ଆଞ୍ଜେଲସ୍ ଏଫବିଆଇ ମୁଖ୍ୟ କହିଛନ୍ତି, 'ସମସ୍ତ ଆମେରିକୀୟ ଏହା ଜାଣି ଚିନ୍ତିତ ଯେ ଜଣେ ନିର୍ବାଚିତ ଅଧିକାରୀ ଖୋଲା ଖୋଲି ଚୀନ ସରକାରଙ୍କ ପାଇଁ ପ୍ରଚାର କରୁଥିଲେ । ଏଫବିଆଇ ସେହି ସବୁ ଲୋକଙ୍କ ସନ୍ଧାନରେ ଅଛି, ଯେଉଁମାନେ ବିଦେଶୀ ସରକାରଙ୍କ ଏଜେଣ୍ଟ ଭାବେ କାମ କରୁଛନ୍ତି ।' ଏଫବିଆଇ ମୁଖ୍ୟ କାଶ ପଟେଲ ମଧ୍ୟ ଏହି ପୂରା ପ୍ରସଙ୍ଗକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ।