ଜଳିଗଲା ପୋଲିଂ କର୍ମଚାରୀଙ୍କୁ ଧରି ଫେରୁଥିବା ବସ୍, ଚାଳକ ସମେତ ସବୁ ଯାତ୍ରୀ ସୁରକ୍ଷିତ, ୪ EVM ନଷ୍ଟ

Published By : Prameya-News7 Bureau | May 08, 2024 IST

ବୈତୁଲ ୮।୫: ମଧ୍ୟପ୍ରଦେଶ ବୈତୁଲରେ ପୋଲିଂ କର୍ମଚାରୀ ଓ ଇଭିଏମ ନେଇ ଯାଉଥିବା ବସ୍ ଅଗ୍ନିକାଣ୍ଡରେ ଜଳି ଯାଇଛି। ଫଳରେ କିଛି ଇଭିଏମ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ବସ୍‌ ଅଗ୍ନି ସ୍ପୁଲିଙ୍ଗରୁ ଜଳି ଯାଇଥିବା ଜିଲ୍ଲାପାଳ ପୁଷ୍ଟି କରିଛନ୍ତି। ୭ ମେ ମଙ୍ଗଳବାର ଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ଥିଲା। ଭୋଟ ଗ୍ରହଣ ପରେ ବସ୍ ବୈତୁଲରୁ ୬ ପୋଲିଂ ବୁଥର କର୍ମଚାରୀ ଓ ମତଦାନ ଉପକରଣ ନେଇ ଜିଲ୍ଲା ମୁଖ୍ୟାଳୟ ଫେରୁଥିବା ରାସ୍ତାରେ ଏହି ଅଘଟଣ ଘଟିଛି। 

ବୈତୁଲ ଜିଲ୍ଲାପାଳ ନରେନ୍ଦ୍ର ସୂର୍ଯ୍ୟବଂଶୀ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଏହି ଦୁର୍ଘଟଣାରେ ସମସ୍ତ ପୋଲିଂ କର୍ମଚାରୀ ଓ ବସ୍ ଚାଳକ ସୁରକ୍ଷିତ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣା ମଙ୍ଗଳବାର ରାତି ପାଖାପାଖି ୧୧ଟା ବେଳେ ଗୋଲା ଗାଁ ନିକଟରେ ହୋଇଥିଲା। ସୂଚନା ଅନୁସାରେ ବସ୍‌ରେ ନିଆଁ ଲାଗିବା ମାତ୍ରେ ଚାଳକ ଓ ପୋଲିଂ କର୍ମଚାରୀମାନେ ବସ୍‌ରୁ ବାହାରିଯାଇଥିଲେ। ହେଲେ ଇଭିଏମ ଓ ଅନ୍ୟ ସାମଗ୍ରୀ ସେମାନେ ବାହାର କରିପାରିନଥିଲେ। ଫଳରେ କେତେକ ଇଭିଏମ ଜଳି ଯାଇଥିବାର କୁହାଯାଇଛି। 

ପୋଲିଂ କର୍ମଚାରୀଙ୍କ ବସ୍‌ରେ ନିଆଁ ଲାଗିଥିବା ଖବର ପାଇ ପୋଲିସ ଓ ଦମକଳ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ତେବେ ସେତେବେଳକୁ ବସ୍‌ଟି ସମ୍ପୂର୍ଣ୍ଣ ଜଳି ସାରିଥିଲା। ପରେ ସେଥିରୁ ମତଦାନ ସାମଗ୍ରୀ ବାହାର କରାଯାଇଥିବା ବେଳେ ୪ଟି ପୁଲିଂ ବୁଥର ଇଭିଏମ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଏଥିରେ ପୁଲିଂ ବୁଥ ସଂଖ୍ୟା ୨୭୫,୨୭୬,୨୭୭,୨୭୮,୨୭୯ ଓ ୨୮୦ର ଇଭିଏମ ଥିବା ଜଣାପଡିଛି। 

ଦୁର୍ଘଟଣା ସମୟରେ ବସ୍‌ରେ ୬ଟି ପୋଲିଂ ପାର୍ଟି ଓ ସେହି ସଂଖ୍ୟକ ଇଭିଏମ ଥିଲା। ଏଥିରୁ ୪ଟି ଇଭିଏମ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨ଟି ସୁରକ୍ଷିତ ଅଛି। ପ୍ରଭାବିତ ଇଭିଏମ ମଧ୍ୟରୁ ଗୋଟିଏ କଣ୍ଟ୍ରୋଲ ୟୁନିଟି ଅଥବା ଗୋଟିଏ ବାଲଟ ୟୁନିଟ ନିଆଁରେ ପୋଡି ହୋଇ କ୍ଷତିଗ୍ରସ୍ତ ହୋଇଛି। ତେବେ ଏହି ଇଭିଏମରୁ ଭୋଟ ଗଣତି ସମ୍ଭବ ହେବକି ବୋଲି ପଚରା ଯିବାରେ ଜିଲ୍ଲାପାଳ ଏ ନେଇ ନିର୍ବାଚନ ଆୟୋଗଙ୍କୁ ତାଙ୍କ ରିପୋର୍ଟ ଦେବେ ଓ ନିର୍ବାଚନ ଆୟୋଗ ପ୍ରଭାବିତ ମତଦାନ କେନ୍ଦ୍ର ପାଇଁ ପୁନର୍ମତଦାନ ନେଇ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। 

ଘଟଣା ସମ୍ପର୍କରେ ପୀଠାସୀନ ଅଧିକାରୀ ମୁନ୍ନା ଲାଲ ଗଣମାଧ୍ୟମକୁ କହିଛନ୍ତି ଯେ ୬ ମତଦାନ ଟିମ ସହିତ ସେହି ସଂଖ୍ୟକ ବାଲଟ ୟୁନିଟ, କଣ୍ଟ୍ରୋଲ ୟୁନିୟ ଓ ଭିଭିପିଏଟି ମଧ୍ୟ ଥିଲା। ଭିଭିପିଏଟି ମତପତ୍ର ଓ ସିଲ ଆଦି ଜଳି ଯାଇଛି। ସେ କହିଛନ୍ତି ଯେ ଏହା ସହିତ ବସରେ ପୋଲିଂ ଟିମର ବ୍ୟାଗ ବ୍ୟାଗେଜ ମଧ୍ୟ ଥିଲା ତାହା ବି ଜଳିଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.