ନୂଆଦିଲ୍ଲୀ: ଏବେ ବିଶ୍ୱର ସବୁଠୁ ଉଚ୍ଚା ଭବନ ବୁର୍ଜ ଖଲିଫାର ପ୍ରସିଦ୍ଧ ‘ଆଟ୍ ଦି ଟପ୍’ ଅନୁଭବର ଅନଲାଇନ୍ ଟିକେଟ୍ ବୁକିଂ ୟୁନିଫାଏଡ ପେମେଣ୍ଟସ୍ ଇଣ୍ଟରଫେସ୍ (ୟୁପିଆଇ) ମାଧ୍ୟମରେ କରାଯାଇ ପାରିବ। ଏଣୁ ଏହି ଖବର ୟୁନାଇଟେଡ ଆରବ ଏମିରେଟ୍ (ୟୁଏଇ) ବୁଲିଯିବାକୁ ଯୋଜନା କରିଥିବା ଭାରତୀୟଙ୍କ ଲାଗି ଆଶ୍ୱସ୍ତି ଆଣିଦେଇପାରେ। ଏହା ସହିତ ବୁର୍ଜଖଲିଫା ୟୁଏଇର ପ୍ରଥମ ଏପରି ପର୍ଯ୍ୟଟନ ଆକର୍ଷଣ ପାଲଟିଛି ଯିଏ ଇ-କମର୍ସ ଟ୍ରାଞ୍ଜାକ୍ସନ ଲାଗି ୟୁପିଆଇ ପୈଠ ଆରମ୍ଭ କରିଛି।

ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ)ର ଅନ୍ତର୍ଜାତୀୟ ଶାଖା ଏନପିସିଆଇ ଇଣ୍ଟରନ୍ୟାସନାଲ ପେମେଣ୍ଟସ୍ ଲିମିଟେଡ (ଏନଆଇପିଏଲ) କହିଛନ୍ତି ଯେ ଏହି ସୁବିଧା ନିଓ ପେ ଏବଂ ଏମାର ଏଣ୍ଟରଟେନମେଣ୍ଟ ସହଯୋଗରେ ଆରମ୍ଭ କରାଯାଇଛି। ଏଣୁ ଏବେ ଭାରତୀୟ ଯାତ୍ରୀ ୟୁଏଇ ପହଞ୍ଚିବା ପୂର୍ବରୁ ବୁର୍ଜ ଖଲିଫାର ଅଧିକାରୀକ ୱେବସାଇଟ୍ କୁ ଯାଇ ନିଜ ପସନ୍ଦର ୟୁପିଆଇ ଆପ୍ ମାଧ୍ୟମରେ ଟିକେଟ୍ ଓ ଅନ୍ୟ ଅନୁଭବର ବୁକିଂ କରିପାରିବେ।

ଏହା ପୂର୍ବରୁ ଭାରତୀୟ ପର୍ଯ୍ୟଟକ ୟୁଏଇରେ କ୍ୟୁଆର କୋଡ ମାଧ୍ୟମରେ ଅଫଲାଇନ ୟୁପିଆଇ ପୈଠ କରୁଥିଲେ। ହେଲେ ଏବେ ପ୍ରଥମ ଥର ଅନଲାଇନ ଟିକେଟ୍ ବୁକିଂରେ ମଧ୍ୟ ଏହି ସୁବିଧା ଉପଲବ୍ଧ କରାଯାଇଛି। ଏହି ପଦକ୍ଷେପ ଯୋଗୁ ଭାରତ ଓ ୟୁଏଇ ମଧ୍ୟରେ ଡିଜିଟାଲ ପୈଠ ବ୍ୟବସ୍ଥା ଆହୁରି ବି ମଜଭୁତ ହେବ ବୋଲି ଆଶା କରାଯାଉଛି। ଏନପିସିଆଇର ଅନ୍ତର୍ଜାତୀୟ ଶାଖା ଏନଆଇପିଏଲ କହିଛି ଯେ ଏହି ନୂଆ ସୁବିଧା ଏନଆଇପିଏଲ ଏବଂ ନିଓ ପେ ମଧ୍ୟରେ ପୂର୍ବରୁ ଚଳି ଆସୁଥିବା ଭାଗିଦାରୀର ସମ୍ପ୍ରସାରଣ।

୨୦୨୨ ମସିହାରେ ପ୍ରଥମ ଥର ୟୁଏଇରେ କ୍ୟୁଆର କୋଡ ମାଧ୍ୟମରେ ୟୁପିଆଇ ପେମେଣ୍ଟ ଆରମ୍ଭ ହୋଇଥିଲା। ସେବେଠାରୁ ଭାରତୀୟ ଯାତ୍ରୀ ନିଓ ପେ ନେଟୱାର୍କ ସହ ଜଡିତ ଦୋକାନୀଙ୍କ ନିକଟରେ ୟୁପିଆଇ ପେମେଣ୍ଟ କରି ଆସୁଥିଲେ। ଏବେ ଏହି ନୂଆ ସୁବିଧାରେ ୟୁପିଆଇ ଉପଯୋଗ ଅନଲାଇନ ବୁକିଂ ଲାଗି ମଧ୍ୟ କରାଯାଇ ପାରିବ।