ଦିଲ୍ଲୀରେ ବିଜେପିର ଟ୍ରିପଲ୍ ଇଞ୍ଜିନ୍ ସରକାର, ରାଜା ଇକ୍‌ବାଲ୍ ସିଂହ ହେଲେ ନୂଆ ମେୟର

Published By : Prameya-News7 Bureau | April 25, 2025 IST

ନୂଆଦିଲ୍ଲୀ: ଦିଲ୍ଲୀରେ ଏବେ ବିଜେପିର ଟ୍ରିପଲ୍ ଇଞ୍ଜିନ ସରକାର ହୋଇଛି । ବିଜେପି କର୍ପୋରେଟର ରାଜା ଇକବାଲ୍ ସିଂହ ମେୟର ନିର୍ବାଚନରେ ବିଜୟୀ ହୋଇଛି । ୧୩୩ ଭୋଟ ପାଇ ରାଜା ଇକ୍‌ବାଲ୍ ସିଂହ ଦିଲ୍ଲୀ ନଗର ନିଗମ ମେୟର ହୋଇଛନ୍ତି । ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀଙ୍କୁ କେବଳ ୮ ଭୋଟ ମିଳିଥିଲା । ମୋଟ ୧୪୨ ମଧ୍ୟରୁ ୧୪୧ ଭୋଟ ଗଣତି ହୋଇଥିଲା, ଗୋଟିଏ ଭୋଟ ଅବୈଧ ଘୋଷିତ ହୋଇଥିଲା ।

ଚଳିତ ଥର ନିର୍ବାଚନ ଅତ୍ୟନ୍ତ ରୋଚକ ଥିଲା, କାରଣ ପୂର୍ବରୁ କ୍ଷମତାରେ ଥିବା ଆପ୍ ଏହି ପଦ ପାଇଁ ନାମାଙ୍କନ ଭରିନଥିଲା । ଏହାସହ ନିର୍ବାଚନ ପ୍ରକ୍ରିୟାକୁ ମଧ୍ୟ ବହିଷ୍କାର କରିଥିଲା । ଦୁଇ ପଦ ପାଇଁ ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ହୋଇଥିଲା । କଂଗ୍ରେସର ଡେପୁଟୀ ମେୟର ପ୍ରାର୍ଥୀ ଆରିବା ଖାନ ନାଁ ପ୍ରତ୍ୟାହାର କରିଥିଲେ । ଏହାପରେ ବିଜେପିର ଜୟ ଭଗବାନ ଯାଦବ ଡେପୁଟୀ ମେୟର ଭାବେ ନିର୍ବିରୋଧ ନିର୍ବାଚିତ ହୋଇଛନ୍ତି । ଏବେ ଅଢେଇ ବର୍ଷ ପରେ ପୁଣି ସଂଯୁକ୍ତ ଦିଲ୍ଲୀ ନଗର ନିଗମରେ ବିଜେପି କ୍ଷମତାକୁ ଫେରିଛି । ଏହା ପୂର୍ବରୁ ନଗର ନିଗମରେ ବିଜେପି ୧୫ ବର୍ଷ ଯାଏ କ୍ଷମତାରେ ରହିଥିଲା ।

ଦିଲ୍ଲୀ ମେୟର ଓ ଡେପୁଟୀ ମେୟର ନିର୍ବାଚନରେ ଲୋକସଭାର ୭ ଓ ରାଜ୍ୟସଭାର ୩ ସାଂସଦଙ୍କ ସମେତ ବିଧାନସଭା ଦ୍ୱାରା ମନୋନୀତ ୧୪ ବିଧାୟକ ଭୋଟରେ ସାମିଲ ହୋଇପାରିବେ । ମେୟର ହେବା ପରେ ରାଜା ଇକବାଲ୍ ସିଂହ କହିଛନ୍ତି ଯେ ନିଗମରେ ଏବେ ସୁଦ୍ଧା ଲାଗୁ କରାଯାଇଥିବା ଟିକସ ଯେପରିକି ୟୁଜର ଚାର୍ଜକୁ ହଟାଇବା, କଚ୍ଚାକୁ ପକ୍କା କରିବା ନିଷ୍ପତ୍ତି ନେବେ । ଏହାସହ ଖରାପ ସ୍ଥିତିରେ ଥିବା ପାର୍କଗୁଡ଼ିକ ସୌନ୍ଦର୍ଯ୍ୟକରଣ କାମ କରିବେ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.