ଭୁବନେଶ୍ଵର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ହେବ ନବ ଗଠିତ ଏନଏସି ଏବଂ ପୌର ପରିଷଦର ନିର୍ବାଚନ। ତେଣୁ ଏହା ଏକ ପ୍ରକାରର ସେମିଫାଇନାଲ ସଦୃଶ ହେବ। ତେଣୁ ରାଜନୈତିକ ଦଳଗୁଡ଼ିକ ତୃଣମୂଳ ସ୍ତରରେ ନିଜର ସ୍ଥିତି ସମ୍ଭାଳିବା ପାଇଁ ରଣନୀତି ପ୍ରସ୍ତୁତ କଲେଣି। ଘନ ଘନ ବୈଠକ ବସୁଛି ଆଉ କର୍ମୀଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି ନେତା।

ରଣନୀତି | ତୃଣମୂଳ ସ୍ତରରେ ସଂଗଠନ ସୁଦୃଢ଼ କରିବା। ପ୍ରସ୍ତୁତ ହେଲାଣି ମାଷ୍ଟର ପ୍ଲାନ | ଆରମ୍ଭ ହେଲା ସଂସଦୀୟ କ୍ଷେତ୍ରୱାରୀ ସମୀକ୍ଷା | ଆସ୍କା, ବ୍ରହ୍ମପୁର, ଜଗତସିଂପୁର, ଯାଜପୁର, ସଂସଦୀୟ କ୍ଷେତ୍ରକୁ ନେଇ ବିଜେପିର ବଡ଼ ବୈଠକ। ବୈଠକରେ ବିଧାୟକ ଏବଂ ସାଂସଦଙ୍କ ମଧ୍ୟରେ ସମନ୍ବୟ ସହିତ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ରାଜ୍ୟ ସଭାପତି |

ବାକିଥିବା ସାଂଗଠନିକ କାର୍ଯ୍ୟକ୍ରମ କେମିତି ଆଗକୁ ବଢିବ ସେନେଇ ଆଲୋଚନା କରାଯାଇଛି | ବିଧାନସଭା ଓ ଲୋକସଭା ଭଳି ପଞ୍ଚାୟତରେ ମଧ୍ୟ ଲୋକେ ବିଜେପିକୁ ଆଶୀର୍ବାଦ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ | ବୁଥ ସ୍ତରରେ କର୍ମୀ ମାନେ ପରିଶ୍ରମ କରୁଛନ୍ତି | ଯେଉଁଠି ଦୋଷ ଦୁର୍ବଳତା ଅଛି ତାକୁ ଦୂର କରିବୁ ବୋଲି ମନମୋହନ କହିଛନ୍ତି।

ବିଜେପି ଭଳି ବିଜେଡ଼ି ମଧ୍ୟ ପଂଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି | ଏବେ ଦଳର ଫୋକସରେ ରହିଛି ଗାଁକୁ ଚାଲ। ଫେବୃଆରୀ ୨ ତାରିଖରୁ ଆନ୍ଦୋଳନକୁ ଓଲ୍ହାଇଥିବା ବିଜେଡ଼ି ଫେବୃଆରୀ ୧୭ ପର୍ଯ୍ୟନ୍ତ ତାର ଆନ୍ଦୋଳନ ଜାରିରଖିବ | ଚାଷୀ ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସରକାରଙ୍କ ବିରୋଧରେ ବିଜେଡି ଲୋକଙ୍କ ପାଖକୁ ଯାଉଛି |

ଏହାସହ ଜିଲ୍ଲା , ବ୍ଳକ ଓ ପଂଚାୟତ ସ୍ତରରେ ବିଜେଡି ନୂଆ କମିଟି ଗଠନ କରିବା ସହ ବୁଥ ସଜାଡ଼ିବା ଆରମ୍ଭ କରିଛି | ସେହିପରି କଂଗ୍ରେସ ମଧ୍ୟ ପଂଚାୟତ ନିର୍ବାଚନରେ ଅଧ୍ୟକ୍ଷ ଓ ସରପଞ୍ଚ, ସମିତି ସଭ୍ୟ ସବୁକୁ ଜିତିବେ ବୋଲି ଦମ୍ଭ ଦେଖାଇଛି | ସରକାରଙ୍କ ମିଛ ପ୍ରତିଶୃତିକୁ ଲୋକଙ୍କ ସମ୍ମୁଖକୁ ଆଣିବୁ ବୋଲି କହିଛି କଂଗ୍ରେସ | ଚାଷୀ ଓ ବେକାର ସମସ୍ୟା ଆମର ପ୍ରମୁଖ ମୁଦ୍ଦା ରହିବ ବୋଲି କଂଗ୍ରେସ କହିଛି।

ପଂଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ପାଇଁ ଚ୍ୟାଲେଞ୍ଜ ହେବ ପୌର ନିର୍ବାଚନ | ନୂଆ ଘୋଷଣା ହୋଇଥିବା ୨୦ ଟି ଏନଏସି ଓ ୮ ଟି ପୌର ପରିଷଦ ରେ ଏପ୍ରିଲ ମାସରେ ନିର୍ବାଚନ ହେବ | କୁହାଯାଉଛି ଏହି ନିର୍ବାଚନ ପଂଚାୟତ ପୂର୍ବରୁ ତିନି ଦଳ ପାଇଁ ଏସିଡ ଟେଷ୍ଟ ହେବ।