News7 Logo

ତୀବ୍ର ହେଉଛି ଗୋଷ୍ଠୀ କନ୍ଦଳ, ନବୀନ ନିବାସରେ ପହଞ୍ଚିଲା ବାଲେଶ୍ଵର ବିଜେଡ଼ି କଳି

NEWS7
Balasore BJD

ଭୁବନେଶ୍ଵର: ହାତରୁ କ୍ଷମତା ଯିବା ପରଠୁ ବିଜୁ ଜନତା ଦଳରେ ଗୋଷ୍ଠୀ କନ୍ଦଳ ବଢିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି। ଏହି କ୍ରମରେ ନବୀନ ନିବାସରେ ପହଞ୍ଚିଛି ବାଲେଶ୍ଵର ବିଜେଡ଼ି କଳି। ଜ୍ୟୋତି ପାଣିଗ୍ରାହୀଙ୍କ ଗୋଷ୍ଠୀ ସହ ମୁହାଁମୁହିଁ ରବି ଜେନାଙ୍କ ଗୋଷ୍ଠୀ। ବିଶେଷ କରି ଜିଲ୍ଲା ସଭାପତି ପଦକୁ ନେଇ ଜିଲ୍ଲାସ୍ତରରେ ବିଜେଡିର ଗୋଷ୍ଠୀ କନ୍ଦଳ ତୀବ୍ରତର ହେବାରେ ଲାଗିଛି।

ସୂଚନା ଅନୁଯାୟୀ, ରବି ଜେନାଙ୍କୁ ଜିଲ୍ଲା ସଭାପତି କରିବାକୁ ଦାବି ନେଇ ବ୍ଲକ ଅଧ୍ୟକ୍ଷଜିଲ୍ଲା ପରିଷଦ ସଭାପତିପୌରାଧ୍ୟକ୍ଷ ନବୀନ ନିବାସରେ ପହଞ୍ଚିଛନ୍ତିଏଥିସହ ଶି ସାହୁଙ୍କ ପତ୍ନୀ ତଥା ସିମୁଳିଆ ବିଧାୟିକା ପ୍ରାର୍ଥୀ ସୁବାସିନୀ ସାହୁ ଓ ରେମୁଣା ପ୍ରାର୍ଥୀ ବିଦୁସ୍ମିତା ମହାଳିକ ମଧ୍ୟ ନବୀନ ନିବାସ ଆସିଛନ୍ତି। ତେବେ ନବୀନ ଦିଲ୍ଲୀ ଗସ୍ତରେ ଥିବା ବେଳେ ନବୀନ ନିବାସକୁ ଆସି କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବାଲେଶ୍ଵର ବିଜେଡ଼ି ନେତା ତାକୁ ନେଇ ରାଜନୀତି ସରଗରମ।

କିଛି ଦିନ ତଳେ ଖଇରା ବନ୍ଦ ବେଳେ ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକସୁଧାଂଶୁ ପରିଡା, ସ୍ଵରୂପ ଦାସ ମେଳି କରି ରବି ଜେନା ଓ ଶଶି ସାହଙ୍କୁ କାଉଣ୍ଟର କରିଥିଲେ।  ଆଜି ରବି ଜେନାଙ୍କ ଗୋଷ୍ଠୀ ନବୀନ ନିବାସ ଆସି ଶକ୍ତି ପ୍ରଦର୍ଶନ କରିଛନ୍ତି।  ସେପଟେ ନବୀନ ନିବାସରୁ ଫେରି ସଂଗଠନ ବିଷୟରେ ଆଲୋଚନା ହୋଇଥିବା କହିଛନ୍ତି ନେତା।

ଏହା ପୂର୍ବରୁ ରାୟଗଡ଼ା ଜିଲ୍ଲା ସଭାପତି ପଦକୁ ନେଇ ଟାଣୁଆ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ଓ  ପୂର୍ବତନ  ମନ୍ତ୍ରୀ ଲାଲ୍ ବିହାରୀ ହିମିରିକା ବିଜେଡିରୁ ଇସ୍ତଫା ଦେଇଥିଲେ। ଉଭୟଙ୍କ ସହ ଦଳର ବହୁ ନେତା ଓ କର୍ମୀ ମଧ୍ୟ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।

ସେପଟେ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ ହେବ ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଥମିବାର ନାଁ ନେଉନି। ବିଜେଡି ସଂପ୍ରତି ଦୁଇଟି ଗୋଷ୍ଠୀରେ ବିଭାଜିତ ହୋଇଥିବା ପରି ମନେ ହେଉଛି। ଗୋଟିଏ ଗୋଷ୍ଠୀ ଭିକେ ପାଣ୍ଡିଆନ ସପକ୍ଷବାଦୀ ଏବଂ ଅନ୍ୟ ଗୋଷ୍ଠୀ ହେଉଛନ୍ତି ବିରୋଧୀ  ଗୋଷ୍ଠୀ। ବିଶେଷ କରି ଦଳର ଅନେକ ବରିଷ୍ଠ ନେତା ପରୋକ୍ଷ ହେଉ କି ପ୍ରତ୍ୟେକ୍ଷରେ ଭିକେ ପାଣ୍ଡିଆନଙ୍କୁ ସମାଲୋଚନା କରି ସାରିଛନ୍ତି।

କେବଳ ଏତିକି ନୁହେଁ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଧୃତରାଷ୍ଟ୍ର ଉବାଚ କରି ପରୋକ୍ଷରେ ଦଳର ନେତୃତ୍ଵ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସେ କାହାରି ନାଁ ନ  ନେଇ ମଧ୍ୟ ବହୁ ମଞ୍ଚ କଥା କହିଛନ୍ତି। ସେପଟେ ଉପରାଷ୍ଟ୍ରପତି ନିର୍ବାଚନରେ ଦଳ ଭୋଟ୍‌ରୁ ବିରତ ରହିବା ନେଇ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ସାଧାରଣରେ ସମାଲୋଚନା କରାଯାଉଛି। ଭୋଟ୍‌ରୁ ବିରତ ରହି ବିଜେଡି ବିଜେପିକୁ ସମର୍ଥନ ଦେଇଥିବା କୁହାଯାଇଛି। ମୋଟାମୋଟି କହିବାକୁ ଗଲେ ବିଜୁ ଜନତା ଦଳ ସଂପ୍ରତି ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି।