ନୂଆଦିଲ୍ଲୀ, ୧୪|୧୧:ଆରମ୍ଭ ହେଲା ଭୋଟ୍ ଗଣତି । ବିହାରରେ କାହାର ହେବ ସରକାର ସେନେଇ ଆରମ୍ଭ ହୋଇଛି କାଉଣ୍ଟଡାଉନ୍ । ସକାଳ ୮ଟାରୁ ଷ୍ଟ୍ରଙ୍ଗରୁମର ତାଲା ଖୋଲାଯାଇ ଗଣତି ଆରମ୍ଭ ହୋଇଛି ।

ନେତାଙ୍କ ଛାତି ଧଡଧଡ । କିଏ ଗଢିବ ସରକାର ଏମିତି ଅନେକ ଆକଳନ । ବିହାର ବିଧାନସଭାର ୨୪୩ ଆସନରେ ମତଦାନ ଶେଷ ପରେ ଏବେ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ଏକଜିଟ୍ ପୋଲ ଆସି ସାରିଥିବା ବେଳେ ଏବେ ଏକଜାଟ ପୋଲ ଉପରେ ସମସ୍ତଙ୍କ ନଜର ରହିଛି ।

ଶୁକ୍ରବାର ବିହାର ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି । ୩୮ ଜିଲ୍ଲାରେ ଭୋଟ ଗଣତି ପାଇଁ ୪୬ଟି ମତଗଣନା କେନ୍ଦ୍ର କରାଯାଇଛି । ସାଧାରଣତଃ ଗୋଟିଏ ଜିଲ୍ଲାରେ ଥିବା ସମସ୍ତ ବିଧାନସଭା ଆସନର ଭୋଟ ଗଣତି ପାଇଁ ଜିଲ୍ଲା ମୁଖ୍ୟାଳୟରେ ମତଗଣନା କେନ୍ଦ୍ର ହୋଇଥାଏ । କିନ୍ତୁ ନିର୍ବାଚନ କମିସନ ବିହାରର କିଛି ଜିଲ୍ଲା ଏକରୁ ଅଧିକ ମତଗଣନା କେନ୍ଦ୍ର କରିଛନ୍ତି ।ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ପ୍ରତ୍ୟେକ ବିଧାନସଭା ଆସନରେ ୧୪ଟି ଟେବୁଲରେ ଭୋଟ ଗଣତି ପାଇଁ ବ୍ୟବସ୍ଥା ହୋଇଛି​​​​​​​

କହିବାକୁ ଗଲେ ବିହାର ଜନତା ଦୁଇଟି ପର୍ଯ୍ୟାୟରେ ବମ୍ପର ଭୋଟିଂ କରିଛନ୍ତି । ୧୧ ତାରିଖରେ ମତଦାନ ସରିବା ପରେ ବିଭିନ୍ନ ସଂସ୍ଥାର ବୁଥ ବାହୁଡ଼ା ମତ ବା ଏକଜିଟ ପୋଲ ରିପୋର୍ଟ ସାମ୍ନାକୁ ଆସିଥିଲା । ବୁଥ ବାହୁଡ଼ା ମତରେ ଏନଡିଏକୁ ବହୁମତ ଦେଇଛନ୍ତି ବିଭିନ୍ନ ସଂସ୍ଥା । ଗତକାଲି ଆକ୍ସିସ- ମାଇ ଇଣ୍ଡିଆର ଏକଜିଟ ପୋଲରେ ମଧ୍ୟ ଏନଡିଏ ପୁଣି କ୍ଷମତାକୁ ଫେରୁଥିବା କୁହାଯାଇଛି ।