LIVE TV

AIMIM, BJP ଓ JDUକୁ ବଡ଼ ଝଟକା, RJDରେ ସାମିଲ ହେଲେ ଅନେକ ନେତା

NEWS7
Tejaswi Yadav

ପାଟନା ୨୬।୧୦: ବିହାର ବିଧାନସଭା ନିର୍ବାଚନ ଯେତିକି ପାଖଉଛି ରାଜନୈତିକ ଉଷ୍ମତା ସେତିକି ବୃଦ୍ଧି ହେଉଛି। ଏଥି ମଧ୍ୟରେ ଅସଦୁଦ୍ଦିନ ଓବେସୀଙ୍କ ପାର୍ଟି ଏଆଇଏମଆଇଏମକୁ ରବିବାର ଝଟକା ଲାଗିଛି। ପାର୍ଟିର ଅନେକ ନେତା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ରେ ସାମିଲ ହୋଇଯାଇଛନ୍ତି। ଆରଜେଡି ନେତା ତେଜସ୍ୱୀ ଯାଦବ ଦଳରେ ଏହି ନେତାଙ୍କୁ ସ୍ୱାଗତ କରିଛନ୍ତି। କେବଳ ଏଆଇଏମଆଇଏମ ନୁହଁ ବିଜେପି ଓ ଜେଡିୟୁର ମଧ୍ୟ କେତେକ ନେତା ଆରଜେଡିରେ ସାମିଲ ହୋଇଛନ୍ତି।

ଏଆଇଏମଆଇଏମ ଛାଡି ଆରଜେଡିରେ ସାମିଲ ନେତାଙ୍କ ମଧ୍ୟରେ ଜଫର ଅସଲମ, ମୁଫ୍ତି ଅତହର ଜାଭେଦ, ମୁଫ୍ତି ସୁଫିୟାନ, ନେହାଲ ଅଖତର, କୈସର ରାହୀ, ନିୟାଜୁଲ ହସନ, ଅର୍ଶୀ ଅଜିଜ୍, ଅବଦୁଲ କୟୁମ ଓ କଲିମୁଦ୍ଦିନ ଆଦି ଅଛନ୍ତି। ଏହା ଛଡା ବିଜେପିର ପ୍ରଗତି ମେହେଟ୍ଟା, ଜେଡିୟୁ ନେତା ତଥା ମରୌଢାର ପୂର୍ବତନ ପ୍ରାର୍ଥୀ ଅଲତାଫ ଆଲମ ରାଜୁ, ଗଡଖା ଜିଲ୍ଲା ପରିଷଦ ସଦସ୍ୟ ଯୋଗେନ୍ଦ୍ର ରାମ ଆଦି ନିଜର ଶତାଧିକ ସମର୍ଥକଙ୍କ  ସହ ଆରଜେଡିରେ ସାମିଲ ହୋଇଥିବା ବେଳେ ଦଳରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।

ଆରଜେଡି ପ୍ରଦେଶ ମୁଖପାତ୍ର ଏଜାଜ ଅହମଦ କହିଛନ୍ତି ଯେ ତେଜସ୍ୱୀ ଯାଦବ ସମସ୍ତଙ୍କୁ ସଦସ୍ୟତା ରସିଦ ଦେଇ ପାର୍ଟିର ପ୍ରତୀକ ଚିହ୍ନ ଗାମୁଛା ପ୍ରଦାନ ପୂର୍ବକ ସ୍ୱାଗତ କରିଛନ୍ତି। ଏହି ଅବସରରେ ତେଜସ୍ୱୀ କହିଛନ୍ତି ଯେ ଆମେ ସମସ୍ତେ ମିଶି ବିହାର ବଦଳାଇବା ପାଇଁ ଏକାଠି ଛିଡା ହୋଇଛୁ। କାରଣ ଆମେ ବିହାରର ଲୋକଙ୍କ ନିମନ୍ତେ ‘ହର ଘର ନୌକରୀ’, ରୋଜଗାର, ବିହାର ବିକାଶକୁ ନୂଆ ଆୟାମ ଦେବା ଲାଗି ସମ୍ବିଧାନ ଓ ଗଣତନ୍ତ୍ରର ହେପାଜତ ନିମନ୍ତେ ଭାଇଚାରାକୁ ମଜଭୁତ କରିବାକୁ ସଂକଳ୍ପ ସହିତ ବିହାର ନିର୍ବାଚନକୁ ଯାଉଛୁ।

ସେ କହିଛନ୍ତି ଯେ ବିହାର ଜନତାଙ୍କ ବିଶ୍ୱାସ ଓ ସମର୍ଥନ ପରିବର୍ତ୍ତନ ନିମନ୍ତେ ଓ ଏହା ଜଳଜଳ ହୋଇ ଦେଖାଯାଉଛି। ଏହି ଅବସରରେ ଏଆଇଏମଆଇଏମରୁ ଆସି ଆରଜେଡିରେ ମିଶିଥିବା ନେତାମାନେ କହିଛନ୍ତି ଯେ ବିହାର ଜନତାଙ୍କ ମିଜାଜ ଏବେ ତେଜସ୍ୱୀ ଯାଦବଙ୍କ ଭିଜନ ଓ ମିସନ ସହିତ ରହିଛି। ଆମେ ସବୁ ତେଜସ୍ୱୀ ଯାଦବଙ୍କୁ ବିହାର ମୁଖ୍ୟମନ୍ତ୍ରୀ ରୂପେ ଦେଖିବାକୁ ଚାହୁଁଛୁ। ଏଣୁ ଆମେ ଆମ ପୁରୁଣା ପାର୍ଟି ଓ ଲାଲୁଙ୍କ ବିଚାରଧାରା ସହ ପୁଣି ସଂଯୁକ୍ତ ହୋଇଛୁ।