ନୂଆଦିଲ୍ଲୀ: ବେଲାରୁଷ ରାଷ୍ଟ୍ରପତି ଆଲେକ୍ସଜାଣ୍ଡର ଲୁକାସେଙ୍କୋ ବିରୋଧୀ ଦଳ ନେତା ମାରିଆ କାଲେସ୍ନିକାଭା ଏବଂ ନୋବେଲ ପୁରସ୍କାର ବିଜେତା ଆଲେସ୍ ବିଲିଆସ୍କିଙ୍କ ସମେତ ୧୨୩ ଜଣ କଏଦୀଙ୍କୁ ମୁକ୍ତ କରିଛନ୍ତି । ବେଲାରୁଷୀୟ ପୋଟାସିୟମ୍ ଉପରୁ ଆମେରିକା କଟକଣା ଉଠାଇ ଦେଉଥିବା ନେଇ ଶନିବାର (ଡିସେମ୍ବର ୧୩) ଦିନ ଜଣେ ଆମେରିକାର ରାଷ୍ଟ୍ରଦୂତ କହିବା ପରେ ବେଲାରୁଷ ଏହି ନିଷ୍ପତ୍ତି ନେଇଛି ।

ବେଲାରୁଷ ରାଷ୍ଟ୍ରପତି ବିଭିନ୍ନ ଦେଶର ୧୨୩ ଜଣ ନାଗରିକଙ୍କୁ କ୍ଷମା କରିବାକୁ ନିଷ୍ପତ୍ତି ନେଇଛନ୍ତି । ବେଲାରୁଷର ସରକାରୀ ସମାଚାର ଏଜେନ୍ସି ବେଲ୍ଟା ଏହା ସ୍ପଷ୍ଟ କରିଛି । ବେଲାରୁଷର ମାନାବିଧିକାର ସଂଗଠନ ଭିୟାସନା ୧୬୧୩ ଦିନ ପରେ ସେମାନଙ୍କ ନେତାଙ୍କ ମୁକ୍ତିକୁ ନେଇ ଉତ୍ସବ ପାଳନ କରିଛି । ଭିୟାସନା ଅଧିକାର ଗୋଷ୍ଠୀ ସୋସିଆଲ ମିଡିଆରେ ଏକ ପୋଷ୍ଟରେ କହିଛି, ୧୬୧୩ ଦିନ ଜେଲରେ ରହିବା ପରେ ତାଙ୍କୁ ( ବିଲିଆସ୍କି) ଲିଥୁନିଆକୁ ନିର୍ବାସିତ କରାଯାଉଛି।

ରୁଷ-ୟୁକ୍ରେନ ଯୁଦ୍ଧ ପରେ ମାନବାଧିକାର ଉଲ୍ଲଙ୍ଘନ ଏବଂ ମସ୍କୋକୁ ୟୁକ୍ରେନ ବିରୁଦ୍ଧରେ ନିଜ ଅଞ୍ଚଳ ବ୍ୟବହାର କରିବାକୁ ଦେବା ଅଭିଯୋଗରେ ବାଇଡେନ ପ୍ରଶାସନ ବେଲାରୁଷର ପୋଟାସ ଶିଳ୍ପ ଉପରେ ପ୍ରତିବନ୍ଧକ ଲାଗୁ କରିଥିଲା । ଟ୍ରମ୍ପ ପ୍ରଶାସନ ଏବେ ଏହି ପ୍ରତିବନ୍ଧକ ଉଠାଇ ଦେଇଛନ୍ତି । ରୁଷ ରାଷ୍ଟ୍ରପତି ପୁଟିନଙ୍କ ଏକ ପ୍ରମୁଖ ସହଯୋଗୀ ବେଲାରୁଷ ଏବଂ ଆମେରିକା ମଧ୍ୟରେ ଚୁକ୍ତି ହେବା ପରେ କଏଦୀମାନଙ୍କୁ ମୁକ୍ତ କରାଯାଇଛି ।

୩୦ ବର୍ଷରୁ ଅଧିକ ସମୟ ଧରି ବେଲାରୁଷକୁ ଶାସନ କରିଆସୁଛନ୍ତି ରାଷ୍ଟ୍ରପତି ଲୁକାସେଙ୍କୋ । ଦୁର୍ବଳ ମାନବାଧିକାର ରେକର୍ଡକୁ ନେଇ ଦୀର୍ଘ ବର୍ଷ ଧରି ପାଶ୍ଚାତ୍ୟ ପ୍ରତିବନ୍ଧକର ସମ୍ମୁଖୀନ ହୋଇଆସୁଛି ବେଲାରୁଷ । ଏବେ ପୋଟାସ୍ ଶିଳ୍ପ ଉପରେ ପ୍ରତିବନ୍ଧକ ଉଠାଇ ବେଲାରୁଷ ସହ ସଂପର୍କ ସୁଧାରିବା ଦିଗ ଉପରେ ଆମେରିକା ନଜର ଦେଇଛି । ୱାଶିଂଟନ୍ ଏବଂ ମିନସ୍କ ମଧ୍ୟରେ ସମ୍ପର୍କକୁ ସ୍ୱାଭାବିକ କରିବାକୁ ଏବେ ଦୁଇ ଦେଶ ପ୍ରାଥମିକତା ଦେଉଥିବା କୁହାଯାଉଛି ।