ମୁମ୍ବାଇ ୩୧।୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଶା କରୁଛନ୍ତି ମୋହସିନ ନକଭୀ ଆସନ୍ତା ୨ ଦିନ ମଧ୍ୟରେ ଏସିଆ କପ୍ ଟ୍ରଫି ଟିମ୍ ଇଣ୍ଡିଆକୁ ଫେରାଇ ଦେବେ। ବିସିସିଆଇ ସାଧାରଣ ସମ୍ପାଦକ ଦେଭଜିତ ସୈକିୟା ଏ ନେଇ ନିରାଶ ବ୍ୟକ୍ତ କରି କହିଛନ୍ତି ଯେ ଏସିୟା କପ ଟ୍ରଫି ଏ ପର୍ଯ୍ୟନ୍ତ ଏହାର ଅସଲି ହକଦାର ଟିମ୍ ଇଣ୍ଡିଆ ନିକଟକୁ ପହଞ୍ଚି ନାହିଁ। ତେବେ ସୈକିୟା ଚେତାବନୀ ଦେଇ କହିଛନ୍ତି ଯେ ଯଦି ନଭେମ୍ବର ୪ ତାରିଖ ପୂର୍ବରୁ ଟିମ୍ ଇଣ୍ଡିଆକୁ ଟ୍ରଫି ନ ମିଳେ ତେବେ ସେହି ଦିନ ଅନୁଷ୍ଠିତ ହେବାକୁ ଥିବା ଆଇସିସି ବୈଠକରେ ଏହି ପ୍ରସଙ୍ଗ ଉଠାଯିବ।

ଗଣମାଧ୍ୟମ ସହ ଆଲୋଚନାରେ ବିସିସିଆଇ ସାଧାରଣ ସମ୍ପାଦକ ଦେଭଜିତ ସୈକିୟା କହିଛନ୍ତିତ ଯେ ଏହା ବାସ୍ତବିକ ନିରାଶ ଜନକ । ଏସିୟା କପ୍ ଶେଷ ହେବାର ମାସେ ବିତିଲାଣି ହେଲେ ଏପର୍ଯ୍ୟନ୍ତ ଟ୍ରଫି ଆମକୁ ମିଳି ନାହିଁ। ସୈକିୟା କହିଛନ୍ତି ଯେ ଭାରତୀୟ ବୋର୍ଡ ପୁରା ପ୍ରକ୍ରିୟାରେ ଟ୍ରଫି ଟିମ୍ ଇଣ୍ଡିଆକୁ ଦେଇ ଦିଆଯାଉ ବୋଲି ଏସିୟା କ୍ରିକେଟ କାଉନସିଲ ନିକଟରେ ଦାବି କରିଥିଲା। ତେବେ ମୋହସିନ ନକଭୀ ତାଙ୍କ ଜିଦ୍ ରେ ଅଟଳ ଅଛନ୍ତି। ସେ ଟ୍ରଫି ଦେଉ ନାହାନ୍ତି।

ବିସିସିଆଇଙ୍କ ଦାବି ପରେ ନକଭୀ କହିଛନ୍ତି ଯେ ଭାରତୀୟ ଟିମ୍‌ କୁ ଯଦି ଟ୍ରଫି ନେବାକୁ ଅଛି ତ ଏସିସି ଅଫିସକୁ ଆସି ଟ୍ରଫି ନେବାକୁ ପଡିବ। ଏସିସି ଓ ପିସିବି ଚେୟାରମ୍ୟାନ ଏହା ମଧ୍ୟ କହିଛନ୍ତି ଯେ ଏଥି ପାଇଁ ସେ ଏକ ପ୍ରେଜେଣ୍ଟେସନ ସେରିମନି ଆୟୋଜନ କରିବାକୁ ମଧ୍ୟ ପ୍ରସ୍ତୁତ, ଯେଉଁଥିରେ ସେ ନିଜ ହାତରେ ଟିମ୍ ଇଣ୍ଡିଆକୁ ଟ୍ରଫି ଦେବେ। ଦେଭଜିତ ସୈକିୟା କହିଛନ୍ତି ଆମେ ଏହି ମାମଲାକୁ ଆଗକୁ ବଢାଉଛୁ।

ସେ କହିଛନ୍ତି ଯେ ପାଖାପାଖି ୧୦ ଦିନ ପୂର୍ବେ ଆମେ ମାମଲାରେ ଏସିସି ଚେୟାରମ୍ୟାନଙ୍କୁ ଏକ ପତ୍ର ଲେଖିଥିଲୁ। ହେଲେ ସେ ଏହା ମାନିବାକୁ ପ୍ରସ୍ତୁତ ହେଉ ନାହାନ୍ତି, ଟ୍ରଫି ଏବେବି ତାଙ୍କ ନିକଟରେ ରହିଛି। ହେଲେ ଆମେ ଆଶା କରୁଛୁ ଦିନେ ଅଥବା ଦୁଇ ଦିନ ମଧ୍ୟରେ ଟ୍ରଫି ଆମ ପାଖକୁ ଚାଲି ଆସିବ। ଉଲ୍ଲେଖ ଯୋଗ୍ୟ ଯେ ଏସିୟା କପ୍ ୨୦୨୫ରେ ପାକିସ୍ତାନକୁ ଭାରତ ୩ ଥର ପରାସ୍ତ କରିଥିଲା। ଫାଇନାଲରେ ପାକିସ୍ତାନ କୁ ଟିମ୍ ଇଣ୍ଡିଆ ୫ ୱିକେଟରେ ପରାସ୍ତ କରି ଚାମ୍ପିୟନ ହୋଇଥିଲା। ହେଲେ ଏ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆକୁ ଟ୍ରଫି ମିଳି ନାହିଁ।