ବରେଲି: ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ଏବେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ, ପ୍ରବଳ ପବନରେ ଏକ ଟିଣ ଛପର ସହ ଜଣେ ବ୍ୟକ୍ତି ଆକାଶକୁ ଉଡ଼ିଯାଉଛନ୍ତି। ଏହି ଅଲୌକିକ ଭାବେ ବଞ୍ଚିଯାଇଥିବା ବ୍ୟକ୍ତିଜଣକ ହେଉଛନ୍ତି ଉତ୍ତର ପ୍ରଦେଶ ବରେଲି ଜିଲ୍ଲାର ନହ୍ନେ ଖାନ୍। ପ୍ରାୟ ୫୦ ମିଟର ଉଚ୍ଚରୁ ଖସିବା ପରେ ମଧ୍ୟ ସେ କିଭଳି ନୂଆ ଜୀବନ ପାଇଲେ, ସେହି ଭୟଙ୍କର କାହାଣୀ ଏବେ ସାମ୍ନାକୁ ଆସିଛି।

କ’ଣ ଥିଲା ପୂରା ଘଟଣା ?

ଗତ ବୁଧବାର ଉତ୍ତର ପ୍ରଦେଶରେ ପ୍ରଳୟଙ୍କରୀ କାଳବୈଶାଖୀ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ଏହି ସମୟରେ ଏକ ବିବାହ ମଣ୍ଡପ ନିକଟରେ ଥିବା ନହ୍ନେ ଖାନ୍ ଟିଣ ଛପରଟିକୁ ପବନରୁ ରକ୍ଷା କରିବା ପାଇଁ ତାହାର ଖୁଣ୍ଟିକୁ ଧରି ପକାଇଥିଲେ। କିନ୍ତୁ ପବନର ବେଗ ଏତେ ପ୍ରଖର ଥିଲା ଯେ, ତାଙ୍କ ସହ ସମ୍ପୂର୍ଣ୍ଣ ଟିଣ ଢାଞ୍ଚାଟି ପ୍ରାୟ ୫୦ ମିଟର ଉପରକୁ ଉଡ଼ିଯାଇଥିଲା। କିଛି ସମୟ ଶୂନ୍ୟରେ ରହିବା ପରେ ସେ ଏକ ଦୂର ବିଲରେ ଯାଇ ପଡ଼ିଥିଲେ। ତାଙ୍କର ନାଁ ନହ୍ନେ ଖାନ ଏବଂ ସେ ଉତ୍ତର ପ୍ରଦେଶ ବରେଲି ଜିଲ୍ଲାର ବାସିନ୍ଦା ବୋଲି ପୋଲିସ କହିଥିଲା।

ଭୟଙ୍କର ଅନୁଭୂତି ବାଣ୍ଟିଲେ ନହ୍ନେ

ମୃତ୍ୟୁ ମୁଖରୁ ଅଳ୍ପକେରୁ ବର୍ତ୍ତିଥିବା ନହ୍ନେ କହିଛନ୍ତି, "ପବନ ଏତେ ଜୋରରେ ହେବ ବୋଲି ଆମେ ଭାବି ନଥିଲୁ। ଟିଣଟିକୁ ବଞ୍ଚାଇବାକୁ ଯାଇ ଆମେ ଦଉଡ଼ି ଧରିଥିଲୁ, ହେଲେ ସେଇଟି ଆମକୁ ୫୦ ମିଟର ଉପରକୁ ଉଡ଼ାଇ ନେଇଥିଲା।" ଏହି ଦୁର୍ଘଟଣାରେ ସେ ଆହତ ହୋଇଛନ୍ତି ଏବଂ ବର୍ତ୍ତମାନ ନିଃଶ୍ଵାସ ନେବାରେ କଷ୍ଟ ଅନୁଭବ ହେଉଥିବା କହିଛନ୍ତି।

ୟୁଜର୍ସଙ୍କ ପ୍ରତିକ୍ରିୟା

ଏହି ଭିଡିଓଟି ଭାଇରାଲ ହେବା ପରେ ବିଶିଷ୍ଟ ଲେଖକ ତଥା ହାସ୍ୟ ଅଭିନେତା ବରୁଣ ଗ୍ରୋଭର ଆଶ୍ଚର୍ଯ୍ୟ ପ୍ରକଟ କରି କହିଛନ୍ତି ଯେ, ଏତେ ଉଚ୍ଚରୁ ଖସିବା ପରେ ମଧ୍ୟ ମୁହଁ ବା ମୁଣ୍ଡରେ କୌଣସି ଗୁରୁତର ଆଘାତ ନଲାଗିବା ପ୍ରକୃତରେ ଚମତ୍କାର। ଅନ୍ୟପଟେ କିଛି ୟୁଜର ଏହାକୁ ଦକ୍ଷିଣ ଭାରତୀୟ ସିନେମାର ଏକ ଦୃଶ୍ୟ ସହ ତୁଳନା କରିଛନ୍ତି।

ଉତ୍ତର ପ୍ରଦେଶରେ ପ୍ରକୃତିର ତାଣ୍ଡବ

ସୂଚନାଯୋଗ୍ୟ ଯେ, ବୁଧବାର ହୋଇଥିବା ଏହି ଭୟଙ୍କର ବାତ୍ୟା ଯୋଗୁଁ ସମଗ୍ର ରାଜ୍ୟରେ ପ୍ରାୟ ୧୦୪ ଜଣଙ୍କର ପ୍ରାଣହାନୀ ଘଟିଛି। କେଉଁଠି କାନ୍ଥ ପଡ଼ି ତ ଆଉ କେଉଁଠି ଗଛ ଉପୁଡ଼ି ଓ ବିଜୁଳି ମାଡ଼ରେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହାସହ ଶତାଧିକ ଗୃହପାଳିତ ପଶୁ ମଧ୍ୟ ପ୍ରାଣ ହରାଇଥିବା ସରକାରୀ ରିପୋର୍ଟରୁ ଜଣାପଡ଼ିଛି।