ପଦ୍ମ ଭୂଷଣ ସମ୍ମାନୀତ ବ୍ୟାଙ୍କିଙ୍ଗ ଦିଗ୍ଗଜ ନାରାୟଣନ ଭାଘୁଲଙ୍କ ପରଲୋକ, ICICI ବ୍ୟାଙ୍କର ଥିଲେ ଚେୟାରମ୍ୟାନ୍

Published By : Prameya-News7 Bureau | May 18, 2024 IST

ଚେନ୍ନାଇ୧୮।୫: ଦିଗ୍ଗଜ ବ୍ୟାଙ୍କର ତଥା ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଚେୟାରମ୍ୟାନ ନାରାୟଣନ ଭାଘୁଲଙ୍କ ଶନିବାର ପରଲୋକ ହୋଇଛି। ଚେନ୍ନାଇର ଅପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ସେ ତାଙ୍କ କ୍ୟାରିୟରର ଦୀର୍ଘ ଦଶନ୍ଧୀରେ ଅନେକ ଗୁରୁତ୍ୱପୂର୍ଣ୍ଣ କାମ କରିଛନ୍ତି। ଏଥିରେ ଆଇସିଆଇସିଆଇ ବ୍ୟାଙ୍କକୁ ପ୍ରାରମ୍ଭିକ ପର୍ଯ୍ୟାୟ ଫାଇନାନ୍ସ ଇନଷ୍ଟିଟ୍ୟୁସନରୁ ପୂର୍ଣ୍ଣ ବ୍ୟାଙ୍କରେ ପରିଣତ କରିବା ମଧ୍ୟ ରହିଛି।  

ପବ୍ଲିକ୍ ସେକ୍ଟର ବ୍ୟାଙ୍କର ସବୁଠୁ ଯୁବ ଚେୟାରମ୍ୟାନ ହେବାର ରେକର୍ଡ ମଧ୍ୟ ଭାଘୁଲଙ୍କ ନାମରେ ରହିଛି। ସେ ୧୯୮୧ ମସିହାରେ ବ୍ୟାଙ୍କ ଅଫ ଇଣ୍ଡିଆର ଚେୟାରମ୍ୟାନ ହୋଇଥିଲେ, ସେତେବେଳେ ତାଙ୍କ ବୟସ ମାତ୍ର ୪୪ ବର୍ଷ ଥିଲା। ୧୯୮୫ରେ ଚେୟାରମ୍ୟାନ ଏବଂ ସିଇଓ ରୂପେ ଆଇସିଆଇସିଆଇ ଲିମିଟଡର ଦାୟିତ୍ୱ ତୁଲାଇବାକୁ ତାଙ୍କୁ ସୁଯୋଗ ମିଳିଥିଲା। ୨୦୦୯ ମସିହା ପର୍ଯ୍ୟନ୍ତ ସେ ଗ୍ରୁପର ମୁଖ୍ୟ ଥିଲେ। ଭାଘୁଲଙ୍କୁ ସରକାର ୨୦୧୦ରେ ଟ୍ରେଡ ଆଣ୍ଡ ଇଣ୍ଡଷ୍ଟ୍ରି କ୍ୟାଟଗରୀରେ ପଦ୍ମଭୂଷଣରେ ସମ୍ମାନୀତ କରିଥିଲେ। 

ଭାଘୁଲ ଭାରତରେ ବ୍ୟାଙ୍କିଙ୍ଗ ସେକ୍ଟରକୁ ବେଶ୍ ସମୃଦ୍ଧ କରିଥିଲେ। ସେ ଦେଶରେ ୟୁନିଭର୍ସାଲ ବ୍ୟାଙ୍କିଙ୍ଗ ମଡେଲ କନସେପ୍ଟକୁ ଆଗକୁ ବଢାଇଥିଲେ। ଫଳରେ ଭାରତୀୟ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଏକ ନୂଆ ଯୁଗର ଆରମ୍ଭ ହୋଇଥିଲା। ଇନଭେଷ୍ଟମେଣ୍ଟ ବ୍ୟାଙ୍କିଙ୍ଗ କମ୍ପାନୀ ଆଇସିଆଇସିଆଇ ସିକ୍ୟୁରିଟିଜ୍ ସ୍ଥାପନାରେ ମଧ୍ୟ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଭାଘୁଲ ଭାରତରେ କ୍ରିସିଲର ସ୍ଥାପନା କରି କ୍ରେଡିଟ୍ ରେଟିଂ କନସେପ୍ଟକୁ ମଧ୍ୟ ଆଗକୁ ବଢାଇଥିଲେ। ସେ ପାଖାପାଖି ୧୦ ବର୍ଷ ପର୍ଯ୍ୟନ୍ତ କ୍ରିସିଲର ସଂସ୍ଥାପକ ଅଧ୍ୟକ୍ଷ ଥିଲେ। 

୧୯୯୧ରେ ଦେଶରେ ଆର୍ଥିକ ଉଦାରୀକରଣ ପରେ ଭାରତରେ ଅନେକ ଫାଇନାନସିଆଲ ସୁପରମାର୍କେଟ୍ ସାମ୍ନାକୁ ଆସିଥିଲେ। ହେଲେ ଏହାର ପ୍ରାରମ୍ଭ ଭାଘୁଲ କରିଥିଲେ। ଯଦି ଆଇସିଆଇସିଆଇ ବ୍ୟାଙ୍କ ବ୍ୟାଙ୍କିଙ୍ଗ ସେକ୍ଟରରେ ଆଜି ଏଠାରେ ପହଞ୍ଚି ପାରିଛି ଏହା ପଛରେ ଭାଘୁଲଙ୍କ ମସ୍ତିଷ୍କ ଥିଲା। ଏହି ବ୍ୟାଙ୍କକୁ ଅନୁକରଣ କରି ଆଇଡିବିଆଇ ଓ ଏସବିଆଇ ଫାଇନାସିଆଲ ସର୍ଭିସେସ ଇଣ୍ଡଷ୍ଟ୍ରିଜର ଅଲଗା ଅଲଗା କ୍ଷେତ୍ରରେ ନିଜର ବ୍ୟବସାୟ ବିସ୍ତାର କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.