ମୁମ୍ବାଇ ୧୨।୧୦: ଅବୈଧ ବସବାସ କରୁଥିବା ବାଂଲାଦେଶୀ ମହିଳା ଜରିନା ଖାତୁନ(୩୬)କୁ ମୁମ୍ବାଇ ପୋଲିସ ଅଟକ ରଖିଛି। ଦେବନାର ପୋଲିସ ମହିଳାଙ୍କ ଡିପୋର୍ଟେସନ ପ୍ରକ୍ରିୟା ଆରମ୍ଭ କରିଛି। ପୋଲିସକୁ ସୂଚନା ମିଳିଥିଲା ଯେ ଅଞ୍ଚଳକୁ ଏପରି ଜଣେ ମହିଳା ପ୍ରବେଶ କରିପାରନ୍ତି। ସେହି ଅନୁସାରେ ପୋଲିସ ତଦନ୍ତ କରି ମହିଳାଙ୍କୁ ଖୋଜି ବାହାର କରିଛି। ପୋଲିସ କହିଛି ଯେ ବିନା ବୈଧ କାଗଜପତ୍ରରେ ମହିଳା ଭାରତକୁ ଅନୁପ୍ରବେଶ କରିଥିଲେ। ସେ ବାଂଲାଦେଶୀ ବୋଲି ତା ନିକଟରୁ ପ୍ରମାଣ ମିଳିଛି।

ଏହି କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଗତ ମାସରେ ପୋଲିସ ଜାଗେଶ୍ୱରୀ ଅଞ୍ଚଳରୁ ମୋଟ ୫ ଜଣ ବାଂଲାଦେଶୀଙ୍କୁ ଧରିଥିଲା। ଜାଗେଶ୍ୱରୀ ଇଷ୍ଟରେ ଥିବା ଏମଏମଆରଡିଏ କଲୋନୀ ସମ୍ମୁଖରୁ ଜଣେ ସନ୍ଦିଗ୍ଧଙ୍କୁ ଧରିବା ପରେ ତାକୁ ସଲିମ ବଲାଇ ମୋଲ୍ଲା ଭାବେ ଚିହ୍ନଟ କରାଯାଇଥିଲା। ତାକୁ ପଚରା ଉଚରା କରାଯିବାରେ ତା ସହ ମୁମ୍ବାଇରେ ଆଉ ୪ ଜଣ ଥିବା ସୂଚନା ମିଳିଥିଲା। ସଲିମର ସୂଚନା ଆଧାରରେ ସମସ୍ତଙ୍କୁ ଗିରଫ କରାଯାଇଛି।

ମୁମ୍ବାଇ ପୋଲିସ ଅନୁସାରେ ସହରରେ ବିଦେଶୀ ନାଗରିକଙ୍କ ଗତିବିଦ୍ଧି ଉପରେ ଲଗାତାର ନଜର ରଖାଯାଉଛି ଓ ସୂଚନା ମିଳିବା ମାତ୍ରେ କାର୍ଯ୍ୟାନୁଷ୍ଠାନ କରାଯାଉଛି। ଅଧିକାରୀଙ୍କ ଅନୁସାରେ ଅବୈଧ ବାସିନ୍ଦାଙ୍କୁ ଧରି ସେମାନଙ୍କ ଡିପୋର୍ଟେସନ ପ୍ରକ୍ରିୟା ଦ୍ରୁତ କରାଯିବାର କାରଣ ହେଉଛି ଆଇନ ପରିସରରେ ରହି ବିଦେଶୀ ନଗାରିକ ଅଧିକ ସମୟ ଭାରତରେ ରହି ନ ପାରନ୍ତୁ। ଏପରି ମାମଲାକୁ ନେଇ ପୋଲିସ ସମ୍ପୂର୍ଣ୍ଣ ସତର୍କ ଓ ଏପରି ମାମଲା ଉପରେ ନଜର ରଖାଯାଇଛି। ଜରିନା ଖାତୁନ ସହିତ ଧରାପଡିଥିବା ଅନ୍ୟମାନଙ୍କୁ ଅବୈଧ ନାଗରିକ ମାମଲାରେ ପରବର୍ତ୍ତି ଯାଞ୍ଚ କରାଯାଉଛି