ଜଗତସିଂହପୁର ୨୧।୧୧: ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପରେ ସରକାରଙ୍କ କଡ଼ା ଆକ୍ସନ ଜାରି ରହିଛି । ରାଜ୍ୟରୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାହାର କରିବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ବିଭିନ୍ନ ସ୍ଥାନରେ ବ୍ଲକିଂ ଚେକିଂ କରି ଜୋରଦାର ଚଢାଉ କରାଯାଉଛି । କିଛି କିଛି ସ୍ଥାନରେ ରାସ୍ତାରେ ଅଟକାଇ ବାଂଲାଦେଶୀ କି ନୁହେଁ ଲୋକେ ଯାଞ୍ଚ କରୁଛନ୍ତି ।


ଜଗତସିଂହପୁର ଜିଲ୍ଲାରେ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛି ଜଗତସିଂହପୁର ଜିଲ୍ଲା ପ୍ରଶାସନ । ଜଗତସିଂହପୁରରେ ପ୍ରଶାସନ ପକ୍ଷରୁ ବାଂଲାଦେଶୀ ହଟାଅ ଅଭିଯାନକୁ ଜୋରଦାର କରାଯାଇଛି । ଏହାସହ ବିଭିନ୍ନ ସ୍ଥାନରେ ବେଆଇନ ଭାବରେ ସରକାରୀ ସ୍ଥାନରେ ଥିବା ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘରକୁ ଭଙ୍ଗାଯାଉଛି । ପ୍ରଶାସନର ଏହି ଅଭିଯାନକୁ ଦେଖି ବେହେରାମପୁର ନିକଟରେ ସରକାରୀ ଜାଗାକୁ ଜବରଦଖଲ କରି ରହିଥିବା ସନ୍ଦିଗ୍ଧ ବାଂଲାଦେଶୀ ଆଜି ଆପେ ଆପେ ନିଜ ତରଫରୁ ସେମାନଙ୍କ ଘର ଭାଙ୍ଗି ବସ୍ତି ଛାଡି ଅନ୍ୟତ୍ର ଚାଲି ଯାଇଥିବାର ଦେଖାଯାଇଛି । ସେମାନେ କେଉଁଠି ପୁନର୍ବାର ଯାଇ ରହିବେ ତାହା ଜଣାପଡିନାହିଁ ।


ସେପଟେ ଫେରାର ବାଂଲାଦେଶୀ ସର୍ଦ୍ଦାର ସିକନ୍ଦର ଆଲାମର ବେହେରାମପୁର ବାସଗୃହରେ ପୋଲିସ ଖାନତଲାସି କରିଛି । ପୁରୁଣା ଭୋଟ୍ ପରିଚୟ ପତ୍ର ସହ ପୋଲିସ ଆଉ କିଛି କାଗଜପତ୍ର ପାଇଛି । ପୋଲିସ ସିକନ୍ଦରର ବ୍ୟାଙ୍କ୍ ଜମାଖାତା ନେଣଦେଣ ଜାଣିବା ପାଇଁ ସ୍ଥାନୀୟ କଲେଜ ଛକ ନିକଟ ବ୍ୟାଙ୍କକୁ ଚିଠି ଲେଖିଛି । ହେଲେ ସିକନ୍ଦରର କିଛି ବ୍ୟାଙ୍କ ଜମାଖାତା କୋଲକାତା, ଚେନ୍ନାଇ ଓ ମୁମ୍ବାଇରେ ଥିବାରୁ ପୋଲିସକୁ ବିଶେଷ ସଫଳତା ମିଳିପାରିନି । ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏନେଇ ସ୍ପଷ୍ଟ କରିଛନ୍ତି ।

​​​​​​​
ବେହେରାମପୁର ସ୍ଥିତ ସିକନ୍ଦରର ବାସଗୃହରେ ପୋଲିସ ଖାନତଲାସୀ କରିଥିଲା ବେଳେ ସାମ୍ନାକୁ ଆସିଥିଲେ ସିକନ୍ଦରଙ୍କ ସଂପର୍କୀୟା ଓ ତାଙ୍କ ମା’ । ତେବେ ସିକନ୍ଦରଙ୍କ ପତ୍ନୀଙ୍କୁ ପୋଲିସ ପାଇନଥିଲେ । ସିକନ୍ଦରଙ୍କ ପୁଅକୁ ଦେଖିଥିଲା ପୋଲିସ । ଏହି ସଂପର୍କୀୟା ମହିଳାଙ୍କର ସନ୍ତାନ ମଧ୍ୟ ସିକନ୍ଦରର ଘରେ ଥିଲେ ।​​​​​​​