ନୂଆଦିଲ୍ଲୀ ୧୯।୧୧: ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ବୁଧବାର ବାଂଲାଦେଶ ଏନଏସଏ ଡା.ଖଲିଲୁର ରହମାନଙ୍କୁ ଭେଟିଛନ୍ତି। ଦୁଇ ଦେଶର ଏନଏସଏଙ୍କ ମଧ୍ୟରେ ଏହି ବୈଠକ ବାଂଲାଦେଶର ପୂର୍ବତନ ପ୍ରଧାମନ୍ତ୍ରୀ ଶେଖ ହସିନାଙ୍କୁ ଆଇସିଟି ପକ୍ଷରୁ ମୃତ୍ୟୁଦଣ୍ଡାଦେଶ ପରେ ପ୍ରଥମ ଥର ହୋଇଛି। ତେବେ ବାଂଲାଦେଶ ଏନଏସଏ କଲମ୍ବୋ ସିକ୍ୟୁରିଟି କନକ୍ଲେଭ (ସିଏସସି)ରେ ଯୋଗ ଦେବା ପାଇଁ ଭାରତ ଆସିଥିବା ଜଣାପଡିଛି।

ଦୁଇ ଏନଏସଏ ବୈଠକରେ କୌଣସି ଦ୍ୱିପାକ୍ଷୀୟ ଆଲୋଚନାକୁ ନେଇ ନିରବତା ଅବଲମ୍ବନ କରିଛନ୍ତି। ତେବେ ଏହି ବୈଠକକୁ ନେଇ ଭାରତ ସ୍ଥିତ ବାଂଲାଦେଶ ଉଚ୍ଚାୟୋଗ ଏକ ବୟାନ ଜାରି କରିଛନ୍ତି। ଉଚ୍ଚାୟୋଗ କହିଛନ୍ତି ଯେ କଲମ୍ବୋ ସିକ୍ୟୁରିଟି କନକ୍ଲେଭର ସପ୍ତମ ଏନଏସଏ ସ୍ତରୀୟ ବୈଠକରେ ଯୋଗ ଦେବା ପାଇଁ ଏନଏସଏ ଡା. ଖଲିଲୁର ରହମାନଙ୍କ ନେତୃତ୍ୱରେ ପ୍ରତିନିଧି ମଣ୍ଡଳ ଦିଲ୍ଲୀ ପହଞ୍ଚିଛନ୍ତି। ଏହି ଗସ୍ତ ଅବସରରେ ଦୁଇ ଦେଶର ଏନଏସଏ ଓ ସେମାନଙ୍କ ଟିମ୍ ପରସ୍ପରକୁ ଭେଟିଥିବା ବେଳେ ଏଠାରେ ସିଏସଏ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଦୁଇ ଦେଶର ବରିଷ୍ଠ ଅଧିକାରୀଙ୍କ ସାକ୍ଷାତ ଆଲୋଚନା କାଳରେ ବାଂଲାଦେଶ ଏନଏସଏ ଅଜିତ ଡୋଭଲଙ୍କୁ ବାଂଲାଦେଶ ପରିଦର୍ଶନ ପାଇଁ ଆନ୍ତ୍ରିତ କରିଛନ୍ତି।

ତେବେ ବାଂଲାଦେଶ ଏନଏସଏଙ୍କ ଏହି ଦିଲ୍ଲୀ ଯାତ୍ରା ତାଙ୍କ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମାନବତା ବିରୋଧରେ ଅପରାଧ ନିମନ୍ତେ ଆଇସିଟି-ବି ପକ୍ଷରୁ ମୃତ୍ୟୁଦଣ୍ଡାଦେଶର ୪୮ ଘଣ୍ଟା ମଧ୍ୟରେ ହୋଇଛି। ଏଣୁ ପ୍ରସଙ୍ଗକୁ ଭାରତରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଇଥିଲା। ହେଲେ ଦୁଇ ଦେଶଙ୍କ ଏନଏସଙ୍କ ବୈଠକରେ ଶେଖ ହସିନାଙ୍କ ପ୍ରସଙ୍ଗ ସ୍ଥାନିତ ହୋଇଥିଲା କି ନା ତାହା ସ୍ପଷ୍ଟ ହୋଇ ନାହିଁ। ତେବେ ଆଇସିଟି –ବି କେବଳ ଶେଖ ହସିନା ନୁହନ୍ତି ବାଂଲାଦେଶର ତତ୍କାଳୀନ ଗୃହମନ୍ତ୍ରୀ ଅସଦୋଉଜମ୍ମାନ କମାଲ ଖାନଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରିଛି, ଯିଏ ଭାରତରେ ଶରଣ ନେଇଛନ୍ତି।