LIVE TV

ଉପରପଡିଆରେ ବାଲିଯାତ୍ରା ନେଇ ଅନିଶ୍ଚିତତା, କୋର୍ଟରେ ଦାଖଲ ହେବ ସତ୍ୟପାଠ

NEWS7
high court

କଟକ ୨୯।୦୯ : ନଭେମ୍ବର ୫ରୁ ଆରମ୍ଭ ହେବାକୁ ଯାଉଛି ବାଲିଯାତ୍ରା-୨୦୨୫ । ଉପରପଡିଆରେ ବାଲିଯାତ୍ରାକୁ ନେଇ ଏବେବି ଅନିଶ୍ଚିତତା ଜାରି ରହିଛି । ଉପର ପଡିଆରେ ବାଲିଯାତ୍ରା କରିବାକୁ କୋର୍ଟରେ ସତ୍ୟପାଠ ଦାଖଲ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ରୂପରେଖ କଣ ହେବ ହାଇକୋର୍ଟଙ୍କୁ ଅବଗତ କରାଯିବ। ଲୋକପ୍ରତିନିଧିଙ୍କୁ ନେଇ ଜିଲ୍ଲାପାଳଙ୍କ ଆବାସିକ ବାସଭବନ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୯ ତାରିଖରେ ହାଇକୋର୍ଟରେ ପରବର୍ତ୍ତୀ ମାମଲାର ଶୁଣାଣି ରହିଛି ।

ସୂଚନାଯୋଗ୍ୟ ଯେ, ନଭେମ୍ବର ୫ରୁ ୧୨ ତାରିଖ ଯାଏଁ ବାଲିଯାତ୍ରା ଅନୁଷ୍ଠିତ ହେବ। ଚଳିତ ବର୍ଷ ଉପର ବାଲିଯାତ୍ରା ପଡ଼ିଆରେ ବାଲିଯାତ୍ରା ଆୟୋଜନ ନ କରିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଯାହାକୁ ନେଇ ବିଭିନ୍ନ ମାହୋଲରେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ତୀବ୍ର ବିରୋଧ କରାଯାଇଥିଲା। ଉପର ପଡ଼ିଆରେ ବାଲିଯାତ୍ରା ପାଇଁ ଜୋର ଧରିଛି ଦାବି । କେବଳ ତଳ ପଡ଼ିଆରେ ବାଲିଯାତ୍ରା ହେବ ବୋଲି ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ପରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଉଭୟ ତଳ ଓ ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ପାଇଁ ଦାବି କରିଛନ୍ତି। ଆଉ ଏବେ ଉପରପଡିଆରେ ବାଲିଯାତ୍ରା କରିବାକୁ ହାଇକୋର୍ଟଙ୍କୁ ଅବଗତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।