କାଠମାଣ୍ଡୁ: ଲୋକପ୍ରିୟ ର୍ୟାପରରୁ ନେପାଳର ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ବାଲେନ୍ଦ୍ର ଶାହ (ବାଲେନ ଶାହ) ପୁଣି ଥରେ ନିଜ ଦେଶର ଏକ ବଡ଼ ପରମ୍ପରାକୁ ଭାଙ୍ଗି ଚର୍ଚ୍ଚାକୁ ଆସିଛନ୍ତି। ନେପାଳ ଇତିହାସରେ ସେ ପ୍ରଥମ ଏଭଳି ପ୍ରଧାନମନ୍ତ୍ରୀ , ଯିଏ ସାଧାରଣତନ୍ତ୍ର ଦିବସରେ ଅଭିଭାଷଣ ଦେଇନାହାନ୍ତି। ପ୍ରତିବର୍ଷ ମେ ୨୮ ତାରିଖରେ ନେପାଳରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଏ । ୨୦୦୮ ମସିହା ମେ ୨୮ ସେହି ଐତିହାସିକ ଦିନ, ଯେଉଁଦିନ ନେପାଳକୁ ଏକ ସଂଘୀୟ ଗଣତାନ୍ତ୍ରିକ ପ୍ରଜାତନ୍ତ୍ର ଭାବେ ଘୋଷଣା କରାଯାଇଥିଲା ଏବଂ ଦେଶରେ ଚାଲିଆସୁଥିବା ୨୪୦ ବର୍ଷର ପୁରୁଣା ରାଜତନ୍ତ୍ରର ଅନ୍ତ ଘଟିଥିଲା।

ଚଳିତ ବର୍ଷ ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବାର ଦୀର୍ଘ ଦିନର ପରମ୍ପରା ପ୍ରଥମ ଥର ପାଇଁ ଭଙ୍ଗ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ବଦଳରେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଟୁଣ୍ଡିଖେଲ ସେନା ମୈଦାନରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଅଭିଭାଷଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ବାଲେନ ଶାହ ଏହି ସରକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ସତ, କିନ୍ତୁ ନିଜେ କୌଣସି ଭାଷଣ ଦେଇନଥିଲେ। ବାସ୍ତବରେ, ବାଲେନ ଶାହ ନିଜେ ରାଷ୍ଟ୍ରପତି ପୌଡେଲଙ୍କୁ ଏକ ପତ୍ର ଲେଖି ଏହି ବିଶେଷ ସମାରୋହକୁ ସମ୍ବୋଧିତ କରିବା ପାଇଁ ଅନୁରୋଧ କରିଥିଲେ।

ଅଭିଭାଷଣରେ ରାମଚନ୍ଦ୍ର ପୌଡେଲ କହିଛନ୍ତି, ‘ଆମ ସମସ୍ତଙ୍କୁ ଏହା ବୁଝିବାକୁ ହେବ ଯେ, କେବଳ ରାଜନୈତିକ ବ୍ୟବସ୍ଥା ଏବଂ ଶାସନ ଗଠନରେ ପରିବର୍ତ୍ତନ ଆଣିଲେ ଆଶା ଆକାଂକ୍ଷା ପୂରଣ ହେବ ନାହିଁ। ଏଥିପାଇଁ ରାଷ୍ଟ୍ରର ଶକ୍ତି, ଆଚରଣ, ରାଜନୈତିକ ସ୍ୱଚ୍ଛତା ଏବଂ ନୈତିକ ମୂଲ୍ୟବୋଧରେ ପରିବର୍ତ୍ତନ ଆଣିବା ଜରୁରୀ। ନଚେତ୍, କେବଳ କାର୍ଯ୍ୟକଳାପରେ ରାଜନୈତିକ ପରିବର୍ତ୍ତନର କୌଣସି ପ୍ରକୃତ ମହତ୍ତ୍ୱ ରହିବ ନାହିଁ।’

ବାଲେନ ଶାହଙ୍କ ନୀରବତା ପଛର କାରଣ କ’ଣ?

ନେପାଳର ପୂର୍ବ ନିୟମ ଅନୁଯାୟୀ, ସରକାରଙ୍କ ମୁଖ୍ୟ ବା ପ୍ରଧାନମନ୍ତ୍ରୀ ସେଠାରେ ଉପସ୍ଥିତ ଥିବା ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରମୁଖ ସରକାରୀ ଅଧିକାରୀ ଏବଂ ବିଦେଶୀ ଦୂତାବାସର ଅତିଥିମାନଙ୍କ ସମ୍ମୁଖରେ ନିଜର ବକ୍ତବ୍ୟ ରଖୁଥିଲେ। ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଭକ୍ତପୁରଠାରେ ନେପାଳ ସେନାର ଏକ କାର୍ଯ୍ୟକ୍ରମକୁ ବାଲେନ ଶାହ ସମ୍ବୋଧିତ କରିଥିଲେ। କିନ୍ତୁ ସେହି ଦିନଠାରୁ ସେ କୌଣସି ବି ସାଧାରଣ ବା ସରକାରୀ କାର୍ଯ୍ୟକ୍ରମରେ ଭାଷଣ ଦେଇନାହାନ୍ତି ଏବଂ ସମ୍ପୂର୍ଣ୍ଣ ନୀରବତା ଅବଲମ୍ବନ କରିଛନ୍ତି।

ନା ପ୍ରଧାନମନ୍ତ୍ରୀ ନା ତାଙ୍କ ଦଳ, କେହି ଦେଲେନି ଶୁଭେଚ୍ଛା

ଭାଷଣ ନଦେବା ସହିତ ପ୍ରଧାନମନ୍ତ୍ରୀ ବାଲେନ ଶାହ ଏହି ଜାତୀୟ ଦିବସରେ ଦେଶବାସୀଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇ ନାହାନ୍ତି, ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ଏହାଠାରୁ ଆହୁରି ଗମ୍ଭୀର ବିଷୟ ହେଉଛି ଯେ, ନେପାଳର ଶାସକ ଦଳ 'ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି' (RSP) ର ସଭାପତି ରବି ଲାମିଛାନେ ମଧ୍ୟ ଗଣତନ୍ତ୍ର ଦିବସ ଅବସରରେ କୌଣସି ଅଭିନନ୍ଦନ ବାର୍ତ୍ତା ଜାରି କରିନାହାନ୍ତି।

ରାଜନୈତିକ ମହଲରେ ଆଶଙ୍କା

ହଜାର ହଜାର ଶହୀଦଙ୍କ ବଳିଦାନ ବଳରେ ନେପାଳରେ ରାଜତନ୍ତ୍ର ହଟି ଗଣତନ୍ତ୍ର ପ୍ରତିଷ୍ଠା ହୋଇଥିଲା। ଏଭଳି ସ୍ଥିତିରେ ସରକାରଙ୍କ ମୁଖ୍ୟ ଏବଂ ଶାସକ ଦଳର ଏଭଳି ଆଭିମୁଖ୍ୟ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦୁର୍ବଳ କରିବା ପାଇଁ ପରୋକ୍ଷରେ କୌଣସି ପ୍ରୟାସ ଚାଲିଛି କି, ସେ ନେଇ ଏବେ ବିଭିନ୍ନ ମହଲରେ ସନ୍ଦେହ ଓ ଆଶଙ୍କା ପ୍ରକାଶ ପାଇଛି।