ନିଜ ସ୍ୱାର୍ଥ ପାଇଁ କିଛି ବି କରିପାରେ ଏ ମଣିଷ। କେଇଟା ଟଙ୍କା ପାଇଁ ଏମାନେ ପାପ କରିବାକୁ ପଛାନ୍ତି ନାହିଁ। ଏମାନଙ୍କ ଟାର୍ଗେଟରେ ସରଳ ଓ ନିରୀହ ପଶୁ। ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଜଙ୍ଗଲ ଅଞ୍ଚଳରୁ ୫ଟି ଶିଶୁ ଓରାଙ୍ଗଉଟାନ ଉଦ୍ଧାର ଘଟଣାକୁ ନେଇ ସାରା ଦେଶରେ ହଇଚଇ। ଓଡ଼ିଶାରେ ତନାଘନା। ଏହି ଘଟଣା କେବଳ ଏକ ବନ୍ୟଜନ୍ତୁ ଉଦ୍ଧାର ଘଟଣା ନୁହେଁ, ବରଂ ଏହା ପଛରେ ରହିଛି ଏକ ଆନ୍ତର୍ଜାତୀୟ ଚୋରାଚାଲାଣ International Smuggling ରାକେଟ୍।

ଏହାକୁ ନେଇ ଉଦବେଗ ପ୍ରକାଶ କରିଛି ହ୍ୟୁମାନ ୱାର୍ଲ୍ଡ ଫର ଆନିମଲ୍ସ-ଇଣ୍ଡିଆ (HWAI)। ସଂଗଠନର କହିବା ଅନୁସାରେ, ଏହି ଛୋଟ ଓରାଙ୍ଗଉଟାନଙ୍କୁ ସେମାନଙ୍କ ମାଆଙ୍କୁ ହତ୍ୟା କରିବା ପରେ ନେଇ ଆସିଯାଇଥିବାର ଅଧିକ ସମ୍ଭାବନା ରହିଛି। HWAIର ୱାଇଲ୍ଡଲାଇଫ ପ୍ରୋଟେକ୍ସନ ନିର୍ଦ୍ଦେଶକ ସୁମନ୍ଥ ବିନ୍ଦୁମାଧବ କହିଛନ୍ତି ଯେ, ଏହା କୌଣସି ବ୍ୟତିକ୍ରମ ଘଟଣା ନୁହେଁ। ଗତ ଜୁନ୍ରେ ପ୍ରକାଶିତ ସଂଗଠନର ଏକ ବିଶ୍ଳେଷଣରେ ମଧ୍ୟ ଭାରତରେ ଏଭଳି ପ୍ରଜାତିଙ୍କୁ ବ୍ୟକ୍ତିଗତ ଭାବେ ରଖିବା ଉପରେ ସ୍ପଷ୍ଟ ନିୟନ୍ତ୍ରଣର ଅଭାବକୁ ନେଇ ପ୍ରଶ୍ନ ଉଠାଯାଇଥିଲା।

ବିନ୍ଦୁମାଧବଙ୍କ କହିବା ଅନୁସାରେ, ନଭେମ୍ବର ୨୦୨୪ରେ ମୁମ୍ବାଇର ଏକ ଫ୍ଲାଟରେ ଚଢ଼ଉ ସମୟରେ ମଧ୍ୟ ଜଣେ ଛୋଟ ଓରାଙ୍ଗଉଟାନ ମିଳିଥିଲା। ଏବେ ଓଡ଼ିଶାରେ ଆଉ ୫ଟି ଓରାଙ୍ଗଉଟାନ ଉଦ୍ଧାର ହେବା ପରେ ବନ୍ୟଜନ୍ତୁ ଚୋରାଚାଲାଣକୁ ନେଇ ଚିନ୍ତା ବଢ଼ିଛି। ଏହି ଶିଶୁ ଓରାଙ୍ଗଉଟାନମାନଙ୍କୁ ମାଆଙ୍କୁ ହତ୍ୟା କରି ନେଇଆସାଯାଇଥାଇପାରେ ବୋଲି HWAI ଆଶଙ୍କା କରିଛି। ଅନ୍ୟପକ୍ଷରେ ସେମାନଙ୍କୁ ଅତ୍ୟନ୍ତ ଅମାନବୀୟ ଓ ଅସ୍ୱାଭାବିକ ବନ୍ଦୀ ପରିସ୍ଥିତିରେ ପ୍ରଜନନ କରାଯାଇଥିବାର ସମ୍ଭାବନାକୁ ମଧ୍ୟ ସଂଗଠନ ଏଡ଼ାଇନାହିଁ।

ସଂଗଠନର ମତରେ, ଏଭଳି ଘଟଣା ମାଧ୍ୟମରେ ବନ୍ୟଜନ୍ତୁ ଚୋରାଚାଲାଣର ପ୍ରକୃତ ଚିତ୍ର ସାମ୍ନାକୁ ଆସୁଛି। ତେଣୁ ଓରାଙ୍ଗଉଟାନ ଭଳି ବନ୍ୟପ୍ରାଣୀଙ୍କୁ ବ୍ୟକ୍ତିଗତ ଭାବେ ରଖିବା ଉପରେ କଠୋର ନିୟମ ଏବଂ ସେମାନଙ୍କ ସୁରକ୍ଷା ପାଇଁ ଅଧିକ ପ୍ରଭାବଶାଳୀ ବ୍ୟବସ୍ଥା ଆବଶ୍ୟକ ବୋଲି HWAI ଦାବି କରିଛି।

ସେପଟେ ଓ୍ୱାର୍ଲ୍ଡ ଆନିମଲ କ୍ରାଇମ ବ୍ୟୁରୋ ଅନୁସାରେ ଓରାଙ୍ଗଉଟାନ ମା’ ନିଜ ଛୁଆକୁ କେବେହେଲେ ଛାଡ଼େ ନାହିଁ। ସ୍ମଗଲର ଏବଂ ଶିକାରୀମାନେ ଜଙ୍ଗଲରେ ମା’ ଓରାଙ୍ଗଉଟାନକୁ ଗୁଳି କରି ବା ପିଟିପିଟି ମାରିଦିଅନ୍ତି। ତା' ପରେ ଛୁଆକୁ ବ୍ୟାଗ୍ ବା ବାକ୍ସରେ ଲୁଚାଇ ଚୋରା ଚାଲାଣ କରନ୍ତି। ଆଉ ଏବେ ଓଡ଼ିଶାରେ ମାଆ ଓରାଙ୍ଗଉଟାନ ନମିଳିବା ଇଣ୍ଟରନ୍ୟାସନାଲ ଚୋରା ଚାଲାଣକୁ ସିଧାସଳଖ ଇଙ୍ଗିତ କରୁଛି । ମାର୍କେଟ୍ ଏମାନଙ୍କ ମୂଲ୍ୟ ୨୫ ଲକ୍ଷରୁ ଅଧିକ ଟଙ୍କା।

୪୦୦୦ କିମି ଦୂର ଦରିଆ ପାର୍ ହୋଇ ଏମାନେ ଓଡ଼ିଶା ଆସିଲେ କେମିତି। କିଏ ଆଣୁଥିଲା ? କୁଆଡେ ଯାଉଥିଲେ ? ଓରାଙ୍ଗଉଟାନ ପଛରେ କେଉଁ ରାକେଟ୍? ସ୍ମଗଲିଂର ଡେଷ୍ଟିନେସନ ଓଡ଼ିଶା ନା ଭାୟା ଓଡ଼ିଶା ? ଅନେକ ପ୍ରଶ୍ନ ଉତ୍ତର ଖୋଜିବାକୁ ଆରମ୍ଭ ହୋଇଯାଇଛି ତନାଘନା।

also read- ଓରାଙ୍ଗଉଟାନ ଚାଲାଣରେ ସରକାରଙ୍କ କଡ଼ା ଆଭିମୁଖ୍ୟ: DNA ଟେଷ୍ଟରୁ ଖୋଲିବ ଅସଲି ରହସ୍ୟ !

କେବଳ କେଇଟା ଟଙ୍କା ଆଉ ବିଳାସପୂର୍ଣ୍ଣ ଜୀବନର ନିଶା ପାଇଁ ମଣିଷ କେତେ ନିର୍ମମ ଓ ବିବେକହୀନ ହୋଇପାରେ, ଏ ଘଟଣା ତାହାର ଏକ ଜ୍ୱଳନ୍ତ ଓ କଳଙ୍କିତ ଅଧ୍ୟାୟ। ହଜାର ହଜାର କିଲୋମିଟର ଦୂର ବିଦେଶୀ ଜଙ୍ଗଲରୁ ନିରୀହ ଶିଶୁଙ୍କୁ ଛଡ଼ାଇ ଆଣି ଏମାନେ ଯେଉଁ ଅପରାଧର ଜାଲ୍ ବିଛାଇଛନ୍ତି, ତାହା କେବଳ ବନ୍ୟଜନ୍ତୁଙ୍କ ପ୍ରତି ଅନ୍ୟାୟ ନୁହେଁ, ବରଂ ସମାଜ ପାଇଁ ଏକ ବଡ଼ କଳଙ୍କ। ସୁଧୁରିଯାଅ, ନହେଲେ ଏମାନଙ୍କ ଅଭିଶାପ ଆଗରେ କେହି ବି ବର୍ତ୍ତି ପାରିବେ ନାହିଁ।